ତିରୁଅନନ୍ତପୁରମ: ପ୍ରାୟ ୩୦ ବର୍ଷ ଧରି ପୋଲିସ ଜଣେ ବ୍ୟକ୍ତିଙ୍କୁ ଖୋଜୁଥିଲା । କିନ୍ତୁ ସେ ବେଶୀ ସମୟ ଗୋଟିଏ ପରିଚୟରେ ରହୁ ନ ଥିଲା । ସାମ୍ ଆଣ୍ଟୋନି, ସାମ୍ ପିଟର, ରାହୁଲ ପିଟର, ଡାନି ଥରକ୍କନ୍, ରାଜେଶ ରୋବିନ୍ସନ୍, ଆଣ୍ଟୋନି ଫ୍ରାନ୍ସିସ୍, ନାଁ ଅନେକ ଲୋକ ଜଣେ । ପୋଲିସ ପାଖରେ ଏହି ୫ଟି ନାଁର ସୂଚନା ଅଛି, କିନ୍ତୁ ଏହାଠାରୁ ଅଧିକ ବି ହୋଇପାରେ । କେରଳର ଏହି ୬୪ ବର୍ଷୀୟ ବ୍ୟକ୍ତି କେବଳ ନିଜର ନାଁ ବଦଳାଉ ନଥିଲେ, ବରଂ ଭିନ୍ନ ଭିନ୍ନ ସମୟରେ ନିଜର ପେଷା, ରହିବା ସ୍ଥାନ ସହ ନିଜ ପୂରା ପରିଚୟ ବଦଳାଉଥିଲା ।

କେତେବେଳେ ସେ ଜାତୀୟ ତଦନ୍ତକାରୀ ସଂସ୍ଥାର ଜଣେ ଅଫିସର ତ ଆଉ କେତେବେଳେ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗର ଅଧିକାରୀ ଭାବେ ନିଜକୁ ପରିଚୟ ଦେଉଥିଲେ । ପୋଲିସର କହିବା ଅନୁଯାୟୀ, ବର୍ତ୍ତମାନ ସେ ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋର ଜଣେ "ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ" ଡାନିଏଲ୍ ଥାରାକନ୍ ଭାବରେ ରହୁଥିଲେ ।

'ଦି ଇଣ୍ଡିଆନ୍ ଏକ୍ସପ୍ରେସ୍' ରିପୋର୍ଟ ଅନୁଯାୟୀ, ଏହି ସବୁ ପରିଚୟକୁ ସତ ପ୍ରମାଣିତ କରିବା ପାଇଁ ସେ ନକଲି ପାସପୋର୍ଟ, ଆଧାର କାର୍ଡ ଏବଂ ପାନ୍ କାର୍ଡ ସାଥୀରେ ରଖୁଥିଲା । ପ୍ରାୟ ତିନି ଦଶନ୍ଧି ଧରି ତଦନ୍ତକାରୀଙ୍କ ଆଖିରେ ଧୂଳି ଦେବା ପରେ, ସେପ୍ଟେମ୍ବର ୧ ତାରିଖରେ ମାଙ୍ଗାଲୁରୁ ସିଟି ପୋଲିସ ଦ୍ୱାରା କେରଳର କନ୍ନୁରରୁ ଆଣ୍ଟୋନିଙ୍କୁ ଗିରଫ କରାଯାଇଛି । ପୋଲିସ ପାଖରେ ଏବେ ବିଭିନ୍ନ ରାଜ୍ୟରେ ତାଙ୍କ ନାଁରେ ଜଡ଼ିତ ପ୍ରାୟ ୧୭ଟି ମାମଲାର ତାଲିକା ଅଛି । କିନ୍ତୁ ତଦନ୍ତକାରୀ ସନ୍ଦେହ କରୁଛନ୍ତି ଯେ ଏହି ତାଲିକା ଆହୁରି ଲମ୍ୱା ହୋଇପାରେ ।

ଜଣେ ଅଫିସର ପରି ଦିଶୁଥିବା ବ୍ୟକ୍ତି

ପୋଲିସର କହିବା ଅନୁଯାୟୀ, ଆଣ୍ଟୋନି ନିଜକୁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଭାବେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ମାହିର । ଗିରଫ ପରେ ତାକୁ ପଚରାଉଚୁରା କରିଥିବା ମାଙ୍ଗାଲୁରୁ ଇଷ୍ଟ ପୋଲିସ ଇନ୍ସପେକ୍ଟର ଅନନ୍ତ ପଦ୍ମନାଭ 'ଦି ଇଣ୍ଡିଆନ୍ ଏକ୍ସପ୍ରେସ୍'କୁ କହିଛନ୍ତି ଯେ ଆଣ୍ଟୋନି ଇଂରାଜୀରେ କଥାବାର୍ତ୍ତା କରୁଥିଲା ଏବଂ ଆଇନ ବିଷୟରେ ତାଙ୍କର ଗଭୀର ଜ୍ଞାନ ଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କୁ ପ୍ରଥମ ଥର ଭେଟୁଥିବା ଯେକୌଣସି ବ୍ୟକ୍ତି ମାତ୍ର ୧୦ ମିନିଟ୍ କଥା ହେବା ପରେ ବିଶ୍ୱାସ କରିନେଉଥିଲେ ଯେ ସେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କିମ୍ବା ଜଣେ ଧନୀ ବ୍ୟବସାୟୀ ।

ପୋଲିସ କହିବା ଅନୁଯାୟୀ, ଆଣ୍ଟୋନି ନିଜର ଶିକାରମାନଙ୍କୁ ଭାବିଚିନ୍ତି ବାଛୁଥିଲା । ସେ ଏପରି ବ୍ୟବସାୟୀମାନଙ୍କୁ ଖୋଜୁଥିଲେ ଯେଉଁମାନେ ବ୍ୟାଙ୍କ ଠକେଇ ଅଭିଯୋଗ, ଟିକସ ବିବାଦ, ଆର୍ଥିକ ଅସନ୍ତୋଷ କିମ୍ବା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ମାମଲାରେ ଫସିରହିଥିଲେ । ତା'ପରେ ସେ ସମସ୍ୟାର ସମାଧାନ କରିଦେବାର ପ୍ରତିଶ୍ରୁତି ନେଇ ପହଞ୍ଚୁଥିଲେ । ପୋଲିସ ଅନୁଯାୟୀ, ସେ ଅଧିକାଂଶ ସମୟରେ NCIBର ଜଣେ ବରିଷ୍ଠ ଅଧିକାରୀ କହି ପରିଚୟ ଦେଉଥିଲା । ଏହି ସଂସ୍ଥାଟି ଅପରାଧ ସଚେତନତା କାର୍ଯ୍ୟକ୍ରମରେ ଜଡ଼ିତ ଏକ ସ୍ୱେଚ୍ଛାସେବୀ ସଂସ୍ଥା, କିନ୍ତୁ ଆଣ୍ଟୋନି ଏହାକୁ ଜଣେ ପ୍ରଭାବଶାଳୀ ସରକାରୀ ତଦନ୍ତକାରୀ ସଂସ୍ଥା ଭାବେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଥିଲା ।

ଆଣ୍ଟୋନିଙ୍କ ଅପରାଧିକ ରେକର୍ଡ ତଦନ୍ତ କରୁଥିବା କିଛି ପୋଲିସ ଅଧିକାରୀଙ୍କ ବୟସ ସହ ସମାନ । 'ଦି ଇଣ୍ଡିଆନ୍ ଏକ୍ସପ୍ରେସ୍' ଅନୁଯାୟୀ, ତାଙ୍କ ନାମରେ ପ୍ରଥମ ମାମଲା ୧୯୯୭ ମସିହାରେ ଛତିଶଗଡ଼ର ଖୈରାଗଡ଼ ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା । ଗୋଟିଏ ବର୍ଷ ପରେ କର୍ଣ୍ଣାଟକରେ କୁଶାଲନଗର ଟାଉନ୍ ପୋଲିସ ଷ୍ଟେସନରେ ଦାଖଲ ହୋଇଥିଲା । ପରେ ଛତିଶଗଡ଼, କର୍ଣ୍ଣାଟକ, ବିହାର, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ତାଙ୍କ ନାଁରେ ୧୭ଟି ମାମଲା ଜଡ଼ିତ ଅଛି । ଏହା ବ୍ୟତୀତ ଆଉ କେଉଁ କେଉଁ ରାଜ୍ୟ କିମ୍ୱା ପୋଲିସ ଷ୍ଟେସନରେ ମାମଲା ଅଛି ତା'ର ସନ୍ଧାନ କରୁଛି ।