କଣାସ: ପୁରୀ ଜିଲ୍ଲା କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାକୁ କେନ୍ଦ୍ର କରି ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଭୁଲ୍ ଇଞ୍ଜେକ୍ସନ୍ ଦିଆଯିବାରୁ ଜଣେ ୩୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କୁ ଅଟକ ରଖିଥିଲେ ।

ସୂଚନା ଅନୁଯାୟୀ, କଣାସ ଥାନା ଅନ୍ତର୍ଗତ ଦୋକନ୍ଦା ପଞ୍ଚାୟତ କେଶରପୁର ଗ୍ରାମର କ୍ରିତିରଞ୍ଜନ ପଟ୍ଟନାୟକ  (ସାନୁ)  ଆଜି ଭୋର ସମୟରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଚାଲିଥିବା ସମୟରେ ଡାକ୍ତରଙ୍କ ପକ୍ଷରୁ ଭୁଲ୍ ଇଞ୍ଜେକ୍ସନ୍ ଦିଆଯିବାରୁ ସାନୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Also Read: ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ, ଜଣାପଡ଼ିଲା କିଏ କରିଥିଲା ହତ୍ୟା ?

ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେଶରପୁର ଗ୍ରାମବାସୀ ଓ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ଚିକିତ୍ସାରେ ଘୋର ଅବହେଳା କରାଯାଇଥିବା ଦର୍ଶାଇ ସେମାନେ ଡାକ୍ତର ଓ ନର୍ସଙ୍କୁ ଦାୟୀ କରିବା ସହ ସେମାନଙ୍କୁ ଅଟକ ରଖିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ଥାନା ଆଇ ଆଇ ସି ସୁନୀଲ କୁମାର ପ୍ରଧାନ ଓ ସମସ୍ତ ପୋଲିସ କର୍ମଚାରୀ ଡାକ୍ତର ଖାନରେ ପହଞ୍ଚି ଥିବା ବେଳେ ଅତ୍ୟଧିକ ଉତେଜନା ପ୍ରକାଶ ପାଇବା ପରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ପୁରୀରୁ ଆସି କଣାସ ଡାକ୍ତର ଖାନରେ ପହଞ୍ଚିଛନ୍ତି।

ଖବର ପାଇ ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ସହିତ ବିଧିବଦ୍ଧ ତଦନ୍ତ କରିବା ଓ ମୃତ୍ୟୁ ବ୍ୟକ୍ତି ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବୀ କରିଥିଲେ। ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରାଯିବାକୁ ପ୍ରତିଶ୍ରୁତି ଦେବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏହା ସହ ମୃତ ବ୍ୟକ୍ତିଙ୍କୁ ପରିବାରକୁ ସହାୟତା ରାଶି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା କମିଥିଲା।