ନୂଆଦିଲ୍ଲୀ୧୬/୦୪: ପୁଣି ଚର୍ଚ୍ଚାରେ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ପତ୍ନୀ ମାକେଞ୍ଜି ସ୍କଟ୍‌ । Meals on Wheels America କୁ ଦାନ କରିଛନ୍ତି ୭୦ ମିଲିୟନ ଡଲାର । ଏହା ଆମେରିକାର ବରିଷ୍ଠ ନାଗରିକଙ୍କ ପାଇଁ ସହାୟକ ହେବ । ଏଇଟା ତାଙ୍କର ପ୍ରଥମ ଦାନ ନୁହେଁ । ସେ ଲଗାତର ଏପରି ପ୍ରୟାସ ଜାରି ରଖିଛନ୍ତି । ୨୦୨୦ ପରଠାରୁ  ମୋଟ୍‌ ଦାନ ୨୬ ବିଲିଅନରେ ପହଞ୍ଚିଛି । ଫର୍ଚୁନର ଏକ ରିପୋର୍ଟ ଅନୁଯାୟୀ ମିଲ୍ସ ଅନ୍‌ ହ୍ବିଲ୍ସ ଆମେରିକା ନିଶ୍ଚିତ କରିଛି ଯେ ଏହି ଦାନ ଏପରି ଏକ ସମୟରେ ଆସିଛି ଯେ ଯେତେବେଳେ ୩ଜଣ ସ୍ଥାନୀୟ ପ୍ରଦାନକାରୀଙ୍କ ମଧ୍ୟରୁ ଜଣେ ୱେଟିଂ ଲିଷ୍ଟରେ ଅଛନ୍ତି । ବୟସ୍କ ବ୍ୟକ୍ତି  ଖାଦ୍ୟ ଓ ସମ୍ବନ୍ଧିତ ସେବା ପାଇଁ ହାରାହାରି ୪ମାସ ଅପେକ୍ଷା କରୁଛନ୍ତି । ସଂଗଠନ ଏହା ବି କହିଛି ଏହି ଅପ୍ରତିବନ୍ଧିତ ପାଣ୍ଠି ଏହାର ଦେଶବ୍ୟାପୀ ନେଟୱାର୍କକୁ ବଢାଇବାରେ ସାହାଯ୍ୟ କରିବ । ଯାହା ବର୍ତ୍ତମାନ ପ୍ରତିବର୍ଷ ୨ ନିୟୁତରୁ ଅଧିକ ଲୋକଙ୍କୁ ଖାଦ୍ୟ, ସାମାଜିକ ସଂଯୋଗ ଏବଂ ସୁରକ୍ଷା ଯାଞ୍ଚ ପ୍ରଦାନ କରେ । ସ୍କଟ୍‌ଙ୍କ ଦାନ ସହିତ ଏହା ଦୀର୍ଘକାଳୀନ ଭାବରେ ନେଟୱାର୍କର କ୍ଷମତାକୁ ସୁଦୃଢ କରିବା ଏବଂ ସ୍ଥାନୀୟ ପ୍ରଦାନକାରୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବା ପାଇଁ ପ୍ରୟାସ ଉପରେ ଅଧିକ ଗୁରୁତ୍ବ ଦେଇପାରିବ ।

ଏହି ସଂଗଠନ ବର୍ତ୍ତମାନ ୫ହଜାରରୁ ଅଧିକ ସଂପ୍ରଦାୟ ଭିତ୍ତିକ କାର୍ଯ୍ୟକ୍ରମକୁ ସମର୍ଥନ କରୁଛି । ମିଲ୍ସ ଅନ୍‌ ହ୍ବିଲ୍ସ ଆମେରିକା କହିଛି ସ୍କଟଙ୍କ ଅବଦାନର ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପଡିବ କିନ୍ତୁ ଦେଶର ବର୍ଦ୍ଧିତ ଚାହିଦାକୁ ସଂପୂର୍ଣ୍ଣ ଭାବରେ ପୂରଣ କରିବନି ।ଏହା ମଧ୍ୟ କୁହାଯାଇଛି ଏହି ଦାନ ଅନ୍ୟମାନଙ୍କୁ ଯୋଗଦାନ କରିବାକୁ ଉତ୍ସାହିତ କରିବ । ଫର୍ଚୁନକୁ ଦେଇଥିବା ଏକ ବିବୃତ୍ତିରେ ମିଲ୍ସ ଅନ୍‌ ହ୍ବିଲ୍ସ ଆମେରିକାର ମୁଖ୍ୟ ବିକାଶ ଓ ମାର୍କେଟିଂ ଅଧିକାରୀ କ୍ରିଷ୍ଟିନ ଟେମ୍ପଲିନ୍‌ କହିଛନ୍ତି ଆମେ ଦାୟିତ୍ବପୂର୍ଣ୍ଣ ଭାବରେ ପରିଚାଳନା କରିବୁ ଯାହାଦ୍ବାରା ସେମାନଙ୍କ ପାଖକୁ ସବୁ ପ୍ରକାର ସାହାଯ୍ୟ ପହଞ୍ଚିପାରିବ । ସେମାନେ ଏକ ସୁସ୍ଥ ଜୀବନ ବଞ୍ଚିପାରିବେ ।୨୦୨୦ରୁ ସ୍କଟ୍‌ ତାଙ୍କ ଫାଉଣ୍ଡେସନ ୟିଲ୍ଡ ଗିଭିଂ ମାଧ୍ୟମରେ କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କର ସଦ୍ୟତମ ଅବଦାନରେ ରେଡ ଲେକ୍‌ ନେସନ୍‌ କଲେଜକୁ ୭ ନିୟୁତ ଡଲାର ଏବଂ ଏଲିଜାବେଥ୍‌ ସିଟି ଷ୍ଟେଟ ୟୁନିଭରସିଟିକୁ ୪୨ ନିୟୁତ ଡଲାର ଅନ୍ତର୍ଭୁକ୍ତ । ଯାହା ଐତିହାସିକ ଭାବରେ ବ୍ଲାକ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ମୋଟ୍‌ ଦାନ ୧ବିଲିୟନ ଡଲାର ଅତିକ୍ରମ କରିଛି ।

​​​​​​​

ମ୍ୟାକେଞ୍ଜି ସ୍କଟ୍‌ ହାୱଡା ବିଶ୍ବବିଦ୍ୟାଳୟ ଏବଂ ସ୍ପେଲମ୍ୟାନ କଲେଜ ଭଳି ପ୍ରତିଷ୍ଠାନଗୁଡିକୁ ମଧ୍ୟ ସହାୟତା କରିଛନ୍ତି ଏହା ସହ ହାବିଟାଟ ଫର୍‌ ହ୍ୟୁମାନିଟିକୁ ୪୩୬ ମିଲିୟନ, ଜଳବାୟୁ ପାଇଁ ୯୦ ମିଲିୟନ ଓ ଆମେରିକାର ଗାର୍ଲ ସ୍କାଉଟ୍ସକୁ ୮୪.୫ ମିଲିୟନ ସହାୟତା ଦେଇଛନ୍ତି । କେବଳ ୨୦୨୫ରେ ସ୍କଟ୍‌ ୭.୨ ବିଲିୟନ ଦାନ କରିଥିଲେ । ମ୍ୟାକେଞ୍ଜି ସ୍କଟ୍‌ଙ୍କ ଦାନ କରିବାର ତରିକା ବି ଟିକେ ଅଲଗା । ସେ ବିନା କୌଣସି ସର୍ତ୍ତରେ ମୋଟା ଅଙ୍କର ଅର୍ଥ ଦାନ କରନ୍ତି । ଯେଉଁ ଟଙ୍କାକୁ ସଂଗଠନ ନିଜର ଦରକାର ମୁତାବକ ଖର୍ଚ୍ଚ କରିପାରିବେ ।

Also Read: https://www.prameyanews7.com/time-has-released-the-the-100-most-influential-people-of-2026-list