କୋଲକାତା,୮|୦୬:ବନ୍ଧା ହେଲେ ଜାହାଙ୍ଗୀର ଖାନ୍ । ପଶ୍ଚିମବଙ୍ଗର ଫଲତା ଆସନରୁ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ପୋଲିସ ଗିରଫ କରିଛି । ବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଜାହାଙ୍ଗୀରଙ୍କୁ ନେପାଳର ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ବାନ୍ଧିଛି । ଟିଏମସିର ପୂର୍ବତନ ବିଧାୟକ ଜାହାଙ୍ଗୀର ଖାନ୍ ଦେଶ ଛାଡି ନେପାଳ ଫେରାର ହେବା ନେଇ ଚାଲ୍ କରିଥିଲେ ।

ଜାହାଙ୍ଗୀରଙ୍କୁ ବାସ୍ତବିକ କେଉଁ ଜାଗା ଏବଂ କେତେବେଳେ ଗିରଫ କରାଯାଇଛି ସେନେଇ ପୋଲିସ କିଛି କହି ନାହିଁ । କିଛି ସମୟ ପରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ଏନେଇ ବିସ୍ତୃତ ତଥ୍ୟ ଦେଇପାରେ । ଫଲତା ନିର୍ବାଚନ ପରେ ଜାହାଙ୍ଗୀର ଫେରାର ହୋଇ ଯାଇଥିଲେ । ତାଙ୍କର କୌଣସି ପତ୍ତା ମିଳିନଥିଲା ।

ତାଙ୍କୁ ପୋଲିସ ଏବଂ ଏସଟିଏଫ୍ ଅନେକ ମାମଲାରେ ଖୋଜୁଥିଲେ । ତାଙ୍କ ବିରୋଧରେ 7ଟି ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ସହଯୋଗ ନିଆଯାଇଥିଲା । ତାଙ୍କର ଜଣେ ସହଯୋଗୀଙ୍କ ଫୋନ୍ ଟ୍ରାକ୍ କରିବା ପରେ ଅନେକ ସୁରାକ୍ ମିଳିଥିଲା ।

ସୂଚନାଯୋଗ୍ୟ, ଜାହାଙ୍ଗୀର ଖାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଦାଦାବଟି, ଦଙ୍ଗା ପାଇଁ ଉସକାଇବା ଭଳି ଗୁରୁତର ଧାରାରେ ମାମଲା ରୁଜୁ ହୋଇଛି । ମନି ଲଣ୍ଡରି ମାମଲା ବି ଚାଲିଛି । ଯାହାର ତଦନ୍ତ ଇଡି କରୁଛି । ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କୁ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । କିନ୍ତୁ ଏହାର ଅବଧି ପୂରଣ ହେଲା ପରେ କୋର୍ଟ ଏହାକୁ ବୃଦ୍ଧି କରିବାକୁ ମନା କରିଦେଇଥିଲେ ।