ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମା ଅବକାରୀ ନୀତି ସମ୍ପର୍କିତ ମାମଲାର ଶୁଣାଣିରୁ ଗୁରୁବାର ନିଜକୁ ପୃଥକ କରି ନେଇଛନ୍ତି। ଏହି ମାମଲା ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିୱାଲ, ମନିଷ ସିସୋଦିଆ ଓ ଅନ୍ୟ ନେତାଙ୍କ ସହ ସମ୍ପର୍କିତ। ଜଷ୍ଟିସ୍ ଶର୍ମା ଏହି ପଦକ୍ଷେପ ସେତେବେଳେ ନେଇଛନ୍ତି ଯେତେବେଳେ ତାଙ୍କୁ ସୋସିଆଲ ମିଡିଆରେ ନିଜ ବିରୋଧରେ ଅପମାନଜନକ ଟିପ୍ପଣୀ ମଧ୍ୟରେ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।

ଜଷ୍ଟିସ୍ ଶର୍ମାଙ୍କ ବୟାନ
ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା କହିଛନ୍ତି ଯଦି ସେ ଏହି ମାମଲାର ଶୁଣାଣି କରନ୍ତି ତେବେ ଅରବିନ୍ଦ କେଜରିୱାଲ ଓ ଅନ୍ୟମାନେ ଏହା ଭାବିପାରନ୍ତି ଯେ ସେମାନଙ୍କ ମଧ୍ୟରେ କୌଣସି ଶତ୍ରୁତା ଅଛି। ଏଥି ପାଇଁ ସେ ନିଷ୍ପତ୍ତି ନେଲେ ଯେ ମାମଲାର ଶୁଣାଣି କୌଣସି ଅନ୍ୟ ପୀଠରେ ହେଉ।

ମାମଲାର ପୃଷ୍ଠଭୂମି
ଦିଲ୍ଲୀ ସରକାର ୨୦୨୧ ମସିହାରେ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ଯେତେବେଳେ ଏଥିରେ ଦୁର୍ନୀତିର ଅଭିଯୋଗ ହେଲା ସେତେବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ସିବିଆଇ ତଦନ୍ତର ଆଦେଶ ଦେଇଥିଲେ। ଦିଲ୍ଲୀ ସରକାର ୨୦୨୨ ମସିହାରେ ଏହି ନୀତିକୁ ପ୍ରତ୍ୟାହାର କରି ନେଇଥିଲେ। ମାମଲାରେ ଇଡି ଅରବିନ୍ଦ କେଜରିୱାଲଙ୍କୁ ୯ ଥର ସମନ କରିଥିଲା ଓ ମାର୍ଚ୍ଚ ୨୦୨୪ରେ ତାଙ୍କୁ ଗିରଫ କରିଥିଲା। ୧୩ ସେପ୍ଟେମ୍ବର ୨୦୨୪ରେ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ କେଜରିୱାଲ ତିହାର ଜେଲରୁ ମୁକୁଳିଥିଲେ।

ନିମ୍ନ କୋର୍ଟଙ୍କ ରାୟ
ଚଳିତବର୍ଷ ଫେବୃଆରୀ ମାସରେ ଦିଲ୍ଲୀର ଏକ ଟ୍ରାୟଲ କୋର୍ଟ ଅବକାରୀ ନୀତି ମାମଲାର ଶୁଣାଣି କରିଥିଲେ ଓ ଅରବିନ୍ଦ କେଜରିୱାଲ, ମନିଷ ସିସୋଦିଆଙ୍କ ସମେତ ମାମଲାର ସମସ୍ତ ୨୩ ଜଣ ଅଭିଯୁକ୍ତଙ୍କୁ ଅଭିଯୋଗ ମୁକ୍ତ କରିଥିଲେ। ଏହା ପରେ ସିବିଆଇ ନିମ୍ନ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ହେଲେ ଯେତେବେଳେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ମାମଲାର ଶୁଣାଣି ଆରମ୍ଭ କଲେ ଆମ ଆଦମୀ ପାର୍ଟି ନେତାମାନେ ନା କେବଳ ଆପତ୍ତି କଲେ ତାଙ୍କ ଉପରେ ପ୍ରଶ୍ନ ମଧ୍ୟ ଉଠାଇଲେ।

ଆପର ଅଭିଯୋଗ
ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଆରଏସଏସ କାର୍ଯ୍ୟକ୍ରମମାନଙ୍କରେ ଭାଗ ନେଉଛନ୍ତି ଓ ତାଙ୍କର ଦୁଇ ସନ୍ତାନ କେନ୍ଦ୍ର ସରକାରଙ୍କ ପାଇଁ କାମ କରୁଛନ୍ତି, ଯାହା କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟର କେସ୍ ବନୁଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ ଓ ଲେଖିଥିଲେ ଜଷ୍ଟିସ୍ ଶର୍ମା ନିକଟରେ ଏପରି ମାମଲାରୁ ନିଜକୁ ପୃଥକ କରିଥିଲେ। ହେଲେ ଏହି ମାମଲାରେ ଏପରି କରୁ ନାହାନ୍ତି କାହିଁକି?

ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ
ସୋସିଆଲ ମିଡିଆରେ ଆମ ଆଦମୀ ପାର୍ଟି ଜଷ୍ଟିସ୍ ଶର୍ମାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛି। ହେଲେ ବି ଜଷ୍ଟିସ୍ ଶର୍ମା ମାମଲାରୁ ନିଜକୁ ପୃଥକ କରିବାକୁ ମନା କରିଦେଇଥିଲେ। ଏହା ପରେ ଅରବିନ୍ଦ କେଜରିୱାଲ, ମନିଷ ସିସୋଦିଆ ଓ ଦୁର୍ଗେଶ ପାଠକ କୋର୍ଟ କାର୍ଯ୍ୟକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଜଷ୍ଟିସ୍ ଶର୍ମା ଅଚାନକ ନିଜକୁ ମାମଲାରୁ ପୃଥକ କରିନେଇଛନ୍ତି କିନ୍ତୁ ଅରବିନ୍ଦ କେଜରିୱାଲ, ମନିଷ ସିସୋଦିଆ, ସଞ୍ଜୟ ସିଂହ, ବିନୟ ମିଶ୍ର ଓ ସୌରଭ ଭରଦ୍ୱାଜଙ୍କ ବିରୋଧରେ ଅପରାଧିକ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି।