ନୂଆଦିଲ୍ଲୀ: ଜିଲ୍ ବାଇଡେନ୍ ତାଙ୍କ ସ୍ୱାମୀ ତଥା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାବପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି । 'ଜେମି କର୍ଣ୍ଣ ଲିମା ଶୋ' ରେ ଅତିଥି ଭାବରେ ଯୋଗ ଦେଇ ଜିଲ୍, ବାଇଡେନ୍‌ଙ୍କ ପ୍ରୋଷ୍ଟେଟ୍ କ୍ୟାନ୍ସର ଏବଂ ତାହା ହାଡ଼କୁ ବ୍ୟାପିଯିବା ପରର ମାନସିକ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ସ୍ୱାମୀଙ୍କ ଆସନ୍ନ ମୃତ୍ୟୁର ସତ୍ୟତାକୁ ସାମ୍ନା କରୁଥିବା ବେଳେ, ନିଜ ମନରୁ ନକାରାତ୍ମକ ଭାବନା ଦୂର କରିବାକୁ ସେ କିପରି ଚେଷ୍ଟା କରୁଛନ୍ତି, ସେ ବିଷୟରେ ପ୍ରକାଶ କରିଛନ୍ତି।

ଜିଲ୍‌ କହିଛନ୍ତି, ‘ନିଶ୍ଚିତ ଭାବେ ମୁଁ ଭୟଭୀତ । ପ୍ରଥମ କଥା ହେଉଛି, ସେ ମୋଠାରୁ ପ୍ରାୟ ୧୦ ବର୍ଷ ବଡ଼। ଏପରି ଗମ୍ଭୀର ରୋଗ ସମୟରେ... ଆପଣ ନିଜ ମନକୁ ଖରାପ ଦିଗକୁ ଯିବାକୁ ଦେଇପାରିବେ ନାହିଁ। ଆପଣ ସେମାନଙ୍କ ବିନା ଜୀବନ କଳ୍ପନା କରିପାରିବେ ନାହିଁ, କିନ୍ତୁ ଆପଣ ଜାଣନ୍ତି ଯେ, ଦିନେ ନା ଦିନେ ସେମାନଙ୍କର ମୃତ୍ୟୁ ହେବ—ଯେପରି ମୁଁ ଜାଣିଛି ଯେ, ମୋର ବି ମୃତ୍ୟୁ ହେବ। ତେଣୁ ଏହାର କିଛି ଅଂଶକୁ ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିବ।’

ଜିଲଙ୍କ କହିବା ଅନୁଯାୟୀ, ରୋଗ ଚିହ୍ନଟ ହେବା ପରଠାରୁ ଜୋ ବାଇଡେନ୍ ଅତ୍ୟନ୍ତ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି। ସେ ନିଜର କୌଣସି ଭୟ ଜିଲ୍‌ଙ୍କ ଆଗରେ ପ୍ରକାଶ କରିନାହାନ୍ତି। ସେ ସବୁବେଳେ ଆମ ପରିବାରର ଶକ୍ତି ହୋଇ ରହିଆସିଛନ୍ତି ବୋଲି କହିଛନ୍ତି ଜିଲ୍‌ ।

ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ କଷ୍ଟକର ପରିସ୍ଥିତି ଥିଲେ ବି, ଦୁହେଁ କେବଳ ଦୁଃଖରେ ବୁଡ଼ି ରହିବାକୁ ଚାହୁଁନାହାନ୍ତି । ପାଖରେ ଥିବା ବାକି ସମୟକୁ ହସଖୁସିରେ ବିତାଇବାକୁ ସଙ୍କଳ୍ପବଦ୍ଧ ଅଛନ୍ତି ସେମାନେ। ଆମେ ଜୀବନକୁ ନକାରାତ୍ମକ ଭାବରେ ଦେଖିପାରିବୁ ନାହିଁ। ଆମେ ଭାବୁଛୁ,ଜୋଙ୍କୁ କ୍ୟାନ୍ସର ହୋଇଛି, ସେ ଆମ ସହ ଆଉ ବେଶି ଦିନ ରହିବେ ନାହିଁ, ତେଣୁ ଆସନ୍ତୁ ପ୍ରତ୍ୟେକ ମୁହୂର୍ତ୍ତର ପୂର୍ଣ୍ଣ ଉପଯୋଗ କରିବା ବୋଲି ଜିଲ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘ଏକାଠି ରହିବୁ... ଯେଉଁ ଜିନିଷ ଆମକୁ ଖୁସି ଦିଏ ତାହା କରିବୁ। ଏହି ଯାତ୍ରାକୁ ଏକ ସକାରାତ୍ମକ ଯାତ୍ରା କରିବୁ। କାରଣ ପ୍ରତିଦିନ ନକାରାତ୍ମକ ଭାବନା ସହ ଜୀବନ ଜିଇଁବା ଅତ୍ୟନ୍ତ କଷ୍ଟକର।’

ପ୍ରୋଷ୍ଟେଟ୍ କ୍ୟାନ୍ସର (Prostate Cancer) କ’ଣ ? 
୨୦୨୫ ମେ' ମାସରେ ବାଇଡେନ୍‌ଙ୍କ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ସେ 'ଗ୍ରେଡ୍ ଗ୍ରୁପ୍ ୫'ର ଗମ୍ଭୀର ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ, ଯାହା ତାଙ୍କ ହାଡ଼ ପର୍ଯ୍ୟନ୍ତ ବ୍ୟାପିଯାଇଛି। ପ୍ରୋଷ୍ଟେଟ୍ କ୍ୟାନ୍ସର ପୁରୁଷ ପ୍ରଜନନ ପ୍ରଣାଳୀର ଅଂଶବିଶେଷ 'ପ୍ରୋଷ୍ଟେଟ୍ ଗ୍ରନ୍ଥି'ରୁ ଆରମ୍ଭ ହୋଇଥାଏ। ସାଧାରଣତଃ ଏହା ଧୀରେ ଧୀରେ ବ୍ୟାପିଥାଏ ଏବଂ ଅନେକ ସମୟରେ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡ଼ିନଥାଏ। କିନ୍ତୁ କେତେକ କ୍ଷେତ୍ରରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଏ, ଯାହାର ନିୟନ୍ତ୍ରଣ କଷ୍ଟକର ହୋଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହାର ଚିହ୍ନଟ ହେଲେ ରୋଗୀର ଜୀବନକାଳ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥାଏ।