ଗଣେଶଙ୍କୁ ଭକ୍ତିରେ ପୂଜା କଲେ... ହେଲେ ବିଦାୟ ଦେବା ବେଳେ ନଥିଲା ନଦୀରେ ପାଣି। ଚିତ୍ରାବତୀ ନଦୀର ଏ ଦୃଶ୍ୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନଦୀରେ ଦୂରଦୂର ଯାଏଁ ଦେଖାଯାଉଛି କେବଳ ବାଲି ଆଉ ବାଲି। ଆଉ ଏହି ଶୁଖିଲା ନଦୀ ଗର୍ଭରେ ରଖାଯାଇଛି ଗଣେଶଙ୍କ ମୂର୍ତ୍ତି। ବିସର୍ଜନ ପାଇଁ ଜଳ ନଥିବାରୁ ଭକ୍ତମାନଙ୍କ ପାଖରେ ମଧ୍ୟ ନଥିଲା କୌଣସି ବିକଳ୍ପ। ଏହି ଗୋଟିଏ ଚିତ୍ର ହିଁ ବୟାନ କରୁଛି ଅଞ୍ଚଳର ଜଳ ସଙ୍କଟର ଗମ୍ଭୀରତା। କେବଳ ନଦୀ ନୁହେଁ, କମ୍ ବର୍ଷାର ପ୍ରଭାବରେ ପୋଖରୀ ଓ ଅନ୍ୟାନ୍ୟ ଜଳ ଉତ୍ସର ଜଳସ୍ତର ମଧ୍ୟ ହ୍ରାସ ପାଇଛି।

ଆନ୍ଧ୍ରପ୍ରଦେଶରେ ମରୁଡ଼ି ପାଇଁ ଅନେକ କାରଣ ଦାୟୀ ବୋଲି ଅନୁମାନ କରାଯାଉଛି। ଭଲ ମୌସୁମୀ ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଚଳିତ ବର୍ଷ ମୌସୁମୀ ଋତୁରେ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ସ୍ୱାଭାବିକ ତୁଳନାରେ ଯଥେଷ୍ଟ କମ୍ ବର୍ଷା ହୋଇଛି। ମରୁଡ଼ିର ଏକ ପ୍ରମୁଖ କାରଣ ଏଲ୍ ନିନୋକୁ ମଧ୍ୟ କୁହାଯାଉଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ବିଶ୍ୱ ଜଳବାୟୁ ଢାଞ୍ଚା ଏଲ୍ ନିନୋ ମୌସୁମୀକୁ ଦୁର୍ବଳ କରିଦେଇଛି। ଏଲ୍ ନିନୋ ଭାରତର ଦକ୍ଷିଣ ଭାଗରେ ବର୍ଷାର ଅନିଶ୍ଚିତତାକୁ ବୃଦ୍ଧି କରିଥାଏ। ଯାହା ଫଳରେ ଏହି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ।

ଜଳ ସଙ୍କଟର ପ୍ରଭାବ ସିଧାସଳଖ ପଡ଼ୁଛି କୃଷି ଓ ଜନଜୀବନ ଉପରେ। କୃଷି ଓ ଘରୋଇ ଆବଶ୍ୟକତା ପାଇଁ ବୋରୱେଲ୍ ଉପରେ ଅଧିକ ନିର୍ଭରଶୀଳତା ମଧ୍ୟ ସ୍ଥିତିକୁ ଜଟିଳ କରିଛି। ସ୍ଥାନୀୟ ଅଞ୍ଚଳରେ ଜଳ ସଂରକ୍ଷଣ, ପରିଚାଳନା ଓ ବଣ୍ଟନର ସମସ୍ୟା ମଧ୍ୟ ଜଳ ସଙ୍କଟକୁ ବଢ଼ାଇଥିବା କୁହାଯାଉଛି। ଯେଉଁ ନଦୀରେ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ହେବା କଥା, ସେହି ନଦୀରେ ଆଜି ମୂର୍ତ୍ତିକୁ ରଖି ଫେରିବାକୁ ପଡ଼ୁଛି। ଏହା କେବଳ ଗୋଟିଏ ଶୁଖିଲା ନଦୀର ଚିତ୍ର ନୁହେଁ। ଏହା ଆଗାମୀ ଦିନର ଜଳ ସଙ୍କଟ ପାଇଁ ଏକ ବଡ଼ ସତର୍କ ସଙ୍କେତ। ପାଣି ନଥିଲେ ପର୍ବର ରଙ୍ଗ ବି ଫିକା ପଡ଼ିଯାଏ । ପୁଟ୍ଟାଲୁରୁର ଏହି ଚିତ୍ର ଏବେ ସେହି କଠୋର ବାସ୍ତବତାକୁ ସାମ୍ନାକୁ ଆଣିଛି।