ଯାଜପୁର: ବନ୍ୟା ବିଭୀଷିକା ଭିତରେ ଆଜିବି ପାଣି ଘେରରେ ରହିଛି ଅନେକ ଗାଁ। ଫସି ରହିଛନ୍ତି ହଜାର ହଜାର ଲୋକେ। ବାଧାପ୍ରାପ୍ତ ହୋଇଛି ଯୋଗାଯୋଗ। ହେଲେ ଏଭଳି ସମୟରେ ଏହି ବନ୍ୟା ବିପନ୍ନଙ୍କ ପାଇଁ ଏକ ମାତ୍ର ସାହାରା ପାଲଟିଛନ୍ତି ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍। ରୋଗୀଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ଠାରୁ ଆରମ୍ଭ କରି ପାଣିରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାରରେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା। ଏହି କ୍ରମରେ ବନ୍ୟା ଯୋଗୁ ଫସି ରହିଥିବା ଜଣେ ୧୩ ଦିନର ଗୁରୁତର ଅସୁସ୍ଥ ଶିଶୁକନ୍ୟାକୁ ହସ୍ପିଟାଲ ନେଇ ଜୀବନ ବଞ୍ଚାଇଦେଇଛନ୍ତି ଦଶରଥପୁର ଅଗ୍ନିଶମ ବିଭାଗ ଟିମ୍ ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସହେ ମାତ୍ ଗାଁର ଅମୀୟ କୁମାର ନାୟକଙ୍କର ୧୩ ଦିନର ଶିଶୁ କନ୍ୟା ହଠାତ୍ ଅସୁସ୍ଥ ହେବା ସହ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ହେଲେ ବିଡ଼ମ୍ବନାର କଥା ଗାଁ ଜଳମଗ୍ନ ଥିବାରୁ ପରିବାରଲୋକେ ଡାକ୍ତରଖାନା ନେଇପାରିନଥିଲେ। ଆଉ ଶିଶୁ କନ୍ୟାଟିକୁ କିପରି ମେଡିକାଲ ନେବେ ସେନେଇ ଚିନ୍ତାରେ ଥିବା ବେଳେ ଖବର ପାଇ ଦଶରଥପୁର ଅଗ୍ନିଶମ ବିଭାଗ ଟିମ୍ ପରିବାର ନିକଟରେ ପହଞ୍ଚିଥିଲା।

Also Read: ବନ୍ୟା ଘେରରେ ଫସିଥିଲେ ପ୍ରସୂତୀ, ସାହା ହେଲା ଅଗ୍ନିଶମ ବାହିନୀ

ଆଉ ଟିମ୍ ଖୁବ୍ ସତର୍କତାର ସହ ସୁରକ୍ଷିତ ଭାବେ ଶିଶୁ କନ୍ୟା ଓ ସହ ପରିବାର ଲୋକଙ୍କୁ ଆଣି ଗାଁର ଆରପଟେ ଛାଡ଼ି ଥିଲେ। ପରେ ସେଠାରୁ ଏକ ଅଟୋ ଯୋଗେ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥା ଅଧିକ ଗରୁତ୍ୱର ଥିବାରୁ ଶିଶୁ କନ୍ୟାକୁ ଯାଜପୁରରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି।