ନୂଆଦିଲ୍ଲୀ ୦୧।୦୯; ବଲିଉଡର 'ବେବୋ' ଅର୍ଥାତ୍ କରିନା କପୁର। ସେ ଖୁବ୍ ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି ମେଘନା ଗୁଲଜାରଙ୍କ ଚର୍ଚ୍ଚିତ ଫିଲ୍ମ 'ଦାୟରା' ଜରିଆରେ। ଏହି ଫିଲ୍ମରେ ତାଙ୍କ ସହ ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ନଜର ଆସିବେ। ନିକଟରେ ମୁମ୍ବାଇରେ ଏହି ଫିଲ୍ମର ଟ୍ରେଲର ଲଞ୍ଚ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଯାହା ସୋସିଆଲ ମିଡିଆରେ ବେଶ୍ ହଇଚଇ ସୃଷ୍ଟି କରିଛି।

ହେଲେ କଥା କେବଳ ଫିଲ୍ମର ଟ୍ରେଲରରେ ସୀମିତ ନଥିଲା, ବରଂ ଇଭେଣ୍ଟରେ ଘଟିଥିବା ଏକ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋ ପୋଜ୍ ଦେବା ସମୟରେ ପାପାରାଜିମାନେ ବାରମ୍ବାର କରିନାଙ୍କୁ ଏପାଖ ସୋପାଖ ହେବାକୁ କହିବାରୁ, ଅଭିନେତ୍ରୀ ଜଣକ ବିରକ୍ତ ହୋଇପଡ଼ିଥିଲେ। ଏହା ସହ ସେମାନଙ୍କ ଉପରେ ଭଡକିଥିଲେ । ସେ ସ୍ପଷ୍ଟ ଭାବରେ କହିଥିଲେ, "କେତେବେଳେ ଏଠାରେ, କେତେବେଳେ ସେଠାରେ - ମୁଁ ହିଲ୍ ପିନ୍ଧିଛି!" ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ, ଲୋକେ ତାଙ୍କୁ ସିନେମା ଜଗତର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନଙ୍କ ସହ ମଧ୍ୟ ତୁଳନା କରିବା ଆରମ୍ଭ କରିଦେଇଛନ୍ତି।

କେବଳ ଏତିକି ନୁହେଁ, ଏହି ଘଟଣା ପରେ ସୋସିଆଲ ମିଡିଆରେ ଆଉ ଏକ ପୁରୁଣା ଚର୍ଚ୍ଚା ମଧ୍ୟ ଜୋର ଧରିଛି। କିଛି ଦିନ ପୂର୍ବେ କରିନାଙ୍କ ଏକ ଜିମ୍ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ତାଙ୍କର ତୃତୀୟ ଗର୍ଭଧାରଣ ନେଇ ବେଶ୍ ଗୁଜବ ସୃଷ୍ଟି ହୋଇଥିଲା। ତେବେ କରିନା ପୂର୍ବରୁ ଏହାକୁ ସ୍ପଷ୍ଟ କରିସାରିଛନ୍ତି ଯେ ସେ ଗର୍ଭବତୀ ନାହାଁନ୍ତି। ତଥାପି, କରିନାଙ୍କ ପ୍ରତି ପାପାରାଜିଙ୍କ ଦୃଷ୍ଟି ଏବଂ ତାଙ୍କର ଏଭଳି ପ୍ରତିକ୍ରିୟା ଏବେ ଇଣ୍ଟରନେଟରେ ଟକ୍ ଅଫ୍ ଦି ଟାଉନ୍ ସାଜିଛି।