କେନ୍ଦୁଝର : ଦିନେ ଯେଉଁ ମେଧାବୀ ଛାତ୍ରୀଙ୍କ ସଫଳତାରେ ଗର୍ବ କରୁଥିଲା କେନ୍ଦୁଝର। ଆଜି ସେହି ଛାତ୍ରୀଙ୍କ ଆଖିରେ ଅସହାୟତାର ଲୁହ। କେନ୍ଦୁଝର ସଦର ବ୍ଲକ ଚକ ଗାଁର ମଧୁସ୍ମିତା ମହାକୁଡ଼। ପ୍ଲସ୍ ଥ୍ରୀରେ ହୋମ୍ ସାଇନ୍ସ ଅନର୍ସ। ଡିଡି ୟୁନିଭର୍ସିଟିରେ ଟପର। ନିଜ ମେଧା ବଳରେ ଦିନେ ଖବରକାଗଜ ଓ ଟିଭିର ଶୀର୍ଷକ ପାଲଟିଥିଲେ ମଧୁସ୍ମିତା। ହେଲେ ଆଜି ସେହି ସଫଳତାର କାହାଣୀ ଉପରେ ଯେମିତି ଲାଗିଯାଇଛି ଦାରିଦ୍ର୍ୟର କଳା ବାଦଲ। ୨୦୨୩ରେ ବାପାଙ୍କ ମୃତ୍ୟୁ। ବାପା ଥିଲେ ଜଣେ ଦିନମଜୁରିଆ। ତାଙ୍କ ମୃତ୍ୟୁ ପରେ ପରିବାରର ସବୁ ଦାୟିତ୍ୱ ଏବେ ମଧୁସ୍ମିତାଙ୍କ କାନ୍ଧରେ। ପାଠ ପଢ଼ିବାର ବୟସରେ ସେ ପାଲଟିଗଲେ ପରିବାରର ମୁଖ୍ୟ ଆଶା। ନିଜ ପାଠପଢ଼ା ଜାରି ରଖିବେ କ'ଣ। ଏବେ ଟ୍ୟୁସନ କରି ଘର ଚଳାଉଛନ୍ତି। ଗାଁର ପ୍ରାୟ ୧୦ ଜଣ ପିଲାଙ୍କୁ ପଢ଼ାଇ ମାସକୁ ମିଳୁଛି ମାତ୍ର ୩ ହଜାର ଟଙ୍କା। ସେହି ଟଙ୍କାରେ ଘର ଚଳୁଛି। ରୋଗୀଣା ମାଆଙ୍କ ଔଷଧ କିଣା ହେଉଛି। ସାନ ଭାଇର ପାଠପଢ଼ା ଖର୍ଚ୍ଚ ବି ଉଠୁଛି। ଦୁଇ ଭଉଣୀଙ୍କ ବାହାଘର ପାଇଁ ଋଣ କରିଥିଲେ। ଏବେ ଟ୍ୟୁସନ ଟଙ୍କାରୁ ସେହି ଋଣ ସୁଝୁଛନ୍ତି। ନିଜେ କମ୍ପ୍ୟୁଟର ପିଜିଡିସିଏ କୋର୍ସ ମଧ୍ୟ କରିଛନ୍ତି। ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରୁଥିଲେ। ହେଲେ ସେହି କାମ ବି ବନ୍ଦ ହୋଇଯାଇଛି। ଏବେ ଟ୍ୟୁସନ ହିଁ ଏକମାତ୍ର ଆଶା। ଆଉ ଗାଁର ଗରିବ ପିଲାଙ୍କୁ ବିନା ପଇସାରେ ପଢ଼ାଉଛନ୍ତି ମଧୁସ୍ମିତା। ନିଜେ ଅଭାବରେ ଥାଇ ବି ଅନ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି।...

ସଂଘର୍ଷ ଭିତରେ ଆଉ ଏକ ଯନ୍ତ୍ରଣା ମଧ୍ୟ ଲୁଚି ରହିଛି। କେବେ କେବେ ଘରେ ଖାଇବାକୁ କିଛି ନଥାଏ। ଖାଲି ପେଟରେ କଲେଜ ଯାଆନ୍ତି ମଧୁସ୍ମିତା। ଯେଉଁ ଛାତ୍ରୀ ଦିନେ ନିଜ ମେଧା ବଳରେ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥିଲେ, ଆଜି ତାଙ୍କୁ ନିଜ ପେଟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ମଧୁସ୍ମିତାଙ୍କ ଆଖିରେ ଆଜି ବି ରହିଛି ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ। ଆବଶ୍ୟକ କେବଳ ଟିକେ ସହଯୋଗ ଓ ଆଶ୍ୱାସନା।

 Also Read- President Odisha visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ମେଗା ଚକ୍ଷୁ ଚିକିତ୍ସା ଶିବିରରେ ହେବେ ସାମିଲ

ଦିନେ ଯେଉଁ ମେଧାବୀ ଛାତ୍ରୀଙ୍କ ସଫଳତାରେ ଗର୍ବ କରୁଥିଲା କେନ୍ଦୁଝର, ଆଜି ସେହି ଛାତ୍ରୀ ନିଜ ପାଠପଢ଼ା ଜାରି ରଖିବା ପାଇଁ ସହାୟତା ଅପେକ୍ଷାରେ।