ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରୁ ବିଜେପିକୁ ବଡ଼ ଆହ୍ବାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଛନ୍ତି, ମୁଁ ବିଜେପିକୁ ବାଲାଟ୍ ପେପର ବ୍ୟବହାର କରି ନିରପେକ୍ଷ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ କରୁଛି। ସେମାନେ କେବେ ଜିତିପାରିବେ ନାହିଁ ଏବଂ ବିଜେପି ଏହା ଜାଣେ। ଭୋଟ ଚୋରି ପ୍ରତିବାଦରେ ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ କଂଗ୍ରେସ ରାଲିରେ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏହା କହିଛନ୍ତି। ସେ ସିଧାସଳଖ ବିଜେପିକୁ ବାଲାଟ୍ ପେପର ବ୍ୟବହାର କରି ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ କରିଛନ୍ତି।

 

ରବିବାର (ଡିସେମ୍ବର ୧୪) ଅନୁଷ୍ଠିତ ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭୋଟ ଚୋରି ପ୍ରସଙ୍ଗରେ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ମୁଁ ବିଜେପିକୁ ଏକ ନିରପେକ୍ଷ ନିର୍ବାଚନ ଲଢ଼ିବାକୁ, ବାଲାଟ୍ ପେପର ବ୍ୟବହାର କରିବାକୁ ଚ୍ୟାଲେଞ୍ଜ କରୁଛି। ଦଳ ନିଜେ ଜାଣେ ଯେ, କେବେ ନିର୍ବାଚନ ଜିତିପାରିବ ନାହିଁ।’ ପ୍ରିୟଙ୍କା କହିଛନ୍ତି, ଯେତେବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ସାଂସଦ ରାହୁଲ ଗାନ୍ଧୀ ସଂସଦରେ SIR ଏବଂ ଭୋଟ ଚୋରି ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ମୋଦୀ ସରକାର ମାନିଲେ ନାହିଁ । ସରକାର ପ୍ରଥମେ ବନ୍ଦେ ମାତରମ୍ ଏବଂ ତା'ପରେ SIR ଓ ଭୋଟ ଚୋରି ଉପରେ ଆଲୋଚନା କରିବେ ବୋଲି କହିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୃହରେ ବନ୍ଦେ ମାତରମ୍ ଉପରେ ଆଲୋଚନା କଲେ । କିନ୍ତୁ ମୋଦୀ ସରକାରଙ୍କ ପାଖରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାର ସାହସ ନାହିଁ। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ, ଆଜି ବିଜେପିକୁ ନିର୍ବାଚନ କମିଶନର ଆବଶ୍ୟକତା ଅଛି । କାରଣ ଏହା ବିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଜିତିପାରିବେ ନାହିଁ। ଆମେ ତିନି ଜଣ ନିର୍ବାଚନ କମିଶନ ଅଧିକାରୀଙ୍କ ନାମ ଭୁଲିବା ଉଚିତ୍ ନୁହେଁ, କାରଣ ଏହି ଲୋକମାନେ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି।

ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ କହୁଛନ୍ତି, ନିର୍ବାଚନ କମିଶନଙ୍କ ଉପରେ ଭରସା ନାହିଁ । ନିର୍ବାଚନରେ ପାଦେ ପାଦେ ସନ୍ଦେହ ସୃଷ୍ଟି କରୁଛି ନିର୍ବାଚନ କମିଶନଙ୍କ କାର୍ଯ୍ୟ । ଦେଶର ପ୍ରତି ପ୍ରତିଷ୍ଠାନକୁ ମୋଦୀ ସରକାର ନିଜର ସାମ୍ନାରେ ନୁଆଁଇ ଦେଇଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି କଂଗ୍ରେସ ସାଂସଦ କହିଛନ୍ତି ଯେ, ଦେଶ ଏହି ତିନି ନିର୍ବାଚନ କମିଶନର ଜ୍ଞାନେଶ କୁମାର, ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ନାମ କେବେ ଭୁଲିବ ନାହିଁ । ମୋଦୀ ସରକାର ସେମାନଙ୍କୁ ଯେତେ ସୁରକ୍ଷା ଦେବାକୁ ଚେଷ୍ଟା କଲେ ମଧ୍ୟ, ଗୋଟିଏ ଦିନ ସେମାନଙ୍କୁ ଦେଶକୁ ଜବାବ ଦେବାକୁ ପଡିବ । ସେମାନେ ଆମର ଭୋଟ ଦେବାର ଅଧିକାର କିପରି ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ ସେନେଇ ସେମାନେ ଜବାବ ଦେବେ । ଏହି ଲୋକମାନେ କିପରି ଷଡ଼ଯନ୍ତ୍ର କରିଥିଲେ, ସେନେଇ ଦେଶବାସୀଙ୍କୁ କହିବେ ।