ବେଙ୍ଗାଲୁରୁ: ୪୦୦ରୁ ଅଧିକ ଘର ଭାଙ୍ଗିବା ପରେ କର୍ଣ୍ଣାଟକ ସରକାର ବିବାଦ ଘେରକୁ ଆସିଛନ୍ତି । ସରକାରଙ୍କ ଏହି ଆକ୍ସନ ପରେ ଶତାଧିକ ଲୋକ, ଯେଉଁଥିରେ ଅଧିକାଂଶ ମୁସଲିମ୍ ସମୁଦାୟ ଅଛନ୍ତି, ବାସହରା ହୋଇଛନ୍ତି । ଚଳିତ ସପ୍ତାହ ଆରମ୍ଭରେ ହୋଇଥିବା ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ରାଜ୍ୟରେ ଶାସକ କଂଗ୍ରେସ ଓ କେରଳ ଲେଫ୍ଟ ଫ୍ରଣ୍ଟ ୟୁନିଟ୍ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ କରିଛି ।

ଖବର ଅନୁସାରେ ଡିସେମ୍ୱର ୨୨ ସକାଳ ୪ଟାରେ କୋଗିଲୁ ଗାଁର ଫକୀର କଲୋନୀ ଓ ୱାସିମ ଲେଆଉଟରେ ଉଚ୍ଛେଦ କରାଯାଇଥିଲା । ଯେଉଁଥିରେ ୪୦୦ ପରିବାର ବାସହରା ହୋଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଏପରି ସମୟରେ ହୋଇଛି, ଯେତେବେଳେ ସହରରେ ବର୍ଷର ସବୁଠୁ ଅଧିକ ଶୀତ ପଡ଼ିଛି । ବେଙ୍ଗାଲୁରୁ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଲିମିଟେଡ୍ ପକ୍ଷରୁ ଏହି ଅଭିଯାନ କରାଯାଇଛି ।

ସପକ୍ଷରେ ଯୁକ୍ତି ରଖି କର୍ଣ୍ଣାଟକ ସରକାର କହିଛନ୍ତି ଯେ ଏହି ଘର ଉର୍ଦୁ ସରକାରୀ ସ୍କୁଲ ପାଖରେ ଏକ ହ୍ରଦ କୂଳରେ ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ କରାଯାଇଥିଲା । ତେବେ ଲୋକଙ୍କ ଯୁକ୍ତି ଯେ ସେମାନଙ୍କୁ ପୂର୍ବରୁ କୌଣସି ନୋଟିସ୍ ଦିଆଯାଇ ନଥିଲା । ପୋଲିସ ସେମାନଙ୍କୁ ଜୋର କରି ଉଚ୍ଛେଦ କରିଛି । ଏହି କାର୍ଯ୍ୟାନୁଷ୍ଠାନରେ ଲୋକଙ୍କୁ ହାଡ଼ ଭଙ୍ଗା ଶୀତରେ ରାସ୍ତାରେ ଅସ୍ଥାୟୀ ଅଶ୍ରୟ ସ୍ଥଳ ତଳେ ରାତି ବିତାଇବାକୁ ପଡ଼ୁଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଲୋକଙ୍କ ଅଭିଯୋଗ, ସେମାନେ ୨୫ ବର୍ଷ ଧରି ଏହି ଅଞ୍ଚଳରେ ରହି ଆସୁଥିଲେ । ସେମାନଙ୍କର ବୈଧ ଆଧାର କାର୍ଡ ଏବଂ ଭୋଟର ପରିଚୟପତ୍ର ଅଛି । ଉଚ୍ଛେଦ ହୋଇଥିବା ଅଧିକାଂଶ ପ୍ରବାସୀ ଥିଲେ ଏବଂ ଶ୍ରମିକ ଭାବରେ କାମ କରୁଥିଲେ । ଏହି ପ୍ରସଙ୍ଗ ଏବେ କଂଗ୍ରେସ ସରକାରଙ୍କ ପାଇଁ ଏକ ବଡ଼ ବିବାଦ ପାଲଟିଛି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କଂଗ୍ରେସ ଦଳର କାର୍ଯ୍ୟକୁ ନିନ୍ଦା କରି ଏହାକୁ "ସଂଖ୍ୟାଲଘୁ ବିରୋଧୀ ରାଜନୀତି" ବୋଲି କହିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ବିଜୟନ କହିଛନ୍ତି, "ଦୁଃଖର ବିଷୟ, କଂଗ୍ରେସ ସରକାର ଅଧୀନରେ ଏବେ କର୍ଣ୍ଣାଟକରେ ସଂଘ ପରିବାରର ସଂଖ୍ୟାଲଘୁ ବିରୋଧୀ ରାଜନୀତି କାର୍ଯ୍ୟକାରୀ ହେଉଛି । ଯେତେବେଳେ ଗୋଟିଏ ସରକାର ଭୟ ଏବଂ ବଳପୂର୍ବକ ଶାସନ କରେ, ସେତେବେଳେ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମାନବିକ ମର୍ଯ୍ୟାଦା ପ୍ରଥମେ ଶିକାର ହୁଏ ।"

କେରଳ ମନ୍ତ୍ରୀ ଭି. ଶିବନକୁଟ୍ଟି କହିଛନ୍ତି ଯେ କଂଗ୍ରେସ ସରକାରଙ୍କ "ଅମାନବୀୟ କାର୍ଯ୍ୟ" ଜରୁରୀକାଳୀନ ସମୟର ସ୍ମୃତିକୁ ମନେ ପକାଇ ଦେଉଛି । ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ନାମରେ କ୍ଷମତାକୁ ଆସିଥିବା ଲୋକମାନେ ପୁଣି ଥରେ ଗରିବ ଲୋକଙ୍କ ଘର ଭାଙ୍ଗି ଛଳନା କରୁଛନ୍ତି।

ପିନାରାଇଙ୍କୁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଉତ୍ତର

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସିପିଆଇ ଏବଂ କେରଳ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଅଞ୍ଚଳଟି ଏକ ଜବରଦଖଲ ହୋଇଥିବା ଅଳିଆ ଗଦା ଥିଲା, କିନ୍ତୁ ଜମି ମାଫିଆମାନେ ଏହାକୁ ଏକ ବସ୍ତିରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି ଯେ ସେମାନେ ଲୋକଙ୍କୁ ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ସମୟ ଦେଇଛନ୍ତି । ସେମାନେ ବୁଲଡୋଜର ଶାସନରେ ବିଶ୍ୱାସ କରନ୍ତି ନାହିଁ ।

ପିନାରାଇ ବିଜୟନଙ୍କୁ କଟାକ୍ଷ କରି ଶିବକୁମାର କହିଛନ୍ତି ଯେ ରାଜନେତାମାନେ ବାସ୍ତବତା ନଜାଣି ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ବରିଷ୍ଠ କଂଗ୍ରେସ ନେତା ଏହା ମଧ୍ୟ କହିଛନ୍ତି ଯେ ପିନାରାଇ ବିଜୟନଙ୍କ ଭଳି ବରିଷ୍ଠ ନେତାମାନେ ବେଙ୍ଗାଲୁରୁର ସମସ୍ୟା ବିଷୟରେ ଅବଗତ ହେବା ଉଚିତ ।