ନୂଆଦିଲ୍ଲୀ ୦୧।୦୭; ପାକିସ୍ତାନର ଲାହୋରରେ ବଡ ଅଘଟଣ। ନିର୍ମାଣାଧୀନ କୋଠାରେ ପରିଚାଳିତ ହେଉଥିବା ଘରୋଇ ଟ୍ୟୁସନ୍ ସେଣ୍ଟରର ଭୁଶୁଡିଲା ଛାତ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମରେ ୧୪ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପାଞ୍ଚ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାହୋରର କାହ୍ନା ଜିଲ୍ଲାର ଇଦଗାହ ବସ୍ତି ଅଞ୍ଚଳରେ ଏହି ଘଟଣା ଘଟିଛି। ସାତରୁ ୧୩ ବର୍ଷ ବୟସର ପିଲାମାନେ କ୍ଲାସ୍‌ ରୁମ୍‌ରେ ବସିଥିବା ବେଳେ ଛାତ ଭୁଶୁଡ଼ି ପଡ଼ିଥିଲା। ସେମାନେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ। ଘଟଣା ପରେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦ ଜଣଙ୍କୁ ଭଗ୍ନାବଶେଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଆହତଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷୟିତ୍ରୀ ଥିବା ନେଇ ପୋଲିସ କହିଛି।

ଲାହୋର କମିସନର ମରିୟମ ଖାନ ୧୪ ଜଣଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଏବେ ଘଟଣାର ତଦନ୍ତ ଚାଲିଛି। ଦୁର୍ଘଟଣା ସମ୍ପର୍କରେ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେ କୋଠାଟି ଏକ ଘନ ଜନବହୁଳ ଆବାସିକ ଅଞ୍ଚଳରେ ଅବସ୍ଥିତ। ଲାହୋରର ଡିଆଇଜି ଅପରେସନ୍ସ ଫୈଜଲ କାମରାନ କହିଛନ୍ତି ଯେ ଭଗ୍ନାବଶେଷରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟ୍ୟୁସନ୍ ସେଣ୍ଟର ଥିବା କୋଠାର ଏକ ଅଂଶ ନିର୍ମାଣାଧୀନ ଥିଲା। ଛାତ ଭୁଶୁଡ଼ି ପଡ଼ିବା ସମୟରେ ଶ୍ରମିକମାନେ ସେଠାରେ କାମ କରୁଥିଲେ।  ଆମେ ଠିକାଦାରଙ୍କୁ ମଧ୍ୟ ଗିରଫ କରିଛୁ। 

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଘଟଣାକୁ ନେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ସରିଫ ଲାହୋରର କାହ୍ନା ଅଞ୍ଚଳରେ ଟ୍ୟୁସନ୍ ସେଣ୍ଟରର ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ମୂଲ୍ୟବାନ ଜୀବନ ହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସହାୟତା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ କୋଠା ଭୁଶୁଡ଼ିବା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପୋଲିସ ଏବଂ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।