ନୂଆଦିଲ୍ଲୀ, ୦୪/୦୬ : ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟ ଦୁନିଆରୁ ଦୂରରେ ଅଛନ୍ତି ଲଳିତ ମୋଦୀ । ତାଙ୍କୁ ଆଇପିଏଲର ଜନକ କୁହାଯାଏ । ତେବେ ସେ କଣ ପାଇଁ କ୍ରିକେଟ ଏବଂ ଖେଳ ଦୁନିଆରୁ ଦୂରେଇ ଗଲେ ସେନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ସେ ଅନେକ ଅକୁହା କଥା କହିଛନ୍ତି । ଏପରିକି ପରିବାର ଉପରେ ଥିବା ବିପଦ ଏବଂ ଅଣ୍ଡରଓ୍ୱାର୍ଲଡର ଧମକ ବାବଦରେ ସେ ପ୍ରକାଶ କରିଛନ୍ତି ।

ଏଏନଆଇକୁ ସାକ୍ଷାତକାର ଦେଇ ଲଳିତ କହିଛନ୍ତି ଯେ, ସେ ୨୦୧୦ ମେ ମାସରେ ଭାରତ ଛାଡିଥିଲେ । ତାଙ୍କୁ ଦାଉଦ୍ ଇବ୍ରାହିମ୍ ଧମକ ଦେଇଥିଲା । ତାଙ୍କ ସମୟରେ ଫିକ୍ସିଂ ନେଇ କୌଣସି ମାମଲା ସାମ୍ନାକୁ ଆସୁନଥିଲା । ଦାଉଦର କିଛି ଗ୍ୟାଙ୍ଗଷ୍ଟର ତାଙ୍କୁ ଧମକ ଦେଇଥିଲେ । କାରଣ ସେ ଆଇପିଏଲରେ ମ୍ୟାଚ୍ ଫିକ୍ସିଂ ପାଇଁ ଅନୁମତି ଦେଇନଥିଲେ । ଫଳରେ ତାଙ୍କ ଉପରେ ତିନି ଥର ଆକ୍ରମଣ ହୋଇଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସେ ଆହୁରି କହିଛନ୍ତି ଯେ, ଆଇପିଏଲର ପ୍ରଥମ ତିନୋଟି ସିଜିନରେ ସେ ଚେୟାରମ୍ୟାନ୍ ରହିଥିଲେ । ଏହି ସମୟରେ କୌଣସି ଫିକ୍ସିଂ ହୋଇନଥିଲା । ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ ଖେଳାଯାଇଥିଲା । ନିର୍ବାଚନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିଲା । ଅନେକ ଧମକ ଚମକ ସତ୍ତ୍ୱେ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରାଯାଇଥିଲା । ତାଙ୍କୁ ମୁମ୍ବାଇରେ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଉଥିଲା ।ଏହି ସମୟରେ ତାଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ହୋଇଥିଲା ।

 Also Read :- Virat Kohli : ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ଖେଳିବେନି ବିରାଟ ! କାରଣ କହିଲା BCCI

କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ, କେପ୍ ଟାଉନରେ ଥିବା ସମୟରେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା । ତାଙ୍କ ପୁଅଙ୍କୁ ଲଣ୍ଡନରେ ଅପହରଣ କରି ନିଆଯାଇଥିଲା । ଏ ବାବଦରେ ସେ କେବେହେଲେ କାହାକୁ କହିନାହାଁନ୍ତି । ଲଣ୍ଡନରେ ୨୦୧୨ରେ ତାଙ୍କୁ ମଧ୍ୟ ରାତ୍ରରେ ଏକ ବୈଠକ ପାଇଁ ଡକାଯାଇଥିଲା । ଏଠାରେ ତାଙ୍କୁ ଜଣେ ମ୍ୟାଚ୍ ଫିକ୍ସର ବାବା ନାମକ ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରାଇଥିଲେ । ସେମାନେ ଆଇପିଏଲରେ ଫିକ୍ସିଂ ନେଇ ଚାପ ପକାଉଥିଲେ । ଏପରିକି ନିଜେ ଦାଉଦ ଫୋନ୍ ଯୋଗେ କଥା ହୋଇଥିଲା । କିନ୍ତୁ ସେଠାରୁ ଲଳିତ ମୋଦୀ ଚାଲି ଆସିଥିଲେ । ସେମାନଙ୍କଠାରୁ ଦୂରତା ବଜାୟ ରଖିଥିଲେ ବୋଲି ଲଳିତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଲଳିତ ମୋଦୀ ଏବେ ଲଣ୍ଡନରେ ରହୁଛନ୍ତି । ଅନେକ ବର୍ଷ ଧରି ସେ ଭାରତ ଆସି ନାହାଁନ୍ତି । ତାଙ୍କ ବିରୋଧରେ ମନି ଲଣ୍ଡରିଂ, ବିଦେଶୀ ଅର୍ଥ ହେରଫେର ଭଳି ସଙ୍ଗୀନ ମାମଲାରେ ଇଡି ତଦନ୍ତ କରୁଛି ।