ଲଣ୍ଡନ: ବ୍ରିଟିଶ ରାଜତନ୍ତ୍ର ଇତିହାସରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଶତାବ୍ଦୀର ପରମ୍ପରାକୁ ଭାଙ୍ଗି ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସ ତୃତୀୟ ଏବଂ ରାଣୀ କାମିଲା ଆଉ 'ବକିଙ୍ଘମ ପ୍ୟାଲେସ'ରେ ରହିବେ ନାହିଁ । ଅଧିକାରୀମାନେ କହିଛନ୍ତି, ପ୍ୟାଲେସର ୧୦ ବର୍ଷର ନବୀକରଣ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଶେଷ ହେବା ପରେ ରାଜା ସେଠାରେ ଆଉ ରହିବେ ନାହିଁ ।

ବକିଙ୍ଘମ ପ୍ୟାଲେସରେ ଦୀର୍ଘ ଦିନ ଧରି ମରାମତି ଓ ନବୀକରଣ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଥିଲେ ମଧ୍ୟ ରାଜା ସେଠାକୁ ସ୍ଥାନାନ୍ତରିତ ହେବାକୁ ମନା କରିଦେଇଛନ୍ତି । ସେ ବର୍ତ୍ତମାନ ରହୁଥିବା 'କ୍ଲାରେନ୍ସ ହାଉସ'କୁ ହିଁ ନିଜର ସ୍ଥାୟୀ ବାସଭବନ ଭାବେ ବ୍ୟବହାର କରିବେ । ୧୮୩୭ ମସିହାରେ ରାଣୀ ଭିକ୍ଟୋରିଆଙ୍କ ରାଜୁତି ଠାରୁ, ବକିଙ୍ଘମ ପ୍ୟାଲେସ ପ୍ରାୟ ଦୁଇ ଶତାବ୍ଦୀ ଧରି ବ୍ରିଟିଶ ରାଜାଙ୍କ ବାସସ୍ଥାନ ହୋଇଆସିଛି । ୭୭୫ କୋଠରୀ ବିଶିଷ୍ଟ ଏହି ପ୍ରାସାଦ କେବଳ ରାଜାଙ୍କ ସରକାରୀ ବାସଭବନ ନୁହେଁ ବରଂ ପ୍ରଶାସନିକ କାର୍ଯ୍ୟାଳୟ ମଧ୍ୟ ରହିଥିଲା ।ତେବେ ବକିଙ୍ଘମ ପ୍ୟାଲେସ ପୂର୍ବଭଳି ରାଜତନ୍ତ୍ରର ମୁଖ୍ୟ କାର୍ଯ୍ୟାଳୟ ହୋଇ ରହିବ । ଏହାକୁ କେବଳ ସରକାରୀ ଉତ୍ସବ ଓ ବିଦେଶୀ ଅତିଥିମାନଙ୍କ ସ୍ୱାଗତ ପାଇଁ ବ୍ୟବହାର କରାଯିବ । ସାଧାରଣ ଜନତା ଏବଂ ପର୍ଯ୍ୟଟକଙ୍କ ପାଇଁ ଏହି ଐତିହାସିକ ପ୍ରାସାଦକୁ ଅଧିକ ଖୋଲାଯିବାର ଯୋଜନା ମଧ୍ୟ ରହିଛି ।

ଅନ୍ୟ ଏକ ଐତିହାସିକ ପଦକ୍ଷେପରେ, କିଙ୍ଗ୍ ଚାର୍ଲ୍ସ ଆସନ ଗ୍ରହଣ କରିବା ପରଠାରୁ ନିଜର ଆୟ ଓ ସମ୍ପତ୍ତି ଉପରେ ଦେଇଥିବା ଟ୍ୟାକ୍ସର ହିସାବ ସାର୍ବଜନୀନ କରିଛନ୍ତି । ସେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୩୦ ମିଲିୟନ ପାଉଣ୍ଡରୁ ଅଧିକ ପର୍ସନାଲ୍ ଟ୍ୟାକ୍ସ ଦେଇଛନ୍ତି । କେବଳ ଗତ ଆର୍ଥିକ ବର୍ଷରେ ୧୨.୯ ମିଲିୟନ ପାଉଣ୍ଡ ଟ୍ୟାକ୍ସ ଦେଇ ସେ ବ୍ରିଟେନର ଶୀର୍ଷ ୧୦୦ ଜଣ ଟିକସଦାତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ଆଇନ ଅନୁଯାୟୀ ରାଜାଙ୍କ ପାଇଁ ଆୟକର ଦେବା ବାଧ୍ୟତାମୂଳକ ନୁହେଁ । ତଥାପି ରାଜପରିବାରର ଖର୍ଚ୍ଚକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚାଲିଥିବା ସମାଲୋଚନାର ଅନ୍ତ କରିବା ପାଇଁ ସେ ନିଜ ଇଚ୍ଛାରେ ଏହି ଟ୍ୟାକ୍ସ ଦେଇଛନ୍ତି । ରାଜପରିବାରରେ ଆର୍ଥିକ ସ୍ୱଚ୍ଛତା ଆଣିବା ପାଇଁ ରାଜା ଚାର୍ଲ୍ସଙ୍କର ଏହି ନିଷ୍ପତ୍ତିକୁ ବ୍ରିଟେନ ଗଣମାଧ୍ୟମରେ ବେଶ ପ୍ରଶଂସା କରାଯାଉଛି ।