ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ଅତ୍ୟନ୍ତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ ଆବେଦନକାରୀ ନିଜ ମାମଲାର ଶୁଣାଣି ସମୟରେ ହଠାତ୍ ଉତକ୍ଷୀପ୍ତ ହରାଇ କୋର୍ଟ ରୁମ୍ ଭିତରେ କାଗଜପତ୍ର ଉଡ଼ାଇବା ସହ ପ୍ରଧାନ ବିଚାରପତି ଙ୍କ ପାଇଁ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିଥିଲେ । କେବଳ ସେତିକି ନୁହେଁ, ସେ ସାମ୍ନାରେ ବସିଥିବା ବିଚାରପତିମାନଙ୍କୁ ହିଁ ଓଲଟା ଆଦେଶ ଦେବାକୁ ଲାଗିଥିଲେ । ପରିସ୍ଥିତି ଏଭଳି ହେଲା ଯେ ସୁପ୍ରିମକୋର୍ଟର ସୁରକ୍ଷାକର୍ମୀମାନେ ତାଙ୍କୁ ଜବରଦସ୍ତି କୋର୍ଟ ରୁମରୁ ବାହାରକୁ ନେଇଯାଇଥିଲେ ।

ସୁପ୍ରିମକୋର୍ଟର ଜଷ୍ଟିସ୍ କେ.ଭି. ବିଶ୍ୱନାଥନ ଏବଂ ଜଷ୍ଟିସ୍ ଆଲୋକ ଅରାଧେଙ୍କ ଖଣ୍ଡପୀଠରେ ପ୍ରବଳ ପ୍ରତାପ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି ଚାଲିଥିଲା । ରିପୋର୍ଟ ଅନୁଯାୟୀ, ସେ କୌଣସି ଓକିଲ ନରଖି ନିଜେ କୋର୍ଟରେ ହାଜର ହୋଇଥିଲେ । ଆବେଦନକାରୀ ଜଣକ ନିଜ ପକ୍ଷ ରଖିବା ସମୟରେ ଖଣ୍ଡପୀଠଙ୍କୁ କହିଥିଲେ, "ମିଷ୍ଟର ଜୁଡିସିଆଲ ସର୍ଭାଣ୍ଟ, ଲକ୍ଷ୍ନୌ ବିକାଶନଗରର ଏସିପିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବା ପାଇଁ ମୁଁ ଆପଣଙ୍କୁ ଆଦେଶ ଦେଉଛି ।"*

ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଜଷ୍ଟିସ୍ କେ.ଭି. ବିଶ୍ୱନାଥନ ପ୍ରଶ୍ନ କରିଥିଲେ, "ଆପଣ ମତେ ଆଦେଶ ଦେଉଛନ୍ତି ? ଆପଣ ଆମକୁ ଆଦେଶ ଦେଉଛନ୍ତି ?"

ଏହାପରେ ଆବେଦନକାରୀ କହିଥିଲେ, "ମୋ ପକ୍ଷରୁ ବାସ ଏତିକି, ସବୁକିଛି ରେକର୍ଡରେ ଅଛି ।" ଏତିକି କହି ସେ ହଠାତ୍ କୋର୍ଟ ରୁମ୍ ଭିତରେ କାଗଜପତ୍ର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଏହାସହ ସେ ସର୍ବସମ୍ମୁଖରେ ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ । ତୁରନ୍ତ ସୁପ୍ରିମକୋର୍ଟର ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ବାହାରକୁ ବାହାର କରିଦେଇଥିଲେ ।

ଏହି ସମ୍ପୂର୍ଣ୍ଣ ଘଟଣା ସମୟରେ ବିଚାରପତିମାନେ ସମ୍ପୂର୍ଣ୍ଣ ଶାନ୍ତ ରହିଥିଲେ ଏବଂ ପରବର୍ତ୍ତୀ ମାମଲାଗୁଡ଼ିକର ଶୁଣାଣି ଜାରି ରଖିଥିଲେ । ଅଦାଲତର କାର୍ଯ୍ୟଧାରାରେ ଏଭଳି ବାଧା ସୃଷ୍ଟି ହୋଇଥିଲେ ସୁଦ୍ଧା ଖଣ୍ଡପୀଠ ତାଙ୍କ ବିରୋଧରେ କୌଣସି ଅଦାଲତ ଅବମାନନା ମାମଲା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ଜଷ୍ଟିସ୍ ବିଶ୍ୱନାଥନ କହିଛନ୍ତି, "ଆମେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରୁନାହୁଁ । ଯଦି ମାମଲାର ମେରିଟ୍ କଥା, ଆମେ ରେକର୍ଡପତ୍ର ଦେଖିଛୁ ଏବଂ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଦୃଢ଼ ଆଧାର ପାଇନାହୁଁ । ତେଣୁ ଏହି ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରାଯାଉଛି ।"

କୋର୍ଟ ଆହୁରି ମଧ୍ୟ କହିଛନ୍ତି, "ସେ ମାନସିକ ସ୍ତରରେ ଖୁବ୍ ବିଚଳିତ ଅଛନ୍ତି, ଏହା କେବଳ ତାଙ୍କର ନିରାଶା । ଆମର ତାଙ୍କ ପ୍ରତି କେବଳ ସହାନୁଭୂତି ରହିଛି ।"

ଉଲ୍ଲେଖଯୋଗ୍ୟ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୭୩(୪) ଅନୁଯାୟୀ ତାଙ୍କ ଆବେଦନକୁ ଏକ ବ୍ୟକ୍ତିଗତ ଅଭିଯୋଗରେ ପରିଣତ କରାଯିବାକୁ ସେ ବିରୋଧ କରୁଥିଲେ । ଏନେଇ ଆଲାହାବାଦ ହାଇକୋର୍ଟ ତାଙ୍କ ରିଟ୍ ଆବେଦନକୁ ଖାରଜ କରିଦେଇଥିଲେ । ଏହାକୁ ଚାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଆସିଥିଲେ ।