ମୁମ୍ବାଇ: ମହାରାଷ୍ଟ୍ର ପାଲଘରର ଏକ ଆବାସିକ ଭବନର ପଞ୍ଚମ ମହଲାରୁ ଲିଫ୍ଟ ଛିଡିପିଡିବାରୁ ୭ ଜଣ ଆହତ ହୋଇଛନ୍ତି। ଜନୈକ ନଗର ପାଳିକା ଅଧିକାରୀ କହିଛନ୍ତି ଯେ ଏହି ଲିଫ୍ଟର କ୍ଷମତା ୫ ଜଣ ଥିଲା। ତେବେ ସେଥିରେ ୭ ଜଣ ଯାତ୍ରା କରୁଥିଲେ। ଏହି ଘଟଣା ମଧ୍ୟାହ୍ନ ୨ଟା ବେଳେ ପାଟନକର ପାର୍କ ଅଞ୍ଚଳରେ ଥିବା ଧନଞ୍ଜୟ ଏଭେନ୍ୟୁ ବିଲ୍ଡିଂରେ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସ୍ଥାନୀୟ ଲୋକେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବା କହିଛନ୍ତି। ହାଉସିଂ ସୋସାଇଟିର ଲୋକେ କହିଛନ୍ତି ଯେ ଏପରି ଦୁର୍ଘଟଣା ଆଶଙ୍କାରେ ସୋସାଇଟି ଲିଫ୍ଟ ସାଫ୍ଟ ତଳ ଅଂଶରେ ପୂର୍ବରୁ ସେଫ୍ଟି ସ୍ପ୍ରିଂ ଲଗାଇ ଦେଇଥିଲେ। ବିଲ୍ଡିଂ ବାସିନ୍ଦାଙ୍କ ଅନୁସାରେ ଧନଞ୍ଜୟ ଏନକ୍ଲେଭ ଗତ ୨ ବର୍ଷ ହେଲା ବାସପୋଯୋଗୀ ହୋଇଛି। ଲୋକେ ଅନେକ ପୂର୍ବରୁ ଘର କିଣିଥିଲେ ମଧ୍ୟ ସେମାନଙ୍କୁ ଦିଆଯାଇନଥିଲା। ୨ ବର୍ଷ ତଳେ ସେମାନଙ୍କୁ ଘର ଆବଣ୍ଟନ ହେବା ପରେ ଲୋକେ ଏଠାରେ ରହିବା ଆରମ୍ଭ କରିଛନ୍ତି।

ଲୋକଙ୍କ ଅନୁସାରେ ସେମାନେ ବିଲ୍ଡିଂରେ ରହିବା ଦିନଠାରୁ ଲିଫ୍ଟରେ ବୈଷୟିକ ତ୍ରୁଟି ପ୍ରାୟତଃ ଲାଗି ରହିଛି। ଏଣୁ ସେମାନେ ଅନେକବାର ବିଲ୍ଡରଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ଲିଫ୍ଟର ସମସ୍ୟା ସମାଧାନ କରାଯାଇ ନାହିଁ। ଏଣୁ ବିଲ୍ଡରଙ୍କ ଅବହେଳାକୁ ଧ୍ୟାନରେ ରଖି ସୋସାଇଟିର ଲୋକେ ଲିଫ୍ଟ ସାଫ୍ଟ ତଳେ ସେଫ୍ଟି ସ୍ପ୍ରିଂ ଲଗାଇବାର ବ୍ୟବସ୍ଥା କରିଥିଲେ। ଫଳେ ଆଜି ୭ ଜଣଙ୍କ ଜୀବନ ରକ୍ଷା ହୋଇ ପାରିଛି। ଘଟଣା ପରେ ଦମକଳ ବିଭାଗର ଜନୈକ ଅଧିକାରୀ ଲିଫ୍ଟର ନିରୀକ୍ଷଣ କରିଛନ୍ତି।