ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ୧ ନଭେମ୍ବର ରବିବାର ରାଜଧାନୀ ଦିଲ୍ଲୀର ରାମଲିଳା ମୈଦାନରେ ଅନୁଷ୍ଠିତ ହୋଇଥିବା ଇଣ୍ଡି ମେଣ୍ଟ ରାଲିକୁ ନେଇ ନିର୍ଦ୍ଦଳୀୟ ସାଂସଦ ତଥା ବରିଷ୍ଠ ଆଡଭୋକେଟ କପିଲ ଶିବଲ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ ଗତକାଲି ରାମ ଲିଳା ମୈଦାନ ପହଞ୍ଚିବାକୁ ମୋତେ ପାଖାପାଖି ଦେଢ ଘଣ୍ଟା ଲାଗି ଯାଇଥିଲା। ସେଠାକୁ ପହଞ୍ଚିବା ପରେ ଦେଖିଲି ବାରିକେଡ ଲାଗିଛି, ଏହି ସବୁ ବାରିକେଡ ଏଥି ପାଇଁ ଥିଲା ଯେ ଲୋକଙ୍କ ପାଦ ପକାଇବାକୁ ଜାଗା ବି ନଥିଲା।

ଜନଗହଳିର ଉଲ୍ଲେଖ କରି ଶିବଲ କହିଛନ୍ତି ଯେ ମୁଁ ଆଦୌ ଆଗକୁ ଯାଇ ପାରୁନଥିଲି। ଏଥିରେ ମୋତେ ପୋଲିସ ମଧ୍ୟ ସହଯୋଗ କରି ପାରୁନଥିଲା। କାରଣ ବାରିକେଡ ଖୋଲିବା ମାତ୍ରେ ଜନଗହଳି ସେ ଆଡକୁ ଠେଲି ହୋଇଯିବ, ଏଣୁ ସୁରକ୍ଷାର କଣ ହେବ ବୋଲି ପୋଲିସ ପ୍ରଶ୍ନ କରୁଥିଲା। ତେବେ ମୋତେ ସେଠାରେ ୨୦ ମିନିଟ୍ ଅପେକ୍ଷା କରି ରହିବାକୁ ପଡିଥିଲା କାରଣ ମୁଁ ମଧ୍ୟ ସଭା ମଞ୍ଚକୁ ନିମନ୍ତ୍ରିତ ହୋଇଛି ଏହା ପୋଲିସକୁ ଜଣାଇବା ପାଇଁ। ତେବେ ମୁଁ ଆଗକୁ ଯିବା ଉଚିତ ହେବନି ଏହାବୁଝି ଯାଇଥିଲି। କାରଣ ପଡିଆରେ ଲକ୍ଷଲକ୍ଷ ଲୋକଙ୍କ ଗହଳି ଥିଲା। ମୋର ଯାହା ଅନୁମାନ ହେଉଛି ପ୍ରାୟ ୬ ଲକ୍ଷରୁ ଅଧିକ ଲୋକେ ରାମଲିଳା ମୈଦାନରେ ଠୁଳ ହୋଇଥିଲେ।

ଏଣୁ ମଞ୍ଚକୁ ପହଞ୍ଚିବାକୁ ଆଖପାଖରେ ରାସ୍ତା ଖୋଜୁଥିଲି। କନଟପ୍ଲେସ୍ ଲୋକରେ ଭରି ଯାଇଥିଲା। ଆଖପାଖ ଗଳି ରାସ୍ତା ମଧ୍ୟ ଗହଳିଥିଲା। ଯେଉଁ ଆଡେ ଅନାଇଲେ ମୁଣ୍ଡ ଆଉ ମୁଣ୍ଡ ମୋତେ ଖାଲି ରାସ୍ତା କିଛି ଦେଖା ଯାଉନଥିଲା। ଏହି ଅବସରରେ ଶିବଲ ବିଜେପିକୁ ଟାର୍ଗେଟ କରିଛନ୍ତି। କହିଛନ୍ତି କାଲି ଜାତୀୟ ରାଜଧାନୀରେ କଂଗ୍ରେସର ରାଲି ତାଙ୍କୁ ଚିନ୍ତାରେ ପକାଇ ଦେଇଛି। ଶୁଣୁଛି ବିଜେପି ‘ଗଣତନ୍ତ୍ର ବଞ୍ଚାଅ’ ରାଲି କରୁଛି। ତାଙ୍କ ଜାତୀୟ ସଭାପତି ୧୦୦-୨୦୦ ଲୋକଙ୍କୁ ଧରି ରୋହତକ ପହଞ୍ଚିଛନ୍ତି। ସେମାନଙ୍କୁ ମଧ୍ୟ ରାଲି କରିବା ଦରକାର, କାରଣ ଲୋକତନ୍ତ୍ର ନୁହେଁ ‘ଆମକୁ ବଞ୍ଚାଅ’ ରାଲି ସେମାନଙ୍କ ଲାଗି ଜରୁରି ହୋଇପଡିଛି। କୌଣସି ପ୍ରକାରେ ମଧ୍ୟ ଆମକୁ ବଞ୍ଚାଅ।

ଉଲ୍ଲେଖଯୋଗ୍ୟ ଯେ ରବିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ତୃଣ ମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ଏଆଇଏସଏ ନେତ୍ରୀ ନେହା ବୋରାଙ୍କ ସମେତ ଅନେକ ନେତା ଯୋଗ ଦେଇଥିଲେ। ବିରୋଧୀ ଦଳମାନେ ଏହି ରାଲିକୁ ସଫଳ ବୋଲି କହୁଛନ୍ତି। ଅପରପଟେ ଶାସକ ଦଳ ବିରୋଧୀଙ୍କ ଉପରେ ସାମ୍ବିଧାନିକ ସଂସ୍ଥାର ବିଶ୍ୱସନୀୟତା ହ୍ରାସ କରିବା ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିବାଦ ଛିଡା କରିବାର ଆରୋପ ଲଗାଉଛନ୍ତି।