ଉଦଳା: ପତ୍ନୀ ହତ୍ୟାକାରୀକୁ ଆଜୀବନ କାରା ଦଣ୍ଡାଦେଶ। ରାୟ ଶୁଣାଇଲେ ଉଦଳା ଅତିରିକ୍ତ ଦୌରାଜଜ ପ୍ରଦୀପ କୁମାର ବେହେରା। ଉକ୍ତ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ମଧୁସୂଦନ ମୁର୍ମୁକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ।

ସୂଚନାଯୋଗ୍ୟ, ଅଭିଯୁକ୍ତ ୨୦୨୨ ମସିହା ନଭେମ୍ବର ମାସରେ ପତ୍ନୀ ସୁହାଗି ମୁର୍ମୁଙ୍କ ସହିତ ତାଙ୍କ ଶ୍ୱଶୁର ଘର ଖୁଣ୍ଟା ଥାନା ହିଞ୍ଜଳଗଡିଆ ଗ୍ରାମକୁ ଯାଇଥିଲେ। ହେଲେ ନଭେମ୍ବର ୨୧ ତାରିଖ ରାତିରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ହଠାତ୍ ସୁହାଗି ମୁର୍ମୁଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ ପରିବାର ସଦସ୍ୟ। ଏହା ପରେ ପରିବାର ଲୋକେ ଆସି କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କବାଟ ଭିତର ଆଡୁ ବନ୍ଦ ରହିଥିଲା।

ଝରକାରୁ ଦେଖିବାରୁ ଅଭିଯୁକ୍ତ ମଦୁସୂଦନ ନିଜ ସ୍ତ୍ରୀଙ୍କୁ କଇଁଚିରେ ଭୁସି ଆକ୍ରମଣ ଚାଲିଥିଲା। ୧୭ ଥର ସ୍ତ୍ରୀକୁ କଇଁଚିରେ ଭୁସି ଗୁରୁତର ରକ୍ତ ଜୁଡୁବୁଡୁ କରିଥିଲେ ଅଭିଯୁକ୍ତ। ଯାହା ପରେ ପରିବାର ଲୋକେ ଗୁରୁତର ସୁହାଗିଙ୍କୁ ଚିକିତ୍ସା ନିମନ୍ତେ ଡୁକୁରା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ମୃତକ ସୁହାଗିଙ୍କ ଭାଇ ଲକ୍ଷ୍ମୀଧର ମୁର୍ମୁ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Also Read: ୩୩ ଜଣ କୁଖ୍ୟାତ ଅପରାଧୀଙ୍କୁ ପଳାତକ ଘୋଷଣା, ମାସେ ମଧ୍ୟରେ ଆତ୍ମସମର୍ପଣ ନକଲେ ସମ୍ପତ୍ତି ବାଜ୍ୟାପ୍ତି

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମଧୁସୂଦନ ମୁର୍ମୁକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଇଁଚି ଜବତ କରିଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ ହେବା ପରେ ଉକ୍ତ ଘଟଣାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ୱାମୀ ମଧୁସୂଦନ ମୁର୍ମୁକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇବା ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ବାବଦକୁ ଆଉ ଏକ ବର୍ଷ ଅଧିକ କାରା ଦଣ୍ଡାଦେଶ ଭୋଗିବେ।