ନୂଆଦିଲ୍ଲୀ ୨୪।୦୩: ପଶ୍ଚିମ ଏସିଆରେ ଯୁଦ୍ଧରେ ପ୍ରଭାବିତ ଇରାନ ବାସିନ୍ଦାଙ୍କ ପାଇଁ କାଶ୍ମୀର, ଖାସ୍କରି ବଡଗାମ ଓ ବାରାମୂଲ୍ଲା ଜିଲ୍ଲାରେ ଲୋକେ ଦୟଭାବ ଓ ସାହାଯ୍ୟର ଅନନ୍ୟ ଉଦାହରଣ ପାଲଟିଛନ୍ତି । ଇଦ-ଉଲ-ଫିତର ପାଳନ ପରେ ଶିୟା-ବହୁଳ ଅଞ୍ଚଳରେ ସ୍ୱେଚ୍ଛାସେବୀମାନେ ଇରାନରେ ଯୁଦ୍ଧ-ପ୍ରଭାବିତ ଲୋକଙ୍କ ପାଇଁ ଘର ଘର ବୁଲି ଉପଷମ ସାମଗ୍ରୀ ଏକତ୍ର କରିଛନ୍ତି । ଲୋକେ କେବଳ ଟଙ୍କା ଦାନ କରିଛନ୍ତି ତାହା ନୁହେଁ, ସୁନା ଓ ରୁପା ଗହଣା, ଗୃହପାଳିତ ପଶୁ ଏବଂ ପାରମ୍ପରିକ ତମ୍ବା ଓ ଅନ୍ୟ ମହଙ୍ଗା ଗୃହ ସାମଗ୍ରୀ ମଧ୍ୟ ଦାନ କରିଛନ୍ତି ।

ଭାରତରେ ଅବସ୍ଥାପିତ ଇରାନୀ ଦୂତାବାସ ସୋସିଆଲ ମିଡିଆରେ ଏହି ଅନନ୍ୟ ମାନବୀୟ ଦାନର ଫଟୋ ଓ ଭିଡିଓ ଶେୟାର କରିଛି । ଇରାନର ପୁନଃନିର୍ମାଣ ପାଇଁ ଅର୍ଥ ଓ ଗହଣା ଦାନ କରିଥିବା ଭାରତୀୟଙ୍କ ଦୟାଭାବ ଓ ମାନବିକତାକୁ ଏହା ଧନ୍ୟବାଦ ଦେଇଛି । କାଶ୍ମୀରବାସୀଙ୍କ ମାନବୀୟ ସମର୍ଥନ ଓ ସହୃଦୟ ଅଖଣ୍ଡତା ପାଇଁ କୃତଜ୍ଞତା ଜଣାଇଛି । ଏହି ଦୟାଭାବକୁ କଦାପି ଭୁଲି ହେବ ନାହିଁ କହି ଧନ୍ୟବାଦ ଭାରତ ବୋଲି ଏକ୍ସରେ ପୋଷ୍ଟ୍ କରିଛି ।

ପୁରୁଷ, ମହିଳା ଓ ପିଲାମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ଅନେକ ମହିଳା ସେମାନଙ୍କ ବ୍ୟକ୍ତିଗତ ସୁନା ଗହଣା ଓ ମୂଲ୍ୟବାନ ଗୃହ ସାମଗ୍ରୀ ଦାନ କରିଥିଲେ। ଇରାନ ଦୁଃଖ ସହ ସେମାନେ କେତେ ମାତ୍ରାରେ ଭାବନାତ୍ମକ ରୂପେ ଜଡ଼ିତ ଏଥିରୁ ସ୍ପଷ୍ଟ ହୋଇଛି । ଜଣେ କଶ୍ମୀରୀ ବିଧବା ମହିଳା ନିଜ ଦିବଂଗତ ସ୍ୱାମୀଙ୍କ ସ୍ମୃତିରେ ଦୀର୍ଘ ୨୮ ବର୍ଷ ହେଲା ସାଇତି ରଖିଥିବା ଏକ ସୁନା ସ୍ମାରକୀ ଦାନ କରିଛନ୍ତି । ଇରାନ ଜନତାଙ୍କ ପ୍ରତି ଭଲପାଇବା ଓ ଅଖଣ୍ଡତାର ଏହା ଏକ ଅନନ୍ୟ ଉଦାହରଣ । ଇରାନ ପ୍ରତି ତାଙ୍କ ଲୁହ ଓ ଆବେଗଭରା ସମର୍ଥନ ସର୍ବଦା ମନେରହିବ ବୋଲି ଦୂତାବାସ ପୋଷ୍ଟ୍ରେ ଉଲ୍ଲେଖ କରିଛି । ପିଲାମାନେ ସେମାନଙ୍କ ସଞ୍ଚିତ ଓ ଇଦ ଅର୍ଥ ବି ହସି ହସି ଦାନ କରିଛନ୍ତି ।

Also Read- ଯୁଦ୍ଧ ନେଲାଣି ୨୫୦୦ରୁ ଅଧିକ ଜୀବନ : ଇରାନରେ ସର୍ବାଧିକ ମୃତ୍ୟୁ, ଦ୍ୱିତୀୟରେ ଏହି ଦେଶ...