ଲେହ: ଲଦ୍ଦାଖ ମାରାଥନ ପୁରସ୍କାର ରାଶିକୁ ୧ କୋଟି ଟଙ୍କା କରିଦିଆଯାଇଛି। ପୁରସ୍କାର ରାଶି ବୃଦ୍ଧି ନେଇ ଆୟୋଜକ ୮ ଅଗଷ୍ଟ ଶନିବାର ଘୋଷଣା କରିଛନ୍ତି। ଲଦ୍ଦାଖ ମାରାଥନ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ ଓ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗୀତାରେ ଚଳିତବର୍ଷ ଦେଶ ଓ ବିଦେଶର ପାଖାପାଖି ୧୦ ହଜାର ଧାବକ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ଆକଳନ କରିଛନ୍ତି। ଏ ନେଇ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଆୟୋଜକ କହିଛନ୍ତି ଯେ ‘ଚଳିତବର୍ଷ ଏହି ପ୍ରତିଯୋଗୀତାରେ ଭାରତର ୨୮ ରାଜ୍ୟ ଓ ୬ କେନ୍ଦ୍ର ଶାସିତ ପ୍ରଦେଶର ଧାବକ ଅଂଶଗ୍ରହଣ କରିବେ’।

ଆୟୋଜକଙ୍କ ଅନୁସାରେ କେବଳ ଦେଶ ନୁହେଁ ବିଶ୍ୱର ବିଭିନ୍ନ ଦେଶର ଧାବକ ନିଜନିଜ ଦେଶର ପ୍ରତିନିଧିତ୍ୱ ମଧ୍ୟ କରିବେ। କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ ସଞ୍ଜିତ ରୋଡ୍ରିଗସ କହିଛନ୍ତି ଯେ ‘ଲଦ୍ଦାଖ ଉପରାଜ୍ୟପାଳ ପୁରସ୍କାର ରାଶିକୁ ବଢାଇ ୧ କୋଟି ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଏହି ପ୍ରତିଯୋଗୀତାର ବୈଶ୍ୱିକ ପ୍ରତିଷ୍ଠାକୁ ମଜଭୁତ କରିବା, କ୍ରିଡା ପର୍ଯ୍ୟଟନକୁ ପ୍ରୋତ୍ସାହନ ହେବା ଓ ଖେଳାଳିଙ୍କ ଲାଗି ଅଧିକ ଅବସର ସୃଷ୍ଟି ଲାଗି ଆମ ସଂକଳ୍ପକୁ ଦର୍ଶାଉଛି’।

ଏହି ପ୍ରତିଯୋଗୀତାରେ ଫୁଲ ମାରାଥନ, ହାଫ ମାରାଥନ, ୧୧.୨କିମି ଦୌଡ, ୫ କିମି ଦୌଡ ଓ ‘ରନ ଫର ଫନ’ ସହିତ ବିଶ୍ୱର ୨ ଆହ୍ୱାନପୂର୍ଣ୍ଣ ଲଙ୍ଗରନ ’୭୨ କିଲୋମିଟର ଖାରଦୁଙ୍ଗ ଲା ଚ୍ୟାଲେଞ୍ଜ’ ଓ ୧୨୨ କିମି ସିଲ୍କ ରୁଟ ଅଲ୍ଟ୍ରା ମଧ୍ୟ ଅନୁଷ୍ଠିତ ହେବ। ଲଦ୍ଦାଖ ମାରାଥନ ଦୀର୍ଘ ବର୍ଷରୁ ଧାବକଙ୍କ ଲାଗି ଚ୍ୟାଲେଞ୍ଜ ରହି ଆସିଛି। ଏଥିରେ କେନ୍ଦ୍ର ଶାସିତ ପ୍ରଦେଶ ସରକାର ପୁରସ୍କାର ରାଶି ବୃଦ୍ଧି କରିବା ଧାବକଙ୍କ ମନବଳକୁ ବଢାଇବାରେ ବେଶ୍ ସହାୟକ ହୋଇପାରେ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ ରୋଡ୍ରିଗସ୍ କହିଛନ୍ତି।