ମୁମ୍ଵାଇ ୧୨।୦୯; ବଲିଉଡର ‘ଶେହେନଶାହ’… ଅଭିନୟରେ ଯାହାଙ୍କୁ ଟକ୍କର ଦେବା ଆଜି ବି କଷ୍ଟକର। ବୟସ ବଢ଼ିଛି, କିନ୍ତୁ ଉତ୍ସାହ ଆଜି ବି ସେମିତି ଅଛି। ହେଲେ ଏହି ମହାନାୟକଙ୍କ ଜୀବନରେ ରହିଯାଇଛି ଏମିତି ଏକ ଇଚ୍ଛା, ଯାହା ଆଜି ବି ଅଧୁରା। ‘କୌନ୍ ବନେଗା କରୋଡ଼ପତି ୧୮’ର ମଞ୍ଚରେ ନିଜ ଜୀବନର ଏହି ଅକୁହା ଇଚ୍ଛା ସମ୍ପର୍କରେ ଖୋଲିଛନ୍ତି ଅମିତାଭ।

ଶୋ’ରେ ପ୍ରତିଯୋଗୀଙ୍କ ସହ ମଜାଦାର ଖେଳ ଖେଳୁଥିବା ବେଳେ ଏମିତି ଏକ ପ୍ରଶ୍ନ ଆସିଥିଲା, ଯାହା ବିଗ୍ ବିଙ୍କୁ ନେଇଗଲା ତାଙ୍କ ଅତୀତ ଓ ଅଧୁରା ସ୍ୱପ୍ନର ଦୁନିଆକୁ। ପ୍ରତିଯୋଗୀ  ପଚାରିଥିଲେ ଯଦି ସୁଯୋଗ ମିଳେ, ତେବେ ଅମିତାଭ ତାଙ୍କ ଅତୀତର କୌଣସି ଦିନକୁ ପୁଣିଥରେ ବଞ୍ଚିବାକୁ ଚାହିଁବେ, ନା ଏମିତି ଏକ ଦିନ ବଞ୍ଚିବାକୁ ଚାହିଁବେ, ଯାହାକୁ ସେ ଆଜି ପର୍ଯ୍ୟନ୍ତ ଜିଇଁନାହାନ୍ତି?

ଉତ୍ତର ଦେବାବେଳେ ବିଗ୍ ବି କହିଥିଲେ, ତାଙ୍କ ଜୀବନ ସ୍ମୃତିରେ ଏତେ ଭରପୂର ଯେ, ଏକ ନିର୍ଦ୍ଦିଷ୍ଟ ଦିନକୁ ବାଛିବା ସହଜ ନୁହେଁ।କିନ୍ତୁ ଏହାପରେ ଅମିତାଭ ଯାହା କହିଥିଲେ, ତାହା ତାଙ୍କ ପ୍ରଶଂସକଙ୍କ ମନ ଛୁଇଁଛି। ଅଭିନୟ ନୁହେଁ… ନିର୍ଦ୍ଦେଶନା ନୁହେଁ… ବରଂ ତାଙ୍କର ଅଧୁରା ଇଚ୍ଛା ହେଉଛି—ସଙ୍ଗୀତ ଶିଖିବା। କେହି ସିତାର ବଜାଉଥିବା ଦେଖିଲେ କିମ୍ବା କେହି ସୁନ୍ଦର ଭାବେ ଗୀତ ଗାଉଥିବା ଶୁଣିଲେ, ତାଙ୍କ ମନରେ ମଧ୍ୟ ସଙ୍ଗୀତ ଶିଖିବାର ଇଚ୍ଛା ଜାଗିଉଠେ ବୋଲି କହିଛନ୍ତି ବିଗ୍ ବି।

ଆଉ ମଜାର କଥା ହେଉଛି, ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ଘରେ ରହିଛି ବିଭିନ୍ନ ବାଦ୍ୟଯନ୍ତ୍ର। ଦିନେ ନା ଦିନେ ଶିଖିବେ ବୋଲି ଆଶା ରଖିଥିଲେ ଅମିତାଭ। ହେଲେ ସମୟ ଗଡ଼ିଗଲା, ବ୍ୟସ୍ତତା ବଢ଼ିଲା… ଆଉ ବାଦ୍ୟଯନ୍ତ୍ରଗୁଡ଼ିକ ଅପେକ୍ଷା କରି ରହିଗଲା। ନିଜ ଅନ୍ଦାଜରେ ମଜା କରି ବିଗ୍ ବି କହିଥିଲେ, ଦୀର୍ଘ ସମୟ ଧରି ବାଦ୍ୟଯନ୍ତ୍ରଗୁଡ଼ିକ ବ୍ୟବହାର ନହୋଇ ରହିଥିବାରୁ ସେଥିରେ ଫୁଲମାଳ ବି ପଡ଼ିଯାଇଛି।

କଥାଟି ଶୁଣିବାକୁ ଯେତିକି ମଜାଳିଆ, ତା’ ପଛର ଭାବନାଟି ସେତିକି ଗଭୀର। ଦଶନ୍ଧି ଦଶନ୍ଧି ଧରି ଅଭିନୟ ଦୁନିଆରେ ରାଜ୍ କରିଥିବା ମହାନାୟକଙ୍କର ମଧ୍ୟ ରହିଛି ଏମିତି ଏକ ସ୍ୱପ୍ନ, ଯାହାକୁ ସେ ଆଜି ପର୍ଯ୍ୟନ୍ତ ପୂରଣ କରିପାରିନାହାନ୍ତି। ଅମିତାଭଙ୍କ ଏହି ସ୍ୱୀକାରୋକ୍ତି ତାଙ୍କୁ କେବଳ ଜଣେ ମହାନ ଅଭିନେତା ଭାବେ ନୁହେଁ, ବରଂ ଜଣେ ସାଧାରଣ ମଣିଷ ଭଳି ମଧ୍ୟ ଦର୍ଶକଙ୍କ ନିକଟତର କରିଦେଇଛି।