ନୂଆାଦିଲ୍ଲୀ: ବନ୍ଦେ ମାତରମର ଛଅ ଅନ୍ତରା ଗାନକୁ ବାଧ୍ୟତାମୂଳକ କରାଯିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି। ମଙ୍ଗଳବାର ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତଜ୍ଞ ଟି. ଏମ୍. କୃଷ୍ଣାଙ୍କ ଦ୍ୱାରା ଦାୟର ଏହି ଯାଚିକାର ଶୁଣାଣି ସମୟରେ ଅଦାଲତ ପରିସରରେ ଆଇନଜୀବୀମାନଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି ।

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଦେଶରେ ଆଇନ ପ୍ରଣୟନ ନକ୍ସଲପନ୍ଥୀଙ୍କ ମନୋଭାବ ଅନୁସାରେ ହୋଇପାରିବ ନାହିଁ। ଏସଜିଙ୍କ ଏହି ବକ୍ତବ୍ୟକୁ ନେଇ କୋର୍ଟରୁମରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବରିଷ୍ଠ ଆଇନଜୀବୀ ଡ. ଏସ୍. ମୁରଲୀଧର ଏସଜିଙ୍କ ଏହି ଟିପ୍ପଣୀକୁ କଡ଼ା ଭାଷାରେ ବିରୋଧ କରିବା ସହ ତାଙ୍କୁ ବକ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସେ କହିଥିଲେ, "ଏହି ମାମଲାର ସିଧାସଳଖ ଲାଇଭ୍ ସ୍ଟ୍ରିମିଂ ହେଉଛି । କୋର୍ଟ ମଧ୍ୟରେ ଏପରି ଅନାବଶ୍ୟକ ଟିପ୍ପଣୀ ଶୋଭା ପାଏନାହିଁ ଏବଂ ଏକ ନିର୍ଦ୍ଦିଷ୍ଟ ମର୍ଯ୍ୟାଦା ରକ୍ଷା ହେବା ଆବଶ୍ୟକ । ସରକାରୀ ଆଇନ ଅଧିକାରୀଙ୍କଠାରୁ ଆମେ ଏପରି ଆଚରଣ ଆଶା କରୁନାହୁଁ ।

Also Read: କାରଣ ନ ଜଣାଇ ଗିରଫ କରିବା ବେଆଇନ, ଦ୍ୱିତୀୟ ଥର ଆରେଷ୍ଟ୍ ପାଇଁ ମାଜିଷ୍ଟ୍ରେଟଙ୍କ ଅନୁମତି ଜରୁରୀ

ଅନ୍ୟପଟେ ଶୁଣାଣି କରୁଥିବା ଜଷ୍ଟିସ୍ ଜେ. ବାଗ୍ଚୀ କହିଥିଲେ ଯେ, ପୀଠ ଏହି ଟିପ୍ପଣୀ ଉପରେ ବିଶେଷ ଧ୍ୟାନ ଦେଇନାହାନ୍ତି । ତେବେ ଏସଜି ତୁଷାର ମେହେଟ୍ଟା ନିଜ ସଫେଇରେ କହିଥିଲେ, "ମୁଁ ଯାହା କହିଛି ତାହା ପୁଣି ଦୋହରାଇ ପାରେ । ଦେଶ ଆଇନ ଅନୁସାରେ ଚାଲିବ, ଏଥିପାଇଁ ମୋର କୌଣସି ଅନୁଶୋଚନା ନାହିଁ । ଏହାକୁ ନେଇ ବରିଷ୍ଠ ଓକିଲ ମୁରଲୀଧର ପୁନର୍ବାର କଡ଼ା ଆପତ୍ତି ଜଣାଇଥିଲେ। ସେହିପରି ଅନ୍ୟ ଜଣେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ମଧ୍ୟ ଆଲୋଚନାରେ ଭାଗ ନେଇ କହିଥିଲେ ଯେ, "ସ୍ୱାଧୀନ ଭାବେ ଚିନ୍ତା କରିବାର ଅର୍ଥ ଜଣେ ନକ୍ସଲପନ୍ଥୀ ହୋଇଯିବା ନୁହେଁ ।"

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଗୀତ ଗାଇବାକୁ ବାଧ୍ୟ କରାଯିବା ନାଗରିକଙ୍କ ମୌଳିକ ଅଧିକାର ଓ ସ୍ୱାଧୀନତା ଉପରେ ହସ୍ତକ୍ଷେପ ବୋଲି ଦର୍ଶାଇ ଏହି ଯାଚିକା ଦାଖଲ କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କେନ୍ଦ୍ରର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।