ନବରଙ୍ଗପୁର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପଶୁଧନ ନିରୀକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ପଶୁଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା କରାଇ ଦେବାକୁ କହି ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ (CDVO) କାର୍ଯ୍ୟାଳୟ ଅଧୀନସ୍ଥ ରାଇଘରର ପଶୁଧନ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ ପ୍ରଫୁଲ୍ଲ ହାଲଦାର। ହେଲେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଜଣେ ହିତାଧିକାରୀଙ୍କୁ, ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ସବସିଡି ଟଙ୍କା ରିଲିଜ କରାଇଦେବାକୁ କହି ୮୦ ହଜାର ଟଙ୍କା ଟଙ୍କା ଲାଞ୍ଚ ଦାବି କରିଥିଲେ। ଏପରିକି ଲାଞ୍ଚ ନଦେଲେ ତାଙ୍କ ସମେତ ଗାଁର ଅନ୍ୟ ହିତାଧିକାରୀଙ୍କ ସବସିଡି ମଧ୍ୟ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ।

Also Read: "ବିକାଶିତ ଗାଁ ବିକାଶ ଓଡ଼ିଶା" ଯୋଜନାରେ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିର ଖୋଲତାଡ, ୫୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ 

ଏମିତିରେ ଅନ୍ୟ କୌଣସି ଉପାୟ ନପାଇ ହିତାଧିକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକ୍ରମେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ ହାଲଦାରଙ୍କୁ ଲାଞ୍ଚ ନେବା ବେଳେ କାବୁ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୮୦,୦୦୦ ଟଙ୍କା ଜବତ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି (DA) ଦିଗରୁ ତଦନ୍ତ ପାଇଁ ପ୍ରଫୁଲ୍ଲ ହାଲଦାରଙ୍କ ରାଇଘର DNK ସ୍ଥିତ ବାସଭବନ, ପାରୱେଲ ସ୍ଥିତ ପୈତୃକ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରହିଛି। ପ୍ରଫୁଲ୍ଲ ହାଲାଦାରଙ୍କ ଆବାସିକ ଗୃହରୁ ଏପର୍ଯ୍ୟନ୍ତ ନଗଦ ୮ ଲକ୍ଷ ୨୪ ହଜାର ଟଙ୍କା ଠାବ କରାଯାଇ ଜବତ କରାଯାଇଛି।