ନାଇରୋବି: ଯଦି ମାଟି ଖୋଳୁ ଖୋଳୁ ସୁନା ମିଳେ କିମ୍ବା କମ ପରିଶ୍ରମ କରି ରୋଜଗାର ହୋଇଯାଏ, ତେବେ ଏମିତି କିଏ ଅଛି ଯିଏ ତାହା କରିବାକୁ ଚାହିଁବନି ? ଏହି ସମୟରେ ପଶ୍ଚିମ କେନିଆର ଏକ ଗାଁ ଚେପୋରୋରରେ ବହୁ ସଂଖ୍ୟାରେ ଲୋକ ମାଟି ଖୋଳିବାରେ ଲାଗିଛନ୍ତି । ସମସ୍ତେ ଆଶା ରଖିଛନ୍ତି ଯେ ମାଟିତଳୁ ଏତିକି ସୁନା ମିଳିଯିବ, ଯାହାଦ୍ୱାରା ସେମାନଙ୍କ ଆବଶ୍ୟକତା ପୂରଣ ହୋଇପାରିବ ।

ପଶ୍ଚିମ କେନିଆର ଚେପୋରୋର ଗାଁରେ ଏହି ସମୟରେ କ୍ରମାଗତ ଭାବେ ଲୋକଙ୍କ ଭିଡ଼ ଜମୁଛି । ବିବିସିର ଏକ ରିପୋର୍ଟ ଅନୁସାରେ, ସୁନା ଖୋଜିବା ପାଇଁ ଲୋକଙ୍କ ମଧ୍ୟରେ ଏହି ଅଭିଯାନରେ ହଠାତ୍ ଆରମ୍ଭ ହୋଇ ନ ଥିଲା । କିଛି ଦିନ ତଳେ ୩୩ ବର୍ଷୀୟ ମାନସେ ଲୋମାଚାର ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ସୁନା ମିଳିଥିଲା । ସେ ସେହି ଅଞ୍ଚଳରେ ନିଜର ହଜିଯାଇଥିବା ଛେଳିକୁ ଖୋଜିବାକୁ ଯାଇଥିଲେ, କିନ୍ତୁ ସେଠାରେ ମାଟି ଖୋଳିବାରୁ ତାଙ୍କୁ ୩ ଗ୍ରାମ ସୁନା ମିଳିଥିଲା । ପରେ ସେ ସେହି ୩ ଗ୍ରାମ ସୁନାକୁ ୩୬,୦୦୦ କେନ୍ୟାନ୍ ଶିଲିଂ (ପ୍ରାୟ ୨୮୦ ଡଲାର)ରେ ବିକ୍ରି କରିଥିଲେ । ଏହି ଖବର ଆଖପାଖ ଗାଁଗୁଡ଼ିକରେ ବ୍ୟାପିବା ପରେ ଦୂରଦୂରାନ୍ତରୁ ଲୋକଙ୍କ ଏଠାରେ ପହଞ୍ଚିବା ଆରମ୍ଭ ହୋଇଗଲା । ଅଧିକାରୀଙ୍କ ଅନୁସାରେ, ସୁନା ମିଳିବାର ଆଶା ଏତେ ଅଧିକ ହୋଇଛି ଯେ ଗୋଟିଏ ଦିନରେ ୧୦,୦୦୦ ପର୍ଯ୍ୟନ୍ତ ଲୋକ ଏଠାରେ ପହଞ୍ଚୁଛନ୍ତି ।

ତେବେ କେନିଆରେ ନଦୀ କୂଳରେ ସୁନା ଖୋଜିବା କୌଣସି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ସୁନା ପାଇବା ଆଶାରେ ଲୋକମାନେ ନଦୀ କୂଳ ବାଲିକୁ ଛାଣୁଛନ୍ତି । ଏହି ଗାଁକୁ ଏପରି ଅନେକ ଗରିବ ଲୋକ ନିଜ ଆବଶ୍ୟକତା ପୂରଣ କରିବାକୁ ଆସୁଛନ୍ତି । ବର୍ତ୍ତମାନ ଗାଁରେ ଲୋକମାନେ କେବଳ ମାଟି ଖୋଳି ସୁନା ଖୋଜୁନାହାନ୍ତି, ବରଂ ଖୋଳିବା ସମୟରେ ଯଦି ପଥର ମିଳୁଛି, ତେବେ ସେଗୁଡ଼ିକୁ ଭାଙ୍ଗି ମଧ୍ୟ ସୁନା ସନ୍ଧାନ କରାଯାଉଛି ।

ରୋଚକ କଥା ହେଉଛି, କେନିଆର ଆର୍ଥିକ ସ୍ଥିତି ଭଲ ନାହିଁ ଏବଂ ଅନେକ ଲୋକ ଗରିବୀରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏଠାରେ ଲୋକଙ୍କ ସୁନା ଖୋଜିବା ଅନ୍ୟ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିଛି । ବହୁ ସଂଖ୍ୟାରେ ଲୋକ ସୁନା ଖୋଜିବା ପାଇଁ ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ଖାଇବା ଜିନିଷ ଦରକାର, ବିଶ୍ରାମ ନେବା ପାଇଁ ଜାଗା ଦରକାର ଏବଂ ଅନ୍ୟାନ୍ୟ ଦରକାରୀ ଜିନିଷର ମଧ୍ୟ ଆବଶ୍ୟକତା ପଡ଼ୁଛି । ଏପରି ପରିସ୍ଥିତିରେ କିଛି ଲୋକ ସେଠାରେ ନିଜର ଛୋଟମୋଟ ବ୍ୟବସାୟ ଆରମ୍ଭ କରି ଏହି ଲୋକଙ୍କଠାରୁ ରୋଜଗାର କରୁଛନ୍ତି ।