ବେଙ୍ଗାଲୁରୁ, ୧୦/୦୪ :ବୀଭତ୍ସ, ଭୟଙ୍କର ଏବଂ ହୃଦୟ ବିଦାରକ । ସେମାନେ ଦିବ୍ୟାଙ୍ଗ କିନ୍ତୁ ରଚିଛନ୍ତି ଭୟଙ୍କର କାଣ୍ଡ । ଯାହା କେହି କେବେ ଭାବି ନଥିବେ । ଶୁଣିଲା ପରେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ ।

ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ନଞ୍ଜନଗୁଡ ତାଲୁକର ଦେବରମ୍ମାନହାଲୀରେ ରହୁଥିଲେ ସ୍ୱାମୀ ନାମକ ଜଣେ ବ୍ୟକ୍ତି । ସେ କହି ପାରୁନଥିଲେ କିମ୍ବା ଶୁଣି ପାରୁନଥିଲେ । ଅନ୍ୟମାନଙ୍କ ସହ ଠାର ମାଧ୍ୟମରେ କଥା ହଉଥିଲେ । ତାଙ୍କ ପତ୍ନୀ ସବିତା ମଧ୍ୟ ଦିବ୍ୟାଙ୍ଗ । ଚାରିବର୍ଷ ତଳେ ସେମାନେ ବିବାହ କରିଥିଲେ । ଉଭୟଙ୍କର ତିନି ବର୍ଷର ଏକ ଝିଅ ମଧ୍ୟ ରହିଛି ।

ତେବେ କିଛି ଦିନ ତଳେ ତୁନିଗାଲ୍ ଅଞ୍ଚଳର ଶ୍ରୀନିବାସ ନାମକ ଜଣେ ବ୍ୟକ୍ତିଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ବଢିଥିଲା । ଶ୍ରୀନିବାସ ଲଗାତାର ଭାବେ ସ୍ୱାମୀଙ୍କ ଘରକୁ ଯିବା ଆସିବା କରୁଥିଲେ । ହେଲେ ଧିରେ ଧିରେ ସେ ସବିତା ଅର୍ଥାତ ସ୍ୱାମୀଙ୍କ ପତ୍ନୀଙ୍କ ପ୍ରେମରେ ପଡିଯାଇଥିଲେ । କେମିତି ସ୍ୱାମୀଙ୍କୁ ରାସ୍ତାରୁ ହଟାଯିବ ସେନେଇ ଷଡଯନ୍ତ୍ର କରିବା ଆରମ୍ଭ କରିଦେଇଥିଲେ ଶ୍ରୀନିବାସ । ଏଥିପାଇଁ ସେ ତାଙ୍କର ଅନ୍ୟ ଦୁଇ ଦିବ୍ୟାଙ୍ଗ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ ।

୨୦୨୦ ମସିହା ଫେବ୍ରୁଆରୀ ୧୨ ତାରିଖ । ଘଟଣାକୁ ଚୂଡାନ୍ତ ରୂପ ଦେଇଥିଲେ ତିନି ଅଭିଯୁକ୍ତ । ସେମାନେ କାଇଦା କରି ସ୍ୱାମୀଙ୍କୁ ଏକ ନିଛାଟିଆ ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ସ୍ୱାମୀଙ୍କୁ ତିନି ଜଣ ମିଶି ଆକ୍ରମଣ କରିବା ସହ ହତ୍ୟା କରିଥିଲେ । ଏହାସହ ପାପକୁ ଲୁଚାଇବା ପାଇଁ ତଥା ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଏକ କୂଅରେ ଫିଙ୍ଗି ଦେଇଥିଲେ । ସବୁଠାରୁ ବଡ କଥା ହେଉଛି ଯେ, ସ୍ୱାମୀଙ୍କ ପତ୍ନୀ ସବିତା ଏବାବଦରେ କିଛି ଜାଣିନଥିଲେ । ସ୍ୱାମୀ ଘରକୁ ନଫେରିବାରୁ ସେ ଥାନାରେ ନିଖୋଜ ଏତଲା ଦେଇଥିଲେ ।

ସ୍ଥାନୀୟ ଏସପି ମଲ୍ଲିକାର୍ଜୁନ ବଲାଦଣ୍ଡି କହିଛନ୍ତି ଯେ, ନିଖୋଜ ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଜଣେ ଅଭିଯୁକ୍ତ ସବିତାଙ୍କୁ ସ୍ୱାମୀଙ୍କ ମୋବାଇଲ ଫୋନ୍ ଦେବା ପରେ ସନ୍ଦେହ ବଢିଥିଲା । ଧିରେ ଧିରେ ତଦନ୍ତ ଆରମ୍ଭ ହେଲା ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଥିଲା । ତେବେ ଅଭିଯୁକ୍ତ ଦିବ୍ୟାଙ୍ଗଙ୍କ ସହ ଯୋଗାଯୋଗ କରିବା ପୋଲିସ ପାଇଁ ବେଶି ବାଧା ସୃଷ୍ଟି କରିଥିଲା । ସମସ୍ତ ଅଭିଯୁକ୍ତ କଥା କହିପାରୁନଥିଲେ । କିମ୍ବା କିଛି ଶୁଣିପାରୁନଥିଲେ । ପରେ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଥିଲା । ପ୍ରଥମେ ଦୁଇଜଣ ଅଭିଯୁକ୍ତଙ୍କୁ ଘଟଣାରେ ଗିରଫ କରାଯାଇଥିଲା । ସେମାନେ ସବୁ ସତ ମାନିନେଇଥିଲେ । ମୃତଦେହକୁ କୂଅରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ ।

ତେବେ ମୁଖ୍ୟ ଅଭିଯୁକ୍ତ ଶ୍ରୀନିବାସ ସହ ଅନ୍ୟ ଜଣେ ବ୍ୟକ୍ତି ଗଙ୍ଗାଧରକୁ ଗିରଫ କରାଯାଇଛି । ତୃତୀୟ ଅଭିଯୁକ୍ତ ଏବେବି ଫେରାର ରହିଛି । ତାକୁ ଧରିବା ପାଇଁ ଏକ ଟିମ୍ ଗଠନ ହୋଇଛି । ଯଥାଶୀଘ୍ର ତୃତୀୟ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।