ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଏୟାର ଆମ୍ୱୁଲାନ୍ସ ଦୁର୍ଘଟଣାରେ ବିମାନ ଯାତ୍ରା କରୁଥିବା ସାତ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ଗୁରୁତର ଭାବେ ଆହତ ଝାଡ଼ଖଣ୍ଡର ହୋଟେଲ୍ ବ୍ୟବସାୟୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଉଥିଲା । ପରିବାର ଏହି ଉଡାଣ ଓ ଦିଲ୍ଲୀର ଏକ ବଡ଼ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ, କିନ୍ତୁ ଜଣଙ୍କ ଜୀବନ ବଞ୍ଚାଇବା ଉଦ୍ୟମ ବେଳେ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାତ ଜଣଙ୍କ ମଧ୍ୟରେ ଗୁରୁତର ରୋଗୀ ସଞ୍ଜୟ କୁମାର ଶ, ତାଙ୍କ ପତ୍ନୀ ଅର୍ଚ୍ଚନା ଦେବୀ, ସମ୍ପର୍କୀୟ ଧ୍ରୁବ କୁମାର, ଡାକ୍ତର ବିକାଶ କୁମାର ଗୁପ୍ତା, ସହାୟକ ସଚିନ କୁମାର ମିଶ୍ର ଏବଂ ପାଇଲଟ୍ କ୍ୟାପଟେନ୍ ବିବେକ ବିକାଶ ଭଗତ ଏବଂ କ୍ୟାପଟେନ୍ ସଭରାଜଦୀପ ସିଂହ ଅଛନ୍ତି ।

ଏକ ହୋଟେଲରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ସଞ୍ଜୟଙ୍କ ଶରୀରର ୬୫ ପ୍ରତିଶତ ପୋଡ଼ି ଯାଇଥିଲା । ସଞ୍ଜୟ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଚାନ୍ଦୱାରେ ଏକ ହୋଟେଲ ଚଳାଉଥିଲେ । ଗତ ସୋମବାର ତାଙ୍କ ହୋଟେଲରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ । ତାଙ୍କ ଶରୀରର ୬୫ ପ୍ରତିଶତ ପୋଡ଼ି ଯାଇଥିଲା ଏବଂ ସେ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ତାଙ୍କ ଅବସ୍ଥାରେ ଉନ୍ନତି ନେହବା ପରେ ଡାକ୍ତରମାନେ ତାଙ୍କୁ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲକୁ ରେଫର କରିଥିଲେ । ସଡ଼କ ପଥରେ ତାଙ୍କୁ ଦିଲ୍ଲୀ ନେବା ଠିକ୍ ନଥିଲା, ତେଣୁ ଏୟାର ଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଇଥିଲା । ପରିବାର ଲୋକ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ୭.୫ ଲକ୍ଷ ଋଣ କରିଥିଲେ । ଦିଲ୍ଲୀରେ ଚିକିତ୍ସା ପାଇଁ କିଛି ଟଙ୍କା ରଖିଥିଲେ । ବଡ଼ ଭାଇ ବିଜୟ କହିଛନ୍ତି, ସଂଜୟ ଏବଂ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ମୃତ୍ୟୁ ସେମାନଙ୍କ ଦୁଇ ପିଲାଙ୍କୁ ଅନାଥ କରିଦେଇଛି । ଯଦି ରାଞ୍ଚିରେ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇଥାନ୍ତା, ତେବେ ସଂଜୟଙ୍କୁ ବିମାନରେ ସ୍ଥାନାନ୍ତର କରିବାର ଆବଶ୍ୟକତା ପଡ଼ିନଥାନ୍ତା ।