ମୁମ୍ବାଇ: କେତନ ଅଗ୍ରୱାଲ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ନିଜର ମତ ରଖିଛନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ବତ। ମୃତ କେତନଙ୍କ ଭାବି ପତ୍ନୀ ତଥା ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପିତାଙ୍କ ଏକ ବିସ୍ଫୋରକ ବୟାନ ଉପରେ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି ଯେ, ଏଭଳି ଘଟଣା ପାଇଁ ପିତାମାତାଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ଆଜିକାଲିର ସୋସିଆଲ ମିଡିଆ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଯୁଗରେ ପିଲାମାନଙ୍କ ‘ସଂସ୍କାର’ କେମିତି ରହିବ, ସେ ନେଇ କେହି ସ୍ପଷ୍ଟ କରିପାରିବେ ନାହିଁ।

ଏହି ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ସିୟା ଗୋୟଲଙ୍କ ପିତା ନିଜର କ୍ଷୋଭ ପ୍ରକାଶ କରି ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ, ‘ଯଦି ମୋ ଝିଅ କେତନକୁ ହତ୍ୟା କରିଛି, ତେବେ ତାକୁ ମଧ୍ୟ ସେହି ସମାନ ଦୁର୍ଗ ଉପରୁ ତଳକୁ ଠେଲି ଦିଆଯାଉ।’ ଏହି ଖବରର ଏକ ହେଡଲାଇନ୍‌କୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରି କଙ୍ଗନା  ପରିବାରର ସଂସ୍କାର ଏବଂ ଆଜିର ପିଢ଼ିର ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ପିଲାମାନଙ୍କୁ କିଏ କରୁଛି ‘ପ୍ରୋଗ୍ରାମିଂ’ ?
କଙ୍ଗନା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଆଜିକାଲି କେବଳ କୌଣସି ପରିବାର, ସେମାନଙ୍କ ଘର କିମ୍ବା ପିତାମାତାଙ୍କୁ ଦେଖି ପିଲାମାନଙ୍କର ସଂସ୍କାର ବାବଦରେ ଅନୁମାନ ଲଗାଇବା ଅସମ୍ଭବ। ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପିଲାମାନଙ୍କୁ କିଏ ପ୍ରୋଗ୍ରାମିଂ କରୁଛି ? ସେମାନେ କାହା ସହିତ ସମୟ ବିତାଉଛନ୍ତି, ସୋସିଆଲ ମିଡିଆ, ଏଆଇ (AI) କିମ୍ବା ବାସ୍ତବ ଜୀବନରେ ସେମାନଙ୍କ ଉପରେ କାହାର ପ୍ରଭାବ ରହୁଛି, ତାହା ହିଁ ସେମାନଙ୍କ ଚରିତ୍ର ସ୍ଥିର କରୁଛି।

ପିତାମାତାଙ୍କୁ ଦୋଷୀ କରାଯାଇପାରିବ ନାହିଁ
‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ଅଭିନେତ୍ରୀ କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ଯାହା ବି ଘଟିଛି, ସେଥିପାଇଁ ପରିବାରକୁ ଦାୟୀ କରାଯିବା ଉଚିତ୍ ନୁହେଁ। କାରଣ ଆଜିକାଲିର ମଣିଷ ଏକାସଙ୍ଗେ ଅନେକ ସାମାନ୍ତରାଳ ଜୀବନ ବଞ୍ଚୁଛି। ଲୋକମାନେ ବାସ୍ତବରେ କଣ ଅନୁଭବ କରୁଛନ୍ତି ବା ସେମାନେ ପ୍ରକୃତରେ କିପରି ବ୍ୟକ୍ତି, ତାହା ଲୁଚାଇ ରଖୁଛନ୍ତି। ସୋସିଆଲ ମିଡିଆ ପ୍ରଭାବରେ ସେମାନେ ନିଜର ଏକ ଆକର୍ଷଣୀୟ ଭାବମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହୁଛନ୍ତି। ସେଥିପାଇଁ ପିଲାମାନଙ୍କର କୌଣସି ଭୁଲ୍ କାର୍ଯ୍ୟ ପାଇଁ ସେମାନଙ୍କ ପରିବାରର ବିଚାରଧାରାକୁ ପ୍ରସଙ୍ଗ କରାଯାଇପାରିବ ନାହିଁ ବୋଲି କହିଛନ୍ତି କଙ୍ଗନା ରଣାଓ୍ବତ।