ନୂଆଦିଲ୍ଲୀ: ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କ କଣ୍ଟ୍ରୋଲର ଜେନେରାଲଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟରେ ଜିଓ ପ୍ଲାଟଫର୍ମସକୁ ଭାରତର ସର୍ବବୃହତ ବିଶ୍ୱସ୍ତରୀୟ ପେଟେଣ୍ଟ ଦାଖଲକାରୀ ଭାବରେ ଦର୍ଶାଯାଇଛି। ଏହି ବାର୍ଷିକ ରିପୋର୍ଟ ଅନୁଯାୟୀ, ଜିଓ ପ୍ଲାଟଫର୍ମସ ଗୋଟିଏ ବର୍ଷରେ ୧,୦୩୭ ଆନ୍ତର୍ଜାତୀୟ ପେଟେଣ୍ଟ ଦାଖଲ କରିଛି।
ଏହି ସଂଖ୍ୟା ଦ୍ୱିତୀୟରୁ ଦଶମ ସ୍ଥାନ ମଧ୍ୟରେ ରହିଥିବା ସମସ୍ତ ଭାରତୀୟ କମ୍ପାନୀ ଏବଂ ପ୍ରତିଷ୍ଠାନ ଦ୍ୱାରା ଦାଖଲ କରାଯାଇଥିବା ମୋଟ ପେଟେଣ୍ଟର ଦୁଇଗୁଣରୁ ଅଧିକ ରହିଛି। ଟିଭିଏସ ମୋଟର୍ (୨୩୮), ସିଏସଆଇଆର (୭୦), ଆଇଆଇଟି ମାଡ୍ରାସ (୪୪), ଏବଂ ଓଲା ଇଲେକ୍ଟ୍ରିକ (୩୧) ଭଳି ନାମ ଏହି ଦୌଡ଼ରେ ବହୁ ପଛରେ ରହିଛନ୍ତି।

ଭାରତୀୟ ପେଟେଣ୍ଟକୁ ଯୋଡ଼ିଲେ ଜିଓ ୨୦୨୪-୨୫ ରେ ମୋଟ ୧,୬୫୪ ଟି ପେଟେଣ୍ଟ ଆବେଦନ ଦାଖଲ କରିଛି। ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା କମ୍ପାନୀ ପାଖରେ ୪୮୫ ଟି ସ୍ୱୀକୃତ ପେଟେଣ୍ଟ ରହିଥିଲା, ଯାହାର ଏକ ବଡ଼ ଅଂଶ ୫ଜି, ୬ଜି ଏବଂ ନେଟୱାର୍କ ପ୍ରଯୁକ୍ତି ସହିତ ଜଡିତ। ଏହି ସଂଖ୍ୟାଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜିଓ ଏବେ କେବଳ ଏକ ଟେଲିକମ୍ ଅପରେଟର ନୁହେଁ, ବରଂ ଭାରତର ପ୍ରମୁଖ ଡିପ୍-ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ନିଜର ଦୃଢ଼ ଉପସ୍ଥିତି ସ୍ଥାପନ କରିସାରିଛି।

ସରକାରୀ ତଥ୍ୟ ସହିତ, ଉଦ୍ୟୋଗ ଜଗତ ମଧ୍ୟ ଜିଓକୁ ଏକ ଶକ୍ତିଶାଳୀ ବିଶ୍ୱସ୍ତରୀୟ ଆଇପି ପ୍ଲେୟାର ଭାବରେ ମାନ୍ୟତା ଦେଇଛି। ନିକଟରେ ସିଆଇଆଇ ଇଣ୍ଡଷ୍ଟ୍ରିଆଲ ଇନୋଭେସନ ପୁରସ୍କାର ୨୦୨୫ ରେ ଜିଓ ପ୍ଲାଟଫର୍ମସକୁ ଭାରତର ଶ୍ରେଷ୍ଠ ୨୦ ଟି ଇନୋଭେଟିଭ କମ୍ପାନୀ ମଧ୍ୟରେ ସାମିଲ କରାଯାଇଥିଲା ଏବଂ ବଡ଼ ଆଇସିଟି ବର୍ଗରେ 'ଶ୍ରେଷ୍ଠ ପେଟେଣ୍ଟ ପୋର୍ଟଫୋଲିଓ' ପାଇଁ ରନର୍ସ-ଅପ୍ ପୁରସ୍କାର ମଧ୍ୟ ମିଳିଥିଲା।

ପେଟେଣ୍ଟ ଦାଖଲ ପଛରେ ଦୃଢ଼ ଗବେଷଣା ଏବଂ ବିକାଶ (ଆରଏଣ୍ଡଡି) ପାଇଁ ନିବେଶ ମଧ୍ୟ ଏକ ପ୍ରମୁଖ କାରଣ। ରିଲାଏନ୍ସ ୨୦୨୫ ଆର୍ଥିକ ବର୍ଷରେ ଗବେଷଣା ଓ ବିକାଶ ଉପରେ ୪,୧୮୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ ରହିଥିଲା। ଗତ ତିନି ବର୍ଷ ମଧ୍ୟରେ କମ୍ପାନୀର ବାର୍ଷିକ ଗବେଷଣା ଓ ବିକାଶ (ଆରଏଣ୍ଡଡି) ନିବେଶ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।