ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଅନେକ ଅଭିଭାବକ ପିଲାଙ୍କୁ ଖାଦ୍ୟ ଖୁଆଇବା ବେଳେ ମୋବାଇଲ୍ ଫୋନ୍ କିମ୍ବା କାର୍ଟୁନ୍ ଦେଖାଇଥାନ୍ତି। ଫୋନ୍ ନ ଦେଖିଲେ ପିଲା ଖାଉନି ବୋଲି ସେମାନେ ଅଭିଯୋଗ ବି କରିଥାନ୍ତି। ମୋବାଇଲ ଚଲାଇ କିମ୍ବା ଟିଭିରେ କାର୍ଟୁନ ଦେଖି ପିଲା ଦୃଷ୍ଟାମୀ ନ କରି ସହଜରେ ଖାଇ ଦେଉଛି ସତ, ହେଲେ ଏହାର ଗମ୍ଭୀର ଶାରିରୀକ ପରିଣାମ ପିଲା ଉପରେ ପଡ଼ୁଛି। ଦୀର୍ଘଦିନ ଧରି ଏଭଳି ଅଭ୍ୟାସ ପିଲାର ସ୍ୱାସ୍ଥ୍ୟ, ବିଶେଷକରି ପାଚନତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଶିଶୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ଅଭ୍ୟାସ ପିଲାଙ୍କ ମଧ୍ୟରେ କୋଷ୍ଠକାଠିନ୍ୟ (Constipation) ସମସ୍ୟାର ସୃଷ୍ଟି କରିପାରେ।

ଖାଇବାର ସ୍ୱାଦ ଗନ୍ଧ ଓ ପରିମାଣ ଜାଣିପାରେ ନା ପିଲା

ଖାଇବା ସମୟରେ ପିଲାର ଧ୍ୟାନ ଯଦି ମୋବାଇଲ୍ ସ୍କ୍ରିନରେ ରହେ, ତେବେ ସେ ଖାଦ୍ୟର ସ୍ୱାଦ, ଗନ୍ଧ ଓ ପେଟ ଭରିବାର ସଙ୍କେତକୁ ଅନୁଭବ କରିପାରେ ନାହିଁ। ଫଳରେ ସେ ଆବଶ୍ୟକତାଠାରୁ ଅଧିକ କିମ୍ବା କମ୍ ଖାଇପାରେ, ଯାହା ପାଚନ ପ୍ରକ୍ରିୟାକୁ ବାଧା ଦେଇପାରେ। ଖାଦ୍ୟକୁ ମଜା ନେଇ ଖାଇବା ଦରକାର। ଯାହାଦ୍ୱାରା ପାଚନ ତନ୍ତ୍ର ଭଲ କାମ କରିଥାଏ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, କୋଷ୍ଠକାଠିନ୍ୟର ପ୍ରମୁଖ କାରଣ ହେଉଛି ଫାଇବର୍ଯୁକ୍ତ ଖାଦ୍ୟର ଅଭାବ, କମ୍ ପାଣି ପିଇବା, ଶାରୀରିକ ପରିଶ୍ରମ କମ୍ ରହିବା ଏବଂ ଭୁଲ ଖାଇବା ଅଭ୍ୟାସ ଦ୍ୱାରା କୋଷ୍ଟକାଠିନ୍ୟ ମସସ୍ୟା ହୋଇଥାଏ। ମୋବାଇଲ୍ ଦେଖି ଖାଇବା ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ।

ଟିଭି କିମ୍ବା ମୋବାଇଲ ଦେଖି ଖାଇବା ଦ୍ୱାରା ପିତାମାତା ପିଲାମାନଙ୍କର ଭୋକ ମାପି ପାରନ୍ତି ନାହିଁ। ତେଣୁ ଖାଦ୍ୟରେ କମ ବେଶି ବି ହୋଇପାରେ। ଏହା ପିଲାମାନଙ୍କ ମଧ୍ୟରେ ମେଦବହୁଳତା, ପୁଷ୍ଟିକର ଅଭାବ ଏବଂ ପାଚନ ସମସ୍ୟାର କାରଣ ହୋଇପାରେ। ଛୋଟ ବୟସରୁ ପିଲା ସ୍କ୍ରିନ୍ ଦେଖି ଖାଇବା, ଶୋଇବା ଆଦି କରିବା ଦ୍ୱାରା ଏହା ସେମାନଙ୍କ ଚରିତ୍ର ବିକାଶ, ଆଚରଣ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।
Also Read- ହାର୍ଟ ପାଇଁ ଅଣ୍ଡା କ୍ଷତିକାରକ ନା ଏହାକୁ ନେଇ ରହିଛି ଭୁଲ ଧାରଣା ?

ଅଧିକ ସମୟ ସ୍କ୍ରିନ ଟାଇମ ରହିବା ଦ୍ୱାରା ପିଲାମାନଙ୍କର କଥାବାର୍ତ୍ତା କରିବାର ଶୈଳୀ ରୁଗ୍ଣ ହୋଇଯାଏ। ଏହା ସେମାନଙ୍କର ସାମାଜିକ ଦକ୍ଷତା ଏବଂ ବାକ୍ ବିକାଶକୁ ମଧ୍ୟ ପ୍ରଭାବିତ କରିପାରେ। ଆଖିପତା କ୍ଳାନ୍ତ ଦେଖାଯିବା, ଦୃଷ୍ଟିଶକ୍ତି ହ୍ରାସ, ମୁଣ୍ଡବିନ୍ଧା ଏବଂ ନିଦ୍ରାହୀନତା ଭଳି ସାଇଡ ଇଫେକ୍ଟ ମଧ୍ୟ ରହିଛି। କେବଳ ସେତିକି ନୁହେଁ, ପାଠପଢ଼ାରେ ପିଲା ପଛରେ ପଡ଼ିଯିବା ସହ ଭାଷାଗତ ଦକ୍ଷତା ଶିଖିପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅଭିଭାବକମାନେ କ'ଣ କରିବେ?

ଖାଇବା ସମୟରେ ମୋବାଇଲ୍, ଟିଭି କିମ୍ବା ଅନ୍ୟ କୌଣସି ସ୍କ୍ରିନ୍ ବ୍ୟବହାର ନକରନ୍ତୁ।
ପରିବାର ସହ ବସି ଖାଇବାର ଅଭ୍ୟାସ କରାନ୍ତୁ ଏବଂ ପିଲାଙ୍କ ସହ କଥାବାର୍ତ୍ତା କରନ୍ତୁ।
ପିଲାଙ୍କ ଖାଦ୍ୟରେ ଫଳ, ପନିପରିବା, ଶସ୍ୟ ଓ ଫାଇବରଯୁକ୍ତ ଖାଦ୍ୟ ରଖନ୍ତୁ।
ପ୍ରଚୁର ପାଣି ପିଇବା ଓ ପ୍ରତିଦିନ ଖେଳକୁଦ କିମ୍ବା ଶାରୀରିକ କ୍ରିୟାକଳାପ ପାଇଁ ଉତ୍ସାହିତ କରନ୍ତୁ।

ଏ ଦିଗରେ ଡାକ୍ତଙ୍କ ପରାମର୍ଶ ହେଉଛି, ପିଲାଙ୍କୁ ଖାଇବା ଖୁଆଇବା ପାଇଁ ମୋବାଇଲ୍କୁ ଅଭ୍ୟାସରେ ପରିଣତ କରନ୍ତୁ ନାହିଁ। ଏହା କେବଳ କୋଷ୍ଠକାଠିନ୍ୟ ନୁହେଁ, ବରଂ ପିଲାମାନଙ୍କ ମଧ୍ୟରେ ସ୍କ୍ରିନ୍ ନିର୍ଭରଶୀଳତା ବଢାଇବ। ପିଲାମାନଙ୍କର ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ଓ ସ୍ମରଣ ଶକ୍ତି କମାଇବା ସହିତ ସୁସ୍ଥ ଖାଦ୍ୟାଭ୍ୟାସରେ ବାଧା ସୃଷ୍ଟି କରିବ।