ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିର୍ବାଚନ ଆୟୋଗଙ୍କ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟା ଓ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉଥିବା ଆରୋପ ସମ୍ବଦ୍ଧିତ ରାଜନୈତିକ ବିବାଦ ମଧ୍ୟରେ ରବିବାର ସୋସିଆଲ ମିଡିଆରେ ଏକ ରହସ୍ୟମୟ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ‘ମୋତେ ସେତେବେଳେ ସମୁଦ୍ରରେ ପହଁରିବାକୁ ଭଲ ଲାଗେ ଯେତେବେଳେ ଲହରି ମତୁଆଲା ଥିବ’। ଏହି ପୋଷ୍ଟରେ ରାହୁଲ ଗାନ୍ଧି ତାଙ୍କ ସମୁଦ୍ର ପହଁରା ଆଗ୍ରହ ପ୍ରକାଶ କରିଛନ୍ତି।

ତେବେ ସେ ଲେଖିଛନ୍ତି ଯେ ସମୁଦ୍ରର ଲହଡି ଯେତେବେଳେ ଅନିୟନ୍ତ୍ରିତ ହୋଇପଡିଥିବେ ସେତେବଳେ ପହଁରିବାକୁ ଭଲ ଲାଗେ। ଏଥିରୁ ଆପଣଙ୍କୁ ଶିକ୍ଷା ମିଳେଯେ ‘ଅଶାନ୍ତି ମଧ୍ୟ ଏକ ପ୍ରକାରର ଶାନ୍ତି’। ତେବେ ଏକ୍ସ ରେ କରିଥିବା ପୋଷ୍ଟ କେଉଁ ସନ୍ଦର୍ଭରେ ତାହା ବୁଝା ପଡୁ ନାହିଁ। ଏ ନେଇ ସେ ଏପର୍ଯ୍ୟନ୍ତ ବିସ୍ତାର ପୂର୍ବକ କିଛି ସୂଚିତ କରି ନାହାନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ ବରିଷ୍ଠ କଂଗ୍ରେସ ନେତାଙ୍କ ଏପରି ପୋଷ୍ଟ ସେହି ସମୟରେ ସାମ୍ନାକୁ ଆସୁଛି ଯେତେବେଳେ ଦେଶରେ ଏସଆଇଆର ଓ ସିଇସିଙ୍କୁ ନେଇ ହଟଚମଟ ଲାଗି ରହିଛି।

କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପରେ ଭୋଟ ଚୋରି, ନିର୍ବାଚନରେ ଅନିୟମିତତା ଆଦି ଆରୋପ ଲଗାଉଛନ୍ତି। କେବଳ ଏତିକି ନୁହେଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଲଗାତାର ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି। ଏଥିରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସିଇସିଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି। ଏଥିରେ ସିଇସିଙ୍କ ପାଇଁ ପ୍ରଥମ ବିକଳ୍ପ ହେଉଛି ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ସେହିପରି ଦ୍ୱିତୀୟ ବିକଳ୍ପଟି ହେଉଛି ସେ ଆପ୍ରୁଭର ହୋଇଯାଆନ୍ତୁ ଓ ଭୋଟ ଚୋରି ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ କରନ୍ତୁ।