ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଜନ୍ ହିଲି (John Healey) ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ପ୍ରତିରକ୍ଷା ବଜେଟ୍ ଏବଂ ସାମରିକ ଖର୍ଚ୍ଚକୁ ନେଇ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର (Keir Starmer) ଙ୍କ ସହ ହୋଇଥିବା ମତଭେଦ ପରେ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଜନ୍ ହିଲି ବ୍ରିଟେନ୍ ସରକାରଙ୍କ ପ୍ରତିରକ୍ଷା ବିନିଯୋଗ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ସାମରିକ ବିପଦ ବଢ଼ିବାରେ ଲାଗିଛି, କିନ୍ତୁ ବ୍ରିଟେନ ସରକାର ସେନା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ଦେଉନାହାନ୍ତି। ଏହି ପାଣ୍ଠି ଅଭାବ ଯୋଗୁଁ ୟୁକେ ର ସେନା ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନାହିଁ ।

ଇସ୍ତଫା ପତ୍ରରେ ଗୁରୁତର ଅଭିଯୋଗ

ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ଲେଖିଥିବା ଏକ ଚିଠିରେ ହିଲି ଦର୍ଶାଇଛନ୍ତି ଯେ, ସେ କେବେ ଏଭଳି ଚିଠି ଲେଖିବେ ବୋଲି ଭାବିନଥିଲେ, କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ଅନିଚ୍ଛା ସତ୍ତ୍ୱେ ସେ ଏହି ନିଷ୍ପତ୍ତି ନେଉଛନ୍ତି। ବିଶ୍ୱସ୍ତରରେ ବିପଦ ବଢ଼ୁଥିବା ସମୟରେ ଦେଶର ସୁରକ୍ଷା ପାଇଁ ଆବଶ୍ୟକ ସମ୍ବଳ ଯୋଗାଇବାକୁ ଆପଣ (ପ୍ରଧାନମନ୍ତ୍ରୀ) ଅସମର୍ଥ ହୋଇଛନ୍ତି ଏବଂ ରାଜକୋଷ (Treasury) ମଧ୍ୟ ଏଥିପାଇଁ ଦୁର୍ବଳ । ଅପରପକ୍ଷରେ, ଆମ ପ୍ରତିରକ୍ଷା ବିଭାଗ ଉପରେ ଚାପ ଏବଂ ସହଯୋଗୀ ଦେଶଗୁଡ଼ିକ ପ୍ରତି ୟୁକେର ପ୍ରତିଶ୍ରୁତି କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ବୋଲି ନିଜ ଚିଠିରେ ଲେଖିଛନ୍ତି ଜନ୍ ହିଲି ।

ବ୍ରିଟେନ୍ ସେନା ସମ୍ମୁଖରେ ଚ୍ୟାଲେଞ୍ଜ

ଇସ୍ତଫା ଦେଇଥିବା ପ୍ରତିରକ୍ଷା ମନ୍ତ୍ରୀ କେତେକ ପ୍ରମୁଖ ସାମରିକ ମିଶନର ଉଦାହରଣ ଦେଇଛନ୍ତି, ଯେଉଁଥିପାଇଁ ବ୍ରିଟେନକୁ ଅଧିକ ବଜେଟର ଆବଶ୍ୟକତା ଥିଲା ।

ମଧ୍ୟ ପ୍ରାଚ୍ୟ ସଙ୍କଟ: ବର୍ତ୍ତମାନ ୟୁକେ 'ଷ୍ଟ୍ରେଟ୍ ଅଫ୍ ହରମୁଜ୍' (Strait of Hormuz) ସାମରିକ ମିଶନର ନେତୃତ୍ୱ ନେଉଛି।

ଆର୍କଟିକ ସୁରକ୍ଷା : ନାଟୋ (NATO) ର 'ଆର୍କଟିକ' ମିଶନର ସଞ୍ଚାଳନ ମଧ୍ୟ ବ୍ରିଟେନ ହାତରେ ରହିଛି।

ରୁଷର ବିପଦ ଓ ୟୁକ୍ରେନ ଯୁଦ୍ଧ: ବ୍ରିଟେନ ଏବଂ ନାଟୋ ସଦସ୍ୟ ଦେଶଗୁଡ଼ିକରେ ପ୍ରତି ରୁଷର ସାମରିକ ଗତିବିଧି ବୃଦ୍ଧି ପାଇଛି। ଏହା ସହ ପ୍ୟାରିସ ଚୁକ୍ତି ଅନୁଯାୟୀ, ୟୁକ୍ରେନରେ ଯୁଦ୍ଧବିରତି ପରେ ସେଠାରେ ବ୍ରିଟିଶ ସେନା ମୁତୟନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଜନ୍ ହିଲିଙ୍କ ଏହି ଆକସ୍ମିକ ଇସ୍ତଫା ବ୍ରିଟେନ ରାଜନୀତିରେ ହଇଚଇ ସୃଷ୍ଟି କରିବା ସହ ଦେଶର ପ୍ରତିରକ୍ଷା ନୀତି ଏବଂ ଆର୍ଥିକ ପରିଚାଳନା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।