ମୁମ୍ବାଇ: ମୁମ୍ବାଇର ମୀରା ରୋଡସ୍ଥିତ କାଶୀମିରା ଅଞ୍ଚଳରୁ ସୋସିଆଲ ମିଡିଆ ଜରିଆରେ ଚାଲିଥିବା ଏକ ନିଶା କାରବାର ନେଟୱାର୍କର ପର୍ଦ୍ଦାଫାଶ କରିଛି ପୁଲିସ୍। ଏହି ମାମଲାରେ ଶାହିଦ କପୁରଙ୍କ ଫିଲ୍ମ ‘ଦେବା’ର ସହ-ଅଭିନେତା ଏବଂ ମଡେଲ ରୋହୁଲ୍ଲା ମେହଦିଙ୍କୁ ଗିରଫ କରାଯାଇଛି।

କାଶୀମିରା ପୁଲିସ୍ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାୟ ୫.୬୦ ଲକ୍ଷ ଟଙ୍କା ମୂଲ୍ୟର ୨୮ ଗ୍ରାମ୍‌ର ଏମଡି ଡ୍ରଗ୍ସ ଜବତ କରାଯାଇଛି।
ସ୍ନାପଚାଟ୍, ୱାଟ୍ସଆପ୍‌ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏମଡି ଡ୍ରଗ୍ସ ବିକ୍ରି ହେଉଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ପୁଲିସ୍ ନକଲି ଗ୍ରାହକ ସାଜି ଦହିସର ଚେକ୍ ନାକା ନିକଟ ଠାକୁର ମଲ୍ ପ୍ରାଙ୍ଗଣକୁ ଡ୍ରଗ୍ସ ଡେଲିଭରୀ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକିଥିଲା।

କାସିଫ ନାମକ ଜଣେ ଯୁବକ ୨୮ ଗ୍ରାମ୍ ଏମଡି ଡ୍ରଗ୍ସ ଧରି ପହଞ୍ଚିବା ପରେ ପୁଲିସ୍ ତାକୁ କାବୁ କରିଥିଲା। ଜେରା ସମୟରେ କାସିଫ ଏହି କାରବାରର ମୁଖ୍ୟ ଅଭିଯୁକ୍ତ ରୋହୁଲ୍ଲା ମେହଦିଙ୍କ ନାମ ପ୍ରକାଶ କରିଥିଲା।

ସୂଚନା ପାଇବା ପରେ ପୁଲିସ୍ ମଲାଡସ୍ଥିତ ଏକ ଷ୍ଟୁଡିଓ ବାହାରୁ ମେହଦିଙ୍କୁ ଗିରଫ କରିଥିଲା, ଯେଉଁଠାରେ ସେ ସୁଟିଂ କରୁଥିଲେ। ଜାମ୍ମୁକାଶ୍ମୀରର ବଡ଼ଗାମ୍ ଜିଲ୍ଲାର ବାସିନ୍ଦା ମେହଦି ମୁମ୍ବାଇର ଗୋରେଗାଁଓରେ ରହୁଥିଲେ। ସେ ‘ଦେବା’ ଫିଲ୍ମ ବ୍ୟତୀତ କେତେକ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି। କୋର୍ଟ ମେହଦିଙ୍କୁ ୫ ଦିନିଆ ପୁଲିସ୍ ରିମାଣ୍ଡରେ ପଠାଇଛନ୍ତି। ବଲିଉଡ୍‌ର ଅନ୍ୟ କୌଣସି ବ୍ୟକ୍ତି ଏହି ଡ୍ରଗ୍ସ ନେଟୱାର୍କ ସହ ଜଡ଼ିତ ଅଛନ୍ତି କି ନାହିଁ, ସେ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି।