ନୂଆଦିଲ୍ଲୀ: ଚଳିକ ବର୍ଷ 'ଏଲ୍ ନିନୋ' ପ୍ରଭାବ ଯୋଗୁଁ ଦୁର୍ବଳ ମୌସୁମୀ ହେବ ବୋଲି ପୂର୍ବାନୁମାନ କରାଯାଉଛି । ପାଣିପାଗ ବୈଜ୍ଞାନିକମାନେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ପ୍ରକାଶ କରିଛନ୍ତି । ଖରିଫ ଋତୁ ପୂର୍ବରୁ କମ୍ ବର୍ଷା ଖବର ଆସିବା ପରେ ଆଶଙ୍କା କରାଯାଉଥିଲା ଯେ ଏବର୍ଷ ଚାଷ କ୍ଷେତ୍ର କମିପାରେ । ହେଲେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ, ଦେଶର ଚାଷୀଙ୍କ ଉପରେ ଏଲ୍ ନିନୋ ଆଶଙ୍କାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।

ଗତ ବର୍ଷ ଅପେକ୍ଷା ଅଧିକ ବୁଣାବୁଣି 

ଦୁର୍ବଳ ମୌସୁମୀ ଆଶଙ୍କା ସତ୍ତ୍ୱେ ଚାଷୀମାନେ ଖରିଫ ଫସଲ ବୁଣିବାରେ ପଛଘୁଞ୍ଚା ଦେଇନାହାନ୍ତି । ସରକାରୀ ସୂଚନା ଅନୁସାରେ, ଜୁନ୍ ୧୯ ସୁଦ୍ଧା ୧୧୯.୯୦ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇସାରିଛି । ଏହା ଗତ ବର୍ଷ ସମାନରେ ଏହି ସଂଖ୍ୟା ୧୧୭.୯୫ ଲକ୍ଷ ହେକ୍ଟର ଥିଲା । ଚଳିତ ଖରିଫ ଋତୁରେ ଗତ ବର୍ଷ ତୁଳନାରେ ଚାଷ କ୍ଷେତ୍ରରେ ୧.୭ ପ୍ରତିଶତ ବଢିଛି । ଅଧିକାଂଶ ଫସଲର ବୁଣାବୁଣି ଗତ ବର୍ଷ ଅପେକ୍ଷା ଅଧିକ ହୋଇଛି ।

କେଉଁ ଫସଲର ଚାଷ ବଢ଼ିଛି ?

ଡାଲି ଏବଂ ତୈଳବୀଜ କ୍ଷେତ୍ରରେ ବିଦେଶୀ ଆମଦାନୀ ହ୍ରାସ କରିବା ପାଇଁ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି । 'ବିଜନେସଲାଇନ' ରିପୋର୍ଟ ଅନୁଯାୟୀ, ଖରିଫ ଋତୁର ମୁଖ୍ୟ ଫସଲ ଧାନ ଚାଷ ଗତ ବର୍ଷର ୮.୦୯ ଲକ୍ଷ ହେକ୍ଟର ତୁଳନାରେ ଏଥର ୧୨.୩୬ ଲକ୍ଷ ହେକ୍ଟରରେ କରାଯାଇଛି । ସେହିପରି ଡାଲି ଜାତୀୟ ଫସଲର କ୍ଷେତ୍ରଫଳ ୬.୩୯ ଲକ୍ଷ ହେକ୍ଟରରୁ ବୃଦ୍ଧି ପାଇ ୭.୨୧ ଲକ୍ଷ ହେକ୍ଟରରେ ପହଞ୍ଚିଛି । ତେବେ ତୈଳବୀଜ ଚାଷ କ୍ଷେତ୍ର ୮.୧୧ ଲକ୍ଷ ହେକ୍ଟରରୁ କମି ୭.୨୪ ଲକ୍ଷ ହେକ୍ଟର ରହିଛି।

କେଉଁ ଫସଲର ଚାଷ କମିଛି ?

ଦୁର୍ବଳ ମୌସୁମୀ ପୂର୍ବାନୁମାନ ଭିତରେ କେତେକ ନିର୍ଦ୍ଦିଷ୍ଟ ଫସଲର ଚାଷ କମିଥିବା ମଧ୍ୟ ଦେଖାଯାଇଛି । ଏଥିରେ ସୋୟାବିନ୍, କପା ଏବଂ ହରଡ଼ ରହିଛି । ଏପର୍ଯ୍ୟନ୍ତ କପା ଚାଷ କ୍ଷେତ୍ର ୨୫ ପ୍ରତିଶତ ହ୍ରାସ ପାଇ ୧୭.୧୩ ଲକ୍ଷ ହେକ୍ଟର ରହିଛି, ସେହିପରି ସୋୟାବିନ୍ ଚାଷ ୨.୫୦ ଲକ୍ଷ ହେକ୍ଟରରୁ କମି ୧.୩୦ ଲକ୍ଷ ହେକ୍ଟର ହୋଇଛି । ବିରି (କଳା ବିରି) ଚାଷ ମଧ୍ୟ ୦.୯୮ ଲକ୍ଷ ହେକ୍ଟରରୁ ହ୍ରାସ ପାଇ ୦.୬୨ ଲକ୍ଷ ହେକ୍ଟରକୁ ଖସି ଆସିଛି ।

ଡାଲି ଜାତୀୟ ଫସଲରେ ବଢ଼ିଛି

ଡାଲି ଜାତୀୟ ଫସଲ ମଧ୍ୟରେ, ହରଡ଼ ଚାଷ ୧.୫୯ ଲକ୍ଷ ହେକ୍ଟରରୁ ବଢ଼ି ୧.୬୧ ଲକ୍ଷ ହେକ୍ଟର ହୋଇଛି । ମୁଗ ଚାଷ ୪.୦୮ ଲକ୍ଷ ହେକ୍ଟରରେ ହୋଇଛି, ଯାହା ପୂର୍ବ ୨.୮୬ ଲକ୍ଷ ହେକ୍ଟର ପାଖାପାଖି ଥିଲା । ଚିନାବାଦାମ ଚାଷ କ୍ଷେତ୍ର ମଧ୍ୟ ୫.୨୫ ଲକ୍ଷ ହେକ୍ଟରରେ ପହଞ୍ଚିଛି, ଯାହା ଗତ ବର୍ଷ ଏହି ସମୟ ସୁଦ୍ଧା ୫.୦୯ ଲକ୍ଷ ହେକ୍ଟର ଥିଲା ।