କୋଲକାତା, ୦୩/୦୪ : ଲଗାତାର ପରାଜୟ । ହୋମ୍ ଗ୍ରାଉଣ୍ଡରେ ହାରିଲା କେକେଆର । କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଦ୍ୱିତୀୟ ପରାଜୟର ସାମ୍ନା କରିଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଥିବା କୋଲକାତା ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୬୫ ରନ୍ରେ ପରାଜିତ ହୋଇଛି ।

ହାଇଦ୍ରାବାଦର ବିଶାଳ ସ୍କୋର

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୮ ଓ୍ୱିକେଟ୍ ବିନିୟମରେ ୨୨୬ ରନ ସଂଗ୍ରହ କରିଥିଲା । ଜବାବରେ କୋଲକାତା ୧୬ ଓଭରରେ ୧୬୧ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନୀତିଶ କୁମାର ରେଡ୍ଡୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ଲଢୁଆ ବ୍ୟାଟିଂ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା କୋଲକାତା ପାଇଁ ମହଙ୍ଗା ପଡ଼ିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମା ଧୂଆଁଧାର ବ୍ୟାଟିଂ କରି ୩୩ଟି ବଲ୍ରେ ୮୨ ରନ ସଂଗ୍ରହ କରିଥିଲେ । କାର୍ତ୍ତିକ ତ୍ୟାଗୀ ଷଷ୍ଠ ଓଭରରେ ହେଡଙ୍କୁ ଆଉଟ୍ କରି ଘରୋଇ ଦଳକୁ ଆଶ୍ୱସ୍ତ କରିଥିଲେ । ହେଡ୍ ୨୧ଟି ବଲ୍ରୁ ୬ଚୌକା ଓ ୩ଛକା ବଳରେ ୪୬ ରନ କରିଥିଲେ । ପରବର୍ତ୍ତୀ ୩୬ ରନ ମଧ୍ୟରେ ହାଇଦ୍ରାବାଦ ଆଉ ୩ଟି ୱିକେଟ୍ ହରାଇଥିଲା । ଅଧିନାୟକ ଇଶାନ କିଷନ ୧୪ ରନ କରି ଆଉଟ୍ ହୋଇଥିବାବେଳେ ଅଭିଷେକ ୨୧ଟି ବଲ୍ରୁ ୪ ଚୌକା ଓ ୪ଛକା ବଳରେ ୪୮ ଓ ଅନିକେତ ବର୍ମା ୧ ରନ କରି ପାଭିଲିୟନ ଫେରିଥିଲେ । ୧୧୮ ରନ୍ରେ ୪ଟି ୱିକେଟ୍ର ପତନ ଘଟିଥିଲା । ଏହାପରେ ହେନରିଚ କ୍ଲାସେନ ଓ ନୀତିଶ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଉଭୟ ପଞ୍ଚମ ୱିକେଟ୍ରେ ୮୨ ରନ ଯୋଗ କରିବା ଫଳରେ ଦଳୀୟ ସ୍କୋର ୨୦୦ରେ ପହଞ୍ଚିଥିଲା ।

୧୯ତମ ଓଭରରେ ବୈଭବ ଆରୋରା ଯୋଡ଼ି ଭାଙ୍ଗିବା ସହ ୨ଟି ୱିକେଟ୍ ନେଇଥିଲେ । ନୀତିଶ ୩୯ ଓ ସଲିଲ ଆରୋରା କୌଣସି ରନ ନକରି ପାଭିଲିୟନ ଫେରିଥିଲେ । କ୍ଲାସେନ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ (୫୨) ଅର୍ଜନ କରିଥିଲେ । ପୂର୍ବରୁ ୨ଟି ୱିକେଟ୍ ନେଇ ସାରିଥିବା ବ୍ଲେସିଂ ମୁଜରବାନୀ ଅନ୍ତିମ ଓଭରରେ ଆଉ ୨ଟି ୱିକେଟ୍ ନେବା ଫଳରେ ହାଇଦ୍ରାବାଦ ଇନିଂସ ୮/୨୨୬ରେ ସୀମିତ ରହିଥିଲା ।

ଚେଜ୍ କରିପାରିଲାନି କେକେଆର

୨୨୭ ରନର ବିଶାଳ ଲକ୍ଷ୍ୟ ସହଜ ନଥିଲା । ଅବଶ୍ୟ ଫିନ ଆଲେନ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦ୍ୱିତୀୟ ଓଭରରେ ହର୍ଷ ଦୁବେଙ୍କୁ ବୋଲିଂ କରାଇ କିଷନ ଏକ ଚତୁର ଚାଲ ଖେଳି ସଫଳ ହୋଇଥିଲେ । ସେ ଆଲେନ (୨୮, ୪ଚୌକା, ୨ଛକା)ଙ୍କୁ ଆଉଟ୍ କରିଥିଲେ । ପରେ ପରେ ଅଜିଙ୍କ୍ୟ ରାହାଣେ ୮ ଓ କାମେରନ ଗ୍ରୀନ ୨ ରନ କରି ବିଦାୟ ନେଇଥିଲେ । ଦ୍ୱିତୀୟ ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଅଙ୍ଗକ୍ରିସ୍ ରଘୁବଂଶୀ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଅନ୍ୟ ପଟରେ ରିଙ୍କୁ ସିଂହ ତାଙ୍କୁ ସହାୟତା କରିଥିଲେ । ଉଭୟ ୪୬ ରନ୍ର ଭାଗିଦରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୨୦ରେ ପହଞ୍ଚିଥିଲା । ରିଙ୍କୁ ୩୫ ରନ କରି ଆଉଟ୍ ହେବା ପରେ କେକେଆରର ପରାଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଦଳ ୪ଓଭର ବାକି ଥାଇ ୧୬୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା ।