ମୁମ୍ବାଇ: ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କୁକୁ କୋହଲିଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କ ବିୟୋଗ ନେଇ ଶାଳକ ବଲରାଜ ଇରାନୀ ସୂଚନା ଦେଇଛନ୍ତି। ୧୯୯୧ ମୁକ୍ତିଲାଭ କରିଥିବା ଫୁଲ୍ ଔର କାଣ୍ଟେରେ ଅଜୟ ଦେବଗନଙ୍କୁ ବ୍ରେକ୍ ଦେଇଥିଲେ କୁକୁ କୋହଲି।

ସୂଚନା ଅନୁସାରେ କୁକୁ କିଛି ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହାର୍ଟରେ ବ୍ଲକେଜ୍ ଥିବାରୁ ତାଙ୍କର ଷ୍ଟେଣ୍ଟ୍ ଲଗାଯାଇଥିଲା। ହେଲେ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ତାଙ୍କର ବଡ଼ ଧରଣର ହୃଦଘାତ ହୋଇଥିଲା। ବଲରାଜ ଇରାନୀ କହିଛନ୍ତି, "ସେ ସମ୍ପୂର୍ଣ୍ଣ ଠିକ୍ ଥିଲେ। ଆଜି ସନ୍ଧ୍ୟାରେ ହଠାତ୍ ତାଙ୍କର ବଡ଼ ହୃଦଘାତ ହେଲା। ସେ ଆମ ସହ କଥା ହେଉଥିଲେ ଏବଂ ହଠାତ୍ ତଳେ ପଡ଼ିଗଲେ।" ଗୁରୁବାର ଓଶିୱାରା ଶ୍ମଶାନରେ କୁକୁ କୋହଲିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଅଜୟ ଦେବଗନଙ୍କୁ ଦେଇଥିଲେ ବଡ଼ ବ୍ରେକ୍

କୁକୁ କୋହଲି ହିନ୍ଦୀ ସିନେମାରେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ। ୧୯୯୧ରେ ଫୁଲ୍ ଔର କାଣ୍ଟେ ମାଧ୍ୟମରେ ସେ ନିର୍ଦ୍ଦେଶକ ଭାବେ ନିଜର ସଫଳ ଯାତ୍ରା ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ମଧୁ, ଅମରିଶ ପୁରୀ, ଅରୁଣା ଇରାନୀ ଓ ଜଗଦୀପ ଅଭିନୟ କରିଥିଲେ।

ଏହାପରେ ସେ କୋହରାମ ନିର୍ଦ୍ଦେଶନା ଦେଇଥିଲେ। ୧୯୯୪ରେ ତାଙ୍କ ନିର୍ଦ୍ଦେଶିତ ସୁହାଗ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଥିଲା। ଏଥିରେ ଅଜୟ ଦେବଗନ, ଅକ୍ଷୟ କୁମାର, କରିସ୍ମା କପୁର ଓ ନଗମା ଅଭିନୟ କରିଥିଲେ। ଏହି ଫିଲ୍ମ ମାଧ୍ୟମରେ ଅଜୟ ଦେବଗନ ଓ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିଥିଲେ।

କୁକୁ କୋହଲିଙ୍କ ଅନ୍ୟ ପ୍ରମୁଖ ଫିଲ୍ମ ମଧ୍ୟରେ ହକୀକତ, ଜୁଲ୍ମୀ, ଅନାରୀ ନମ୍ବର ୧ ଓ ୟେ ଦିଲ୍ ଆଶିକାନା ରହିଛି। ତାଙ୍କ ଶେଷ ନିର୍ଦ୍ଦେଶିତ ଫିଲ୍ମ ଥିଲା ୱୋ ତେରା ନାମ ଥା।

ପରିବାରରେ ମଧ୍ୟ ଚଳଚ୍ଚିତ୍ର ସହ ସମ୍ପର୍କ

କୁକୁ କୋହଲି ଅଭିନେତ୍ରୀ ଅରୁଣା ଇରାନୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ରୀତା କୋହଲିଙ୍କଠାରୁ ତାଙ୍କର ଦୁଇ ଝିଅ-ପୂଜା କୋହଲି ଓ କରିସ୍ମା କୋହଲି ଅଛନ୍ତି। ପୂଜା ଜଣେ ଫିଲ୍ମ ପ୍ରଯୋଜକ ହୋଇଥିବାବେଳେ କରିସ୍ମା ଜଣେ ନିର୍ଦ୍ଦେଶକ। କରିସ୍ମା କୋହଲି ଏକ୍ ଥା ଟାଇଗର (୨୦୧୨) ଓ ବଜରଙ୍ଗୀ ଭାଇଜାନ (୨୦୧୫) ଭଳି ଫିଲ୍ମରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ପରେ ସେ ନେଟଫ୍ଲିକ୍ସର ଦ ଫେମ୍ ଗେମ୍ (୨୦୨୨) ସିରିଜ୍ର ସହ-ନିର୍ଦ୍ଦେଶନା ଦେଇଥିଲେ। ୨୦୨୫ରେ ସେ ଅଭିନେତା ମିଖାଇଲ୍ ୟାୱାଲକରଙ୍କୁ ବିବାହ କରିଥିଲେ।

ଶେଷ ଦିନରେ ଫିଲ୍ମ ରି-ରିଲିଜ୍କୁ ନେଇ ଥିଲେ ଉତ୍ସାହିତ

୨୦୦୨ରେ ମୁକ୍ତିଲାଭ କରିଥିବା କୁକୁ କୋହଲିଙ୍କ ୟେ ଦିଲ୍ ଆଶିକାନା ୨୦୨୬ ଜାନୁଆରୀରେ ପୁଣିଥରେ ସିନେମା ହଲ୍ରେ ରି-ରିଲିଜ୍ ହୋଇଥିଲା। ଏହାକୁ ନେଇ କୁକୁ କୋହଲି ବେଶ ଉତ୍ସାହିତ ଥିଲେ। ନୂଆ ପିଢ଼ିର ଦର୍ଶକମାନେ ସିନେମା ହଲ୍ରେ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ ବୋଲି ସେ ଖୁସି ଥିବା କହିଥିଲେ।

କୁକୁ କୋହଲିଙ୍କ ଦେହାନ୍ତ ସହ ହିନ୍ଦୀ ସିନେମା ଜଣେ ଅଭିଜ୍ଞ ନିର୍ଦ୍ଦେଶକଙ୍କୁ ହରାଇଛି। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଓ ଅଜୟ ଦେବଗନଙ୍କ କ୍ୟାରିୟରର ଆରମ୍ଭ ସହ ଜଡ଼ିତ ତାଙ୍କ ଅବଦାନ ସବୁଦିନ ପାଇଁ ମନେ ରଖିବେ ଅଜୟ।