ନୂଆଦିଲ୍ଲୀ: ରୋଜଗାର ପାଇଁ ଅନ୍ୟ ଘରେ ରୋଷେଇ କରୁଥିଲେ... ବାସନ ବି ମାଜୁଥିଲେ... ମାସକୁ ମିଳୁଥିଲା ମାତ୍ର ୪,୦୦୦ ଟଙ୍କା। ହେଲେ ଆଜି ସେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ । ତାଙ୍କ କାହାଣୀ ଆଜି ସବୁଠୁ ଚର୍ଚ୍ଚାରେ। ଏହି ଅସାଧାରଣ ସଫଳତାର କାହାଣୀ ହେଉଛି ପଶ୍ଚିମବଙ୍ଗର ବିଜେପି ନେତ୍ରୀ କଲିତା ମାଝୀଙ୍କର। ତାଙ୍କର ଏହି ସଫଳତା କେବଳ ତାଙ୍କ ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ ନୁହେଁ, ବରଂ ତୃଣମୂଳ ସ୍ତରର ନେତାମାନଙ୍କୁ ଆଗକୁ ଆଣିବା ପାଇଁ ଦଳର ପ୍ରୟାସକୁ ଦର୍ଶାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ମଧ୍ୟରେ କଲିତାଙ୍କର ବିଜୟ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବ ବର୍ଦ୍ଧମାନ ଜିଲ୍ଲାର 'ଆଉସଗ୍ରାମ' ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ୩୭ ବର୍ଷୀୟା କଲିତା। ଆଉ ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ଶ୍ୟାମା ପ୍ରସନ୍ନ ଲୋହାରଙ୍କୁ ୧୨,୫୩୫ ଭୋଟରେ ପରାସ୍ତ କରିଥିଲେ। ଏହି ନିର୍ବାଚନରେ କଲିତାଙ୍କୁ ସମୁଦାୟ ୧,୦୭,୬୯୨ ଭୋଟ୍ ମିଳିଥିବା ବେଳେ ଗତ ୨୦୨୧ ନିର୍ବାଚନରେ ସେ ଏହି ଆସନରୁ ସାମାନ୍ୟ ବ୍ୟବଧାନରେ ପରାଜିତ ହୋଇଥିଲେ।

Also Read: ଆଇନଜୀବୀରୁ ସିଧା ସୁପ୍ରିମକୋର୍ଟ ବିଚାରପତି, କିଏ ଏହି ଜଷ୍ଟିସ୍ ଭି.ମୋହନା ?

ସାଧାରଣ ପରିବାରରୁ ମନ୍ତ୍ରୀ ପଦ

କଲିତା ଗୁସକରା ପୌରପାଳିକାର ୩ ନମ୍ବର ୱାର୍ଡ ଅନ୍ତର୍ଗତ ମାଝପୁକୁର ପଡ଼ାର ବାସିନ୍ଦା। ତାଙ୍କ ସ୍ୱାମୀ ସୁବ୍ରତ ମାଝୀ ଜଣେ ପ୍ଲମ୍ବର (ପାଣି ପାଇପ୍ ମିସ୍ତ୍ରୀ) ଭାବେ କାମ କରନ୍ତି ଏବଂ ତାଙ୍କ ପୁଅ ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି। ରାଜନୀତିରେ ପ୍ରାୟ ୧୦ ବର୍ଷ ହେବ ସକ୍ରିୟ ଥିବା କଲିତା ଗତ ମାସରେ ନିର୍ବାଚନ ପ୍ରଚାର ପାଇଁ ନିଜ କାମରୁ ଗୋଟିଏ ମାସର ଛୁଟି ନେଇଥିଲେ।

ମନ୍ତ୍ରୀ ଭାବେ ଶପଥ ନେବା ପରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ‘‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ କୃତଜ୍ଞ ଯେ, ସେ ମୋ ଉପରେ ବିଶ୍ୱାସ ରଖିଲେ। ଆଜି ମୁଁ ତାଙ୍କୁ ଏହି ବିଜୟ ଉପହାର ଦେଇପାରିଛି।’’ ନିଜର ଆଗାମୀ ଲକ୍ଷ୍ୟକୁ ନେଇ ସେ କହିଛନ୍ତି, ଗାଁ ଲୋକଙ୍କୁ ଚିକିତ୍ସା ପାଇଁ ବର୍ଦ୍ଧମାନ ସହରକୁ ଯିବାକୁ ପଡ଼ୁଛି। ତେଣୁ ନିଜ ଅଞ୍ଚଳରେ ଏକ ହସ୍ପିଟାଲ୍ ପ୍ରତିଷ୍ଠା କରିବେ। ପ୍ରତ୍ୟେକ ଘରକୁ ପାନୀୟ ଜଳ, ପକ୍କା ସଡ଼କ ଏବଂ ବିଦ୍ୟୁତ ସେବା ଯୋଗାଇବେ। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବଙ୍କୁ ପକ୍କା ଘର ଓ ଶୌଚାଳୟ, ମହିଳାମାନଙ୍କ ସୁରକ୍ଷା ଏବଂ ଯୁବପିଢ଼ିଙ୍କ ପାଇଁ ନୂତନ କର୍ମସଂସ୍ଥାନ ସୃଷ୍ଟି କରିବେ ବୋଲି କହିଛନ୍ତି କଲିତା।

Also Read: ସୋସିଆଲ ମିଡିଆ ଜାଲରେ ଯୁବପିଢ଼ି ଓ ଅନଲାଇନ୍ ସପିଂ କବଜାରେ ମହିଳା, ବାହାରକୁ ଆସିଲା ସାଂଘାତିକ ସତ

ସେପଟେ ଯେଉଁ ଘରଗୁଡ଼ିକରେ ସେ କାମ କରୁଥିଲେ, ସେହି ପରିବାରର ସଦସ୍ୟମାନେ ମଧ୍ୟ କଲିତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତାରେ ଖୁବ୍ ଆନନ୍ଦିତ ଏବଂ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି।