କେନ୍ଦୁଝର: ଦିନେ ଯେଉଁ ମେଧାବୀ ଛାତ୍ରୀଙ୍କ ସଫଳତାରେ ଗର୍ବ କରୁଥିଲା କେନ୍ଦୁଝର । ଆଜି ସେହି ଛାତ୍ରୀଙ୍କ ଆଖିରେ ଅସହାୟତାର ଲୁହ । କେନ୍ଦୁଝର ସଦର ବ୍ଲକ ଚକ ଗାଁର ମଧୁସ୍ମିତା ମହାକୁଡ଼ । ପ୍ଲସ୍ ଥ୍ରୀରେ ହୋମ୍ ସାଇନ୍ସ ଅନର୍ସ । ଡିଡି ୟୁନିଭର୍ସିଟିରେ ଟପର । ନିଜ ମେଧା ବଳରେ ଦିନେ ଖବରକାଗଜ ଓ ଟିଭିର ଶୀର୍ଷକ ପାଲଟିଥିଲେ ମଧୁସ୍ମିତା । ହେଲେ ଆଜି ସେହି ସଫଳତାର କାହାଣୀ ଉପରେ ଯେମିତି ଲାଗିଯାଇଛି ଦାରିଦ୍ର୍ୟର କଳା ବାଦଲ ।

୨୦୨୩ରେ ବାପାଙ୍କ ମୃତ୍ୟୁ । ବାପା ଥିଲେ ଜଣେ ଦିନମଜୁରିଆ । ତାଙ୍କ ମୃତ୍ୟୁ ପରେ ପରିବାରର ସବୁ ଦାୟିତ୍ୱ ଏବେ ମଧୁସ୍ମିତାଙ୍କ କାନ୍ଧରେ । ପାଠ ପଢ଼ିବାର ବୟସରେ ସେ ପାଲଟିଗଲେ ପରିବାରର ମୁଖ୍ୟ ଆଶା । ନିଜ ପାଠପଢ଼ା ଜାରି ରଖିବେ କ'ଣ । ଏବେ ଟ୍ୟୁସନ କରି ଘର ଚଳାଉଛନ୍ତି । ଗାଁର ପ୍ରାୟ ୧୦ ଜଣ ପିଲାଙ୍କୁ ପଢ଼ାଇ ମାସକୁ ମିଳୁଛି ମାତ୍ର ୩ ହଜାର ଟଙ୍କା । ସେହି ଟଙ୍କାରେ ଘର ଚଳୁଛି । ରୋଗୀଣା ମାଆଙ୍କ ଔଷଧ କିଣା ହେଉଛି । ସାନ ଭାଇର ପାଠପଢ଼ା ଖର୍ଚ୍ଚ ବି ଉଠୁଛି । ଦୁଇ ଭଉଣୀଙ୍କ ବାହାଘର ପାଇଁ ଋଣ କରିଥିଲେ । ଏବେ ଟ୍ୟୁସନ ଟଙ୍କାରୁ ସେହି ଋଣ ସୁଝୁଛନ୍ତି । ନିଜେ କମ୍ପ୍ୟୁଟର ପିଜିଡିସିଏ କୋର୍ସ ମଧ୍ୟ କରିଛନ୍ତି । ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରୁଥିଲେ । ହେଲେ ସେହି କାମ ବି ବନ୍ଦ ହୋଇଯାଇଛି । ଏବେ ଟ୍ୟୁସନ ହିଁ ଏକମାତ୍ର ଆଶା । ଆଉ ଗାଁର ଗରିବ ପିଲାଙ୍କୁ ବିନା ପଇସାରେ ପଢ଼ାଉଛନ୍ତି ମଧୁସ୍ମିତା । ନିଜେ ଅଭାବରେ ଥାଇ ବି ଅନ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି ।

Also Read-President Odisha visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ମେଗା ଚକ୍ଷୁ ଚିକିତ୍ସା ଶିବିରରେ ହେବେ ସାମିଲ

ସଂଘର୍ଷ ଭିତରେ ଆଉ ଏକ ଯନ୍ତ୍ରଣା ମଧ୍ୟ ଲୁଚି ରହିଛି । କେବେ କେବେ ଘରେ ଖାଇବାକୁ କିଛି ନଥାଏ । ଖାଲି ପେଟରେ କଲେଜ ଯାଆନ୍ତି ମଧୁସ୍ମିତା । ଯେଉଁ ଛାତ୍ରୀ ଦିନେ ନିଜ ମେଧା ବଳରେ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥିଲେ, ଆଜି ତାଙ୍କୁ ନିଜ ପେଟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ମଧୁସ୍ମିତାଙ୍କ ଆଖିରେ ଆଜି ବି ରହିଛି ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ । ଆବଶ୍ୟକ କେବଳ ଟିକେ ସହଯୋଗ ଓ ଆଶ୍ୱାସନା । ଦିନେ ଯେଉଁ ମେଧାବୀ ଛାତ୍ରୀଙ୍କ ସଫଳତାରେ ଗର୍ବ କରୁଥିଲା କେନ୍ଦୁଝର, ଆଜି ସେହି ଛାତ୍ରୀ ନିଜ ପାଠପଢ଼ା ଜାରି ରଖିବା ପାଇଁ ସହାୟତା ଅପେକ୍ଷାରେ ।