ମୁମ୍ଵାଇ ୦୫।୧୦; ପ୍ରାୟ ଦୁଇ ମାସ ଧରି ଚାଲିଥିବା ରୋମାଞ୍ଚ, ରିସ୍କ୍ ଓ ଜବରଦସ୍ତ ଷ୍ଟଣ୍ଟର ଶୋ ଶେଷ ହୋଇଛି। ସାମ୍ନାକୁ ଆସିଛି ‘ଖତରୋଁ କେ ଖିଲାଡି ୧୫’ର ବିଜେତାଙ୍କ ନାଁ। ରୋହିତ୍ ଶେଟ୍ଟୀଙ୍କ ଏହି ଷ୍ଟଣ୍ଟ୍-ବେସ୍ଡ ରିଅଲିଟି ଶୋ’ର ଟ୍ରଫି ନିଜ ନାଁରେ କରିଛନ୍ତି ଟିଭି ଅଭିନେତା ଅବିନାଶ ମିଶ୍ରା। ଅକ୍ଟୋବର ୪ ତାରିଖର ଫାଇନାଲରେ ଅବିନାଶଙ୍କ ନାଁ ଘୋଷଣା ହେବା ପରେ ଖୁସିରେ ଝୁମି ଉଠିଥିଲେ ଅନ୍ୟ ପ୍ରତିଯୋଗୀ। ଟ୍ରଫି ସହ ଅବିନାଶଙ୍କୁ ମିଳିଛି ୨୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଏବଂ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର୍।

ଫାଇନାଲ ଷ୍ଟଣ୍ଟରେ ସବୁଠାରୁ କମ୍ ସମୟ ନେଇ ଅବିନାଶ ବାଜି ମାରିଥିଲେ। ତାଙ୍କ ସହ ଟ୍ରଫି ପାଇଁ ଜୋରଦାର ଟକ୍କର ଦେଇଥିଲେ ରିତ୍ୱିକ୍ ଧନଜାନି ଏବଂ ଓରି। ଶେଷରେ ରିତ୍ୱିକ୍ ଧନଜାନି ହୋଇଛନ୍ତି ରନର୍-ଅପ୍। ଆଉ ଫାଇନାଲର ଦୌଡ଼ରୁ ଓରି ବାଦ୍ ପଡ଼ିବା ପରେ ମୁକାବିଲା ଆହୁରି ରୋମାଞ୍ଚକର ହୋଇଥିଲା।

ଟପ୍-୫ ଫାଇନାଲିଷ୍ଟଙ୍କ ମଧ୍ୟରେ ଅବିନାଶ ମିଶ୍ରା, ରିତ୍ୱିକ୍ ଧନଜାନି ଓ ଓରିଙ୍କ ବ୍ୟତୀତ ଫରହାନା ଭଟ୍ଟ ଏବଂ କରଣ ୱାହି ମଧ୍ୟ ସାମିଲ ଥିଲେ। ଏହି ସିଜିନ୍ରେ ଗୌରବ ଖାନ୍ନା, ରୁବିନା ଦିଲାଇକ୍, ଜାସ୍ମିନ୍ ଭାସିନଙ ସମେତ ଅନେକ ପ୍ରତିଯୋଗୀ ମଧ୍ୟ ନିଜର ଷ୍ଟଣ୍ଟ୍ ଓ ସାହସର ପରିଚୟ ଦେଇଥିଲେ। ତେବେ ଶେଷରେ ସମସ୍ତଙ୍କୁ ପଛରେ ପକାଇ ‘ଖତରୋଁ କେ ଖିଲାଡି ୧୫’ର ଚାମ୍ପିଅନ୍ ହୋଇଛନ୍ତି ଅବିନାଶ ମିଶ୍ର। ଟ୍ରଫି ସହ ୨୦ ଲକ୍ଷ ଟଙ୍କା ଏବଂ ସ୍ୱିଫ୍ଟ କାର୍ ଜିତି ଅବିନାଶ ଏବେ ଚର୍ଚ୍ଚାରେ।