ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (CJP)କୁ ଚେକ୍‌ ଦେବାକୁ ଦିଲ୍ଲୀରେ ଗଠନ ହେଲା ନୂଆ ପାର୍ଟି । ଦିଲ୍ଲୀର ପ୍ରସିଦ୍ଧ କନ୍ନଟ ପ୍ଲେସ ପ୍ରତିବାଦକୁ ବିରୋଧ କରି ‘ଲାଲ୍‌ ହିଟ୍‌ ଜନତା ପାର୍ଟି’ ଗଢ଼ିଉଠିଛି  । ଏହାର ପ୍ରତିଷ୍ଠାତା ଆୟାନ ଭଟ୍ଟନାଗର ନୂତନ ସଂଗଠନ ଲାଗି ରବିବାର ସଦସ୍ୟତା ସମ୍ମିଳନୀ ଆୟୋଜନ କରିଥିଲେ । 

ସ୍ଥିର ହେଲା ରଣନୀତି
ଲାଲ ହିଟ୍‌ ଜନତା ପାର୍ଟିର ମୁଖ୍ୟ ଏବଂ ଅନ୍ୟ ସଦସ୍ୟମାନେ ସିଜେପି ଆନ୍ଦୋଳନକୁ ବିରୋଧ କରିଛନ୍ତି । ଏପରିକି ସେମାନେ କହିଛନ୍ତି ସିଜେପିର ଆନ୍ଦୋଳନ ଲାଗି ଦେଶର ସାମ୍ବିଧାନିକ ସଂସ୍ଥାନ ଉପରେ ପ୍ରଶ୍ନବାଚୀ ଉଠିଛି । ଏହା ସହ ଦିଲ୍ଲୀର ବବ୍ୟସାୟୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଆଜିର ବୈଠକରେ ସଂଗଠନର ଆଗାମୀ ରଣନୀତି ସ୍ଥିର ହୋଇଛି । ଏପରିକି କମ୍‌ ସମୟ ମଧ୍ୟରେ ସଂଗଠନ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ଲାଗି ରୋଡ୍ ମ୍ୟାପ୍‌ ପ୍ରସ୍ତୁତ ହୋଇଛି ବୋଲି ଆୟାନ ଭଟ୍ଟନାଗର କହିଛନ୍ତି ।

ସିଜେପି ଆନ୍ଦୋଳନକାରୀ ‘କୀଟପତଙ୍ଗ’
ଭଟ୍ଟନାଗର ସିଜେପି ପ୍ରଦର୍ଶନକାରୀଙ୍କୁ କୀଟପତଙ୍ଗ ବୋଲି କହିଛନ୍ତି ।  ସେ କହିଛନ୍ତି ଯେ, ଦଶହରାରୁ ଦୀପାବଳି ପର୍ଯ୍ୟନ୍ତ ସମୟ ବ୍ୟବସାୟିକ ଋତୁ। ଏପରି ସମୟରେ କନ୍ନଟ୍ ପ୍ଲେସ୍‌ ଭଳି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ। ପ୍ରଶାନ୍ତ ଭୂଷଣଙ୍କ ‘ସରକାର ବଦଳାଇବା’ ଟିପ୍ପଣୀକୁ ନେଇ ଭଟ୍ଟନାଗର ପ୍ରଶ୍ନ କରିଛନ୍ତି । କେବଳ ପ୍ରତିବାଦ ମାଧ୍ୟମରେ କିପରି ଗଣତାନ୍ତ୍ରିକ ସରକାରକୁ ବଦଳାଯାଇପାରିବ ବୋଲି ସେ ପଚାରିଛନ୍ତି । 

ଗୋଟିଏ ଗୋଷ୍ଠୀର ଦାବିକୁ ଗ୍ରହଣ କରାଯାଇପାରିବନି
ସେ କହିଛନ୍ତି ଯେ, ଯଦି ଆଜି CECଙ୍କ ଇସ୍ତଫା ଦାବି କରାଯାଉଛି, କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ମଗାଯିବ। କେବଳ ୫୦,୦୦୦ ଲୋକ ଏକାଠି ହୋଇଗଲେ କୌଣସି ଗୋଷ୍ଠୀର ଦାବିକୁ ଗ୍ରହଣ କରାଯାଇପାରିବ ନାହିଁ। ୨୦୨୩ରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପାଇଁ ଆସିଥିବା ନୂଆ ନିୟମରେ ବିରୋଧୀ ଦଳ ନେତାଙ୍କୁ ସାମିଲ କରାଯାଇଛି । ତେଣୁ ବିକ୍ଷୋଭକାରୀମାନେ ନିଯୁକ୍ତି ପ୍ରକ୍ରିୟା ବୁଝିବା ଦରକାର। ଆୟାନ ଭଟ୍ଟନାଗର କହିଛନ୍ତି ଯେ, ଲାଲ୍ ହିଟ୍ ଜନତା ପାର୍ଟି ଗଣତନ୍ତ୍ରର ସୁରକ୍ଷା ପାଇଁ ଗଠନ କରାଯାଇଛି। CJP ର ପ୍ରତିବାଦ ପଛରେ ପୋଲିସ ଓ ନିର୍ବାଚନ ଆୟୋଗ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ତୁଟାଇବାକୁ ଚକ୍ରାନ୍ତ କରୁଛି ସିଜେପି ।

ପ୍ରତିବାଦ ସମୟରେ ପୋଲିସ କର୍ମଚାରୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ନେଇ ଭଟ୍ଟନାଗର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ସୂର୍ଯ୍ୟ ନମସ୍କାର କରନ୍ତି ଏବଂ ଗାଳିଗୁଲଜକୁ ସହିପାରନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସମସ୍ତେ ଅପମାନ ସହିବେ। ପୋଲିସକୁ ଗାଳି ଦେବା ଏବଂ ଅରାଜକତା ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ। ସିଜେପି ଆନ୍ଦୋଳନକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସମର୍ଥନ ମିଳିଛି । ତେବେ ଲାଲ୍‌ ହିଟ ଜନତା ପାର୍ଟିକୁ କିଭଳି ସମର୍ଥନ ମିଳୁଛି ତା ଉପରେ ସମସ୍ତଙ୍କ ନଜର ରହିବ ।