ନୂଆଦିଲ୍ଲୀ: ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ ହୁଏ । ଯାତ୍ରୀ ବାରମ୍ବାର ଏନେଇ ଅଭିଯୋଗ କରୁଥିଲେ ବି ଏଥିରେ ସୁଧାର ଆସୁନାହିଁ । କିନ୍ତୁ ବନ୍ଦେ ଭାରତ ଭଳି ପ୍ରିମିୟମ ଏକ୍ସପ୍ରେସରେ ମଧ୍ୟ ସମାନ ଅବସ୍ଥା । ଯାତ୍ରୀଙ୍କୁ ଖାଇବାକୁ ଦିଆଯାଇଥିବା ବରାରୁ ବାହାରିଛି ନଟ୍‌-ବୋଲ୍ଟ ।  ବେଙ୍ଗାଲୁରୁରୁ ବେଲାଗାଭି ଅଭିମୁଖେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଟ୍ରେନ୍ ଭିତରେ ଦିଆଯାଇଥିବା ବରାରୁ ଲୁହା ବୋଲ୍ଟ ମିଳିଛି। ଏହି ଘଟଣାକୁ ନେଇ ଯାତ୍ରୀ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ପରେ ରେଳବାଇର ଖାଦ୍ୟ ପରିଚାଳନା ବ୍ୟବସ୍ଥା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ, ମାମଲା ସାମ୍ନାକୁ ଆସିବା ପରେ ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମର୍ଥ କୋଡିଆଲ୍ ନାମକ ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏହି ତିକ୍ତ ଅନୁଭୂତି ସେୟାର କରିଛନ୍ତି। ସେ ବେଙ୍ଗାଲୁରୁରୁ ବେଲାଗାଭି ଯାଉଥିବା ସମୟରେ ଟ୍ରେନରେ ତାଙ୍କୁ ଜଳଖିଆରେ ବରା ଦିଆଯାଇଥିଲା। ତେବେ ସେ ବରା ଖାଉଥିବା ସମୟରେ ତା’ ଭିତରୁ ଏକ ବଡ଼ ଲୁହା ବୋଲ୍ଟ ବାହାରିଥିଲା। ସେ ସେୟାର କରିଥିବା ଭିଡିଓରେ ପ୍ଲେଟରେ ଏକ ଅଧାଖିଆ ବରା ଏବଂ ତା’ ପାଖରେ ପଡ଼ିଥିବା ସେହି ବୋଲ୍ଟଟି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଯାତ୍ରୀ ଜଣକ ଟ୍ରେନରେ ମିଳୁଥିବା ଖାଦ୍ୟର ମାନକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ଭାରତୀୟ ରେଳବାଇ ଏବଂ IRCTC କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

ଏହି ପୋଷ୍ଟ ଭାଇରାଲ ହେବା ପରେ IRCTC ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହ IRCTC କହିଛି ଯେ, ‘ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି । ସମ୍ପୃକ୍ତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।’ ଏହା ସହିତ ରୋଷେଇଶାଳାର କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ମାନକ ପରିଚାଳନା ପ୍ରକ୍ରିୟାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଆରସିଟିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସତ, କିନ୍ତୁ ଥରେ ଚିନ୍ତା କଲେ ଅଜାଣତରେ ଯଦି ଯାତ୍ରୀ ଜଣକ ବୋଲ୍ଟଟିକୁ ଗିଳି ପକାଇଥାନ୍ତେ ଅବସ୍ଥା କଣ ହୋଇଥାନ୍ତା ? ତେଣୁ ଖାଦ୍ୟର ମାନ ଭଲ ଭାବରେ ଯାଞ୍ଚ ହେବାର ଆବଶ୍ୟକତା ରହିଛି ।