ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ହନିମୁନ୍ ପାରାଡାଇଜ୍ ବୋଲାଉଥିବା 'ଜେଜୁ ଆଇଲ୍ୟାଣ୍ଡ' ଏବେ ପର୍ଯ୍ୟଟକଙ୍କ ପାଇଁ ହଠାତ୍ ଆତଙ୍କର ସହର ପାଲଟିଯାଇଛି । ତିନି ଦିନ ଭିତରେ ଏହି ଦ୍ୱୀପରୁ ନିଖୋଜ ଥିବା ୪ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତ୍ୟୁ ଘଟଣା ପୋଲିସର ବଡ଼ ଧରଣର ଅବହେଳାକୁ ସାମ୍ନାକୁ ଆଣିଥିବା ବେଳେ, ପୂର୍ବରୁ ବନ୍ଦ କରାଯାଇଥିବା ୨୯୮ଟି ନିଖୋଜ ମାମଲାକୁ ପୋଲିସ ଏବେ ପୁଣି ତଦନ୍ତ ପରିସରଭୁକ୍ତ କରିଛି ।

ଜେଜୁ ଆଇଲ୍ୟାଣ୍ଡ ଦକ୍ଷିଣ କୋରିଆର ସବୁଠାରୁ ଅଧିକ ପର୍ଯ୍ୟଟକ ଯାଉଥିବା ଦ୍ୱୀପ । କିନ୍ତୁ ଚଳିତ ସପ୍ତାହରେ, ନବଦମ୍ପତିଙ୍କ ପାଇଁ ପ୍ରଥମ ପସନ୍ଦ ଥିବା ଏହି ଦ୍ୱୀପ ଏବେ ଲୋକଙ୍କ ମନରେ ଆଶଙ୍କା ଓ ଭୟ ଘର କରିଛି । ଜଣେ ନିଖୋଜ ମହିଳାଙ୍କ ସନ୍ଧାନରୁ ଆରମ୍ଭ ହୋଇଥିବା ଏହି ଘଟଣା ଏବେ ପୋଲିସ ବିଭାଗ ପାଇଁ ଏକ ବଡ଼ ସ୍କାଣ୍ଡାଲରେ ପରିଣତ ହୋଇଛି । ଜେଜୁ ଆଇଲ୍ୟାଣ୍ଡରେ ତିନି ଦିନରେ ୪ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ପ୍ରଶାସନ ନିଖୋଜ ମାମଲାଗୁଡ଼ିକୁ କିପରି ଅବହେଳା କରୁଥିଲା, ସେ ନେଇ ପ୍ରଶ୍ନ ଉଠିଛି । ଏହି ୪ଟି ମୃତ୍ୟୁ ପରେ ଅତି କମରେ ୨୯୮ଟି ନିଖୋଜ ମାମଲା ଏବେ ସନ୍ଦେହ ଘେରକୁ ଆସିଛି ।

ମେ ୧୨ରେ ଜେଜୁ ସିଟିରେ ଜାଙ୍ଗ ମି-ରାନ୍ ନାମକ ଜଣେ ମହିଳା ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ପରିବାର ପୋଲିସରେ ନିଖୋଜ ଏତଲା ଦେଇଥିଲେ । 'ଦି କୋରିଆ ହେରାଲ୍ଡ' ଅନୁଯାୟୀ, 'ବୁ' ସରନେମ୍ ଥିବା ଜଣେ ପୋଲିସ ଅଫିସର ୩୭ ବର୍ଷୀୟା ଜାଙ୍ଗଙ୍କ ମାମଲାର ତଦନ୍ତ କରୁଥିଲେ ।

ଅଫିସର ବୁ’, ଜାଙ୍ଗଙ୍କ ପରିବାରକୁ ମିଛ କହିଥିଲେ ଯେ ସେ ମହିଳାଙ୍କ ସହ କଥା ହୋଇଛନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି । ଏହି ମିଛ ଦାବି କରି ସେ ରିପୋର୍ଟକୁ ବନ୍ଦ କରିଦେଇଥିଲେ । ପରବର୍ତ୍ତୀ ସମୟରେ ତଦନ୍ତକାରୀମାନେ ଅଫିସର ବୁ’ ଦାବି କରୁଥିବା କୌଣସି କଲ୍ କିମ୍ବା କଥାବାର୍ତ୍ତାର ପ୍ରମାଣ ପାଇନଥିଲେ।

ଅଗଷ୍ଟ ୨୪, ସୋମବାର ଜାଙ୍ଗ ରହୁଥିବା ସ୍ଥାନଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ଏକ ଖଜୁରୀ ବଗିଚାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ଜାଙ୍ଗଙ୍କ ବୋଲି ସନ୍ଦେହ କରାଯାଉଛି । 'ଦି ଇଣ୍ଡିପେଣ୍ଡେଣ୍ଟ' ସ୍ଥାନୀୟ ପୋଲିସକୁ ନେଇ କହିଛି ଯେ, ଜେଜୁରୁ ତିନି ଦିନ ଭିତରେ ଉଦ୍ଧାର ହୋଇଥିବା ୪ଟି ନିଖୋଜ ମୃତଦେହ ମଧ୍ୟରୁ ଜାଙ୍ଗଙ୍କ ମୃତଦେହ ରହିଛି ।

ଏହି ଘଟଣା ପରେ ରହସ୍ୟ ଆହୁରି ବଢ଼ିଯାଇଛି । ସ୍ଥାନୀୟ ପୋଲିସ ଅଫିସର ବୁ’ଙ୍କ ଦ୍ୱାରା କରାଯାଇଥିବା ୨୯୮ଟି ନିଖୋଜ ମାମଲାର ପୁନଃ ତଦନ୍ତ କରୁଛି । ତଦନ୍ତକାରୀ ଅଧିକାରୀ ଖୋଜାଖୋଜି ବ୍ୟାପକ କରିବା ପରେ ଦ୍ୱୀପରୁ ଏକାଧିକ ସନ୍ଦେହଜନକ ମୃତଦେହ ମିଳିବାରେ ଲାଗିଥିଲା । ଗତ ସପ୍ତାହରେ ୬୦ ବର୍ଷୀୟ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ତାଙ୍କ ମାମଲାକୁ ମଧ୍ୟ ସେହି ପୋଲିସ ଅଫିସର ପୂର୍ବରୁ ବନ୍ଦ କରିଦେଇଥିଲେ ।

ଅନ୍ୟ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହକୁ ଜଣେ ମତ୍ସ୍ୟଜୀବୀ ଦେଖିବା ପରେ ଉଦ୍ଧାର କରାଯାଇଥିଲା । ସେହିପରି ଆଏୱୋଲ-ଅପ୍ ନିକଟସ୍ଥ ଏକ ଉପତ୍ୟକା ପାଖରୁ ଚତୁର୍ଥ ମୃତଦେହଟି ମିଳିଥିଲା । ସୋମବାର ସୁଦ୍ଧା ପୋଲିସ ମୋଟ ୪ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି । ଦକ୍ଷିଣ କୋରିଆର ସମ୍ବାଦ ସଂସ୍ଥା 'ୟୋନହାପ୍' ଅନୁଯାୟୀ, ଜାଙ୍ଗଙ୍କ ମାମଲାରେ ପୋଲିସର ଅବହେଳା ସାମ୍ନାକୁ ଆସିବା ପରେ ବ୍ୟାପକ ଖୋଜାଖୋଜି ଚାଲିଥିବା ବେଳେ ଏହି ମୃତଦେହଗୁଡ଼ିକ ମିଳିଛି । ତେବେ ଏହି ସମସ୍ତ ମୃତ୍ୟୁ କୌଣସି ଏକ ନିର୍ଦ୍ଦିଷ୍ଟ ହତ୍ୟାକାଣ୍ଡ ସହ ଜଡ଼ିତ ବୋଲି ପ୍ରଶାସନ ସ୍ପଷ୍ଟ କରିନାହିଁ ।

ଅଫିସର ବୁ'ଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ଜାଲିଆତି, ସରକାରୀ ରେକର୍ଡକୁ ନଷ୍ଟ କରିବା ସହ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ଆସିଛି । ମଙ୍ଗଳବାର ଜେଜୁ କୋର୍ଟ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।