କାନାଡ଼ା : କମେଡି କିଙ୍ଗ କପିଲ ଶର୍ମାଙ୍କ କ୍ୟାଫେ ଉପରେ ଗୁଳିମାଡ଼ ମାମଲାରେ ଆସିଛି ବଡ଼ ଅପଡେଟ୍। ବିଦେଶରୁ ଚାଲିଥିବା ଅପରାଧିକ ନେଟୱର୍କ ଉପରେ ଆକ୍ସନ ନେଇଛି ତଦନ୍ତକାରୀ ସଂସ୍ଥା। ଫ୍ରାନ୍ସରୁ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଜଣେ ଗ୍ୟାଙ୍ଗଷ୍ଟରକୁ ଗିରଫ କରାଯାଇଥିବା ନେଇ ମିଳିଛି ସୂଚନା । ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ଲରେନ୍ସ ବିଷ୍ଣୋଇ ସମେତ ଦୁଇ ଭାରତୀୟ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଅଭିଯୋଗ ହେବାର କିଛି ଦିନ ପରେ, ବିଦେଶରେ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଫ୍ରାନ୍ସରେ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଜଣେ ଗ୍ୟାଙ୍ଗଷ୍ଟରକୁ ଗିରଫ କରାଯାଇଛି। ଯାହାର ନାମ ଗରିନ୍ଦର ଦେବ ବୋଲି ଜଣାପଡ଼ିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ଗରିନ୍ଦରକୁ ଫ୍ରାନ୍ସରେ ଗିରଫ କରାଯାଇଛି। ପରେ କାନାଡା ଅଣାଯିବ। ପୋଲିସ ଏବେ ଏହି ମାମଲାରେ ତଦନ୍ତ ଜାରି ରଖିଛି।

ଅନ୍ୟପଟେ, କପିଲ ଶର୍ମାଙ୍କ କ୍ୟାଫେ ଉପରେ ହୋଇଥିବା ଗୁଳିମାଡ଼ ମାମଲା ସହ ଜଡ଼ିତ ଅନ୍ୟ ଜଣେ ଅଭିଯୁକ୍ତ ଜଶନଦୀପ ସିଂହଙ୍କୁ କାନାଡାରୁ ଡିପୋର୍ଟ କରିବାକୁ ଆଦେଶ ଦିଆଯାଇଛି। ତଦନ୍ତକାରୀ ସଂସ୍ଥାଙ୍କ ଅନୁଯାୟୀ, ଗରିନ୍ଦର ଦେବ ଲରେନ୍ସ ବିଷ୍ଣୋଇ ସହ ଜଡ଼ିତ ଆନ୍ତର୍ଜାତୀୟ ଅପରାଧିକ ନେଟୱର୍କର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି ମନେ କରାଯାଉଛି। ଏହି ଗିରଫ ପରେ ବିଦେଶରେ ସକ୍ରିୟ ଥିବା ବିଷ୍ଣୋଇ ଗ୍ୟାଙ୍ଗର ନେଟୱର୍କ ଉପରେ ତଦନ୍ତକାରୀ ସଂସ୍ଥାମାନଙ୍କ ନଜର ଆହୁରି ତୀବ୍ର ହୋଇଛି। ଜଶନଦୀପ ସିଂହ ଉପରେ ଅଭିଯୋଗ ରହିଛି ଯେ, କାନାଡ଼ାର ସରେରେ ଥିବା କମେଡିଆନ୍ କପିଲ ଶର୍ମାଙ୍କ କ୍ୟାଫେ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ବ୍ୟବହୃତ ଅସ୍ତ୍ର ଲୁଚାଇବାରେ ସେ ସହାୟତା କରିଥିଲା । ତେବେ ଏହା ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଥିବାଅର୍ଶଦୀପ ସିଂହଙ୍କୁ କାନାଡାରୁ ଡିପୋର୍ଟ କରାଯାଇଥିଲା।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବିଦେଶୀ ନେଟୱର୍କ ଉପରେ ଏବେ ଅନେକ ଦେଶର ତଦନ୍ତକାରୀ ସଂସ୍ଥାଙ୍କ ନଜର ରହିଛି। ଫ୍ରାନ୍ସରେ ଗିରଫ, କାନାଡାରେ ଡିପୋର୍ଟେସନ୍ ପ୍ରକ୍ରିୟା ଏବଂ ଆମେରିକାରେ ଅଭିଯୋଗପତ୍ର ଏସବୁ ଘଟଣା ଦର୍ଶାଉଛି ଯେ, ବିଷ୍ଣୋଇ ଗ୍ୟାଙ୍ଗର ଅପରାଧିକ ନେଟୱର୍କ ବିରୋଧରେ ଆନ୍ତର୍ଜାତୀୟ ସ୍ତରରେ ସହଯୋଗ ବଢ଼ୁଛି।