ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ଗୋହତ୍ୟା ଓ ଗୋମାଂସ ବିକ୍ରୟ ଅଭିଯୋଗରେ କମିଶନରେଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଖଣ୍ଡଗିରି ଥାନା ପୋଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ୧୫ କିଲୋ ଗୋମାଂସ।

ସୂଚନା ଅନୁସାରେ, ଯଦୁପୁର ଅଞ୍ଚଳରେ ବେଆଇନ ଭାବେ ଗୋହତ୍ୟା କରାଯାଇ ଗୋମାଂସ ବିକ୍ରୟ ହେଉଥିବା ନେଇ ପୋଲିସକୁ ନିର୍ଭରଯୋଗ୍ୟ ସୂଚନା ପାଇ, ଏଏସଆଇ ଖିରୋଦ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ଜଦୁପୁର ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରେ କିସୁ ଓରଫ ଇସ୍ରାହିଲ ଖାନ, ଆଜିମ ଉଦ୍ଦିନ ଏବଂ ଅନ୍ୟ ଜଣେ ସହଯୋଗୀ ଠିଆ ଥିବାବେଳେ ପୋଲିସକୁ ଦେଖି ଫେରାର ହେବାକୁ ଉଦ୍ୟମ କରିଥିଲେ।

ତେବେ ପୋଲିସ କିସୁ ଓରଫ ଇସ୍ରାହିଲ ଖାନ ଓ ଆଜିମ ଉଦ୍ଦିନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ବେଆଇନ ଭାବେ ଗୋହତ୍ୟା କରି ଗୋମାଂସ ବିକ୍ରୟ କରୁଥିବା ସ୍ୱୀକାର କରିଥିବା ସୂଚନା ମିଳିଛି। ତଲାସୀ ସମୟରେ ଘର ବାହାରେ ଥିବା ଏକ କଣ୍ଟେନର ଫ୍ରିଜରୁ ୧୫ କିଲୋ ସନ୍ଦିଗ୍ଧ ଗୋମାଂସ ଜବତ କରାଯାଇଥିଲା।

ଜବତ ପ୍ରକ୍ରିୟା ସମୟରେ ଅଭିଯୁକ୍ତମାନେ ପୋଲିସର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି। ଜବତ ମାଂସର ନମୁନା ବୈଜ୍ଞାନିକ ପରୀକ୍ଷା ପାଇଁ ପଶୁ ଚିକିତ୍ସା ବିଭାଗକୁ ପଠାଯାଇଥିବା ବେଳେ, ଫେରାର ମାରିଥିବା ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।