ରାଉରକେଲା:ଶିଳ୍ପ ସହରର ମୁକୁଟରେ ଆଉ ଏକ ଗୌରବର ପାଖୁଡ଼ି। ପ୍ରଦୂଷଣର ଚ୍ୟାଲେଞ୍ଜ ଭିତରେ ସ୍ୱଚ୍ଛ ବାୟୁ ପାଇଁ ନୂଆ ପରିଚୟ ତିଆରି କରିଛି ଇସ୍ପାତ ନଗରୀ ରାଉରକେଲା।ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି ରାଉରକେଲା ସହର। ବାୟୁ ଗୁଣବତ୍ତା ଉନ୍ନତି ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ରାଉରକେଲାକୁ ମିଳିଛି ଏହି ବଡ଼ ସଫଳତା। ଦେଶର ଅନ୍ୟ ସହରକୁ ପଛରେ ପକାଇ ସ୍ୱଚ୍ଛ ବାୟୁ ଦିଗରେ ରାଉରକେଲାର ପ୍ରୟାସ ଏବେ ପାଲଟିଛି ଉଦାହରଣ।

ଦିଲ୍ଲୀରେ ଆୟୋଜିତ ସମ୍ମାନ ସମାରୋହରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ରାଉରକେଲା ସହରକୁ ସମ୍ମାନିତ କରାଯାଇଛି।ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କେବଳ ସମ୍ମାନ ନୁହେଁ, ରାଉରକେଲା ମହାନଗର ନିଗମକୁ ମିଳିଛି୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି।ଏହି ସଫଳତା ସହରବାସୀଙ୍କ ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି।

ରାଉରକେଲାର ଏହି ସଫଳତା ପଛରେ ରହିଛି ସ୍ୱଚ୍ଛ ପରିବେଶ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ଗାଡ଼ି ଚଳାଚଳଜନିତ ପ୍ରଦୂଷଣ ହ୍ରାସ ପାଇଁ ନିଆଯାଇଥିବା ପଦକ୍ଷେପ। ଏହା ସହ ଶିଳ୍ପାନୁଷ୍ଠାନରୁ ନିର୍ଗତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏକଦିଗରେ ଶିଳ୍ପ, ଅନ୍ୟଦିଗରେ ସ୍ୱଚ୍ଛ ପରିବେଶ—ଏହି ଦୁଇଟିକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଉଦାହରଣ ଦେଖାଇଛି ରାଉରକେଲା। ସହରର ବାୟୁକୁ ଅଧିକ ସ୍ୱଚ୍ଛ ରଖିବା ପାଇଁ ପ୍ରଶାସନ, ମହାନଗର ନିଗମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମନ୍ୱିତ ପ୍ରୟାସ ଏହି ସଫଳତାର ମୁଖ୍ୟ ଆଧାର ପାଲଟିଛି।

also read- ଘୂର୍ଣ୍ଣିବଳୟ ସକ୍ରିୟ : ଗୁରୁବାର-ଶୁକ୍ରବାର ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା

ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଦେଶରେ ନମ୍ବର ୱାନ୍ ହୋଇ ରାଉରକେଲା ଏବେ କେବଳ ଓଡ଼ିଶାର ଗର୍ବ ନୁହେଁ, ବରଂଦେଶର ଅନ୍ୟ ସହର ପାଇଁ ମଧ୍ୟ ସ୍ୱଚ୍ଛ ବାୟୁ ଓ ପ୍ରଦୂଷଣ ନିୟନ୍ତ୍ରଣର ଏକ ଅନୁକରଣୀୟ ମଡେଲ ଭାବେ ନିଜର ପରିଚୟ ତିଆରି କରିଛି।