କଲ୍ୟାଣସିଂହପୁର: ଭାରତମାତାଙ୍କ ପ୍ରତିମୂର୍ତ୍ତିର ହାତକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଏଭଳି ଅଭିଯୋଗ ଆଣି ଶିକରପାଇ ସଦର ପଞ୍ଚାୟତବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏତଲା ଅନୁଯାୟୀ, ରାୟଗଡ଼ା-କଲ୍ୟାଣସିଂହପୁର ମୁଖ୍ୟରାସ୍ତା କଡ଼ରେ ରହିଛି ଶିକରପାଇ ଗାଁ । ସଦର ପଞ୍ଚାୟତ ମୁଖ୍ୟ ପ୍ରବେଶ ପଥରେ ଗ୍ରାମବାସୀଙ୍କ ଦ୍ୱାରା ଭାରତମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । କିଛି ଦିନ ତଳେ ଏହି ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ । ଏ ସମ୍ପର୍କରେ ସେମାନେ ଆଗରୁ ଥାନାରେ ଏତଲା ଦେଇଥିଲେ । ଏବେ ପୁଣିଥରେ ପ୍ରତିମୂର୍ତ୍ତିର ହାତ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗାଁ ଲୋକେ ପୁଣିଥରେ ଥାନାରେ ପହଞ୍ଚି ଏସଆଇ ହେମନ୍ତ କୁମାର ବରିହାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ଦୋଷୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।