ନୂଆଦିଲ୍ଲୀ: ଆଇପିଏଲ-୨୦୨୬ ମିନି ଅକ୍ସନରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କା ବର୍ଷା। ନିଲାମୀ ଯୁଦ୍ଧରେ ଶେଷରେ ବାଜି ମାରିଛି କେକେଆର। ଗ୍ରୀନକୁ ରେକର୍ଡ ୨୫.୨୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି କୋଲକାତା। ଏଥିସହ ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି।

ସେହିପରି ମୋଟ ଉପରେ ସେ ଆଇପିଏଲ ଇତିହାସର ତୃତୀୟ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କ ଉପରେ ଋଷଭ ପନ୍ତ(୨୭ କୋଟି) ଓ ଶ୍ରେୟସ ଆୟର(୨୫.୨୦ କୋଟି ରହିଛନ୍ତି। ଗ୍ରୀନଙ୍କ ପୂର୍ବରୁ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ଥିଲା। ତାଙ୍କୁ କୋଲକାତା ୨୦୨୪ରେ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ଏବେ ଗ୍ରୀନ ତାଙ୍କୁ ଅତିକ୍ରମ କରି ଯାଇଛନ୍ତି।

ବେସ୍‌ ପ୍ରାଇସ ୨ କୋଟି ଟଙ୍କା କ୍ଲବରେ ଥିଲେ ଗ୍ରୀନ। ତାଙ୍କୁ(Cameron Green) ନେବା ପାଇଁ ମୁମ୍ବାଇ ବିଡ ଆରମ୍ଭ କରିଥିଲେ। ଏହାପରେ କିନ୍ତୁ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ବିଡ ୱାର ଦେଖା ଯାଇଥିଲା। ତେବେ ୧୩.୪୦ କୋଟିରେ ବିଡ ପଞ୍ଚିବା ପରେ ରେସରୁ ଓହରି ଯାଇଥିଲା ରାଜସ୍ଥାନ।

ଏହାପରେ କୋଲକାତା ଓ ଚେନ୍ନାଇ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। କୋଲକାତା ୬୪ କୋଟି ଟଙ୍କା ଓ ଚେନ୍ନାଇ ୪୩ କୋଟି ଟଙ୍କା ସହ ମିନି ଅକ୍ସନକୁ ଆସିଥିବାରୁ ଦୁଇ ପ୍ରାଞ୍ଚାଇଜ ଗ୍ରୀନକୁ ନେବାକୁ ବେଶ ଆଗ୍ରହ ଦେଖାଇଥିଲେ। ଶେଷରେ କୋଲକାତା ରେକର୍ଡ ୨୫.୨୦ କୋଟି ଟଙ୍କାରେ ଗ୍ରୀନକୁ କିଣିଛି।