ନୂଆଦିଲ୍ଲୀ, ୦୯/୧୦ : କାରବାରର ଶେଷ ଦିନରେ ଶୁଭ ସଙ୍କେତ ଦେଇଛି ସେୟାର ମାର୍କେଟ୍ । ଗୁରୁବାର ବଜାର କ୍ରାଶ୍ କରିବା ପରେ ଆଜି କିନ୍ତୁ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଦ୍ୱାରା ଟିସିଏସ, ଇନଫୋସିସ, ଓ୍ୱିପ୍ରୋ, ଏଚସିଏଲ ଟେକ୍ ଆଦି କମ୍ପାନୀକୁ ଗ୍ରୀନ୍ କାର୍ଡ ଜନିତ ସୁବିଧା ଉପରେ ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ବଜାର ଭଲ ଆରମ୍ଭ କରିଛି । 

ଶୁକ୍ରବାର ବଜାର ଖୋଲିବା ପରେ ସେନସେକ୍ସ ୧୮୦ ଅଙ୍କ ବୃଦ୍ଧି ପାଇଥିଲା । ଆଇଟି ସେୟାର ମଧ୍ୟ ସବୁଜ ସଙ୍କେତରେ କାରବାର କରୁଛି । ସେହିପରି ନିଫ୍ଟି ୮୦ ଅଙ୍କ ବୃଦ୍ଧି ପାଇଛି । ଟଙ୍କା ମଧ୍ୟ ଡଲାର ତୁଳନାରେ ସାମାନ୍ୟ ମଜବୁତ ହୋଇଥିବା ପରିଲକ୍ଷିତ ହୋଇଛି । ଟଙ୍କା ଡଲାର ତୁଳନାରେ ପୂର୍ବଦିନର ୯୬.୭୮ ଅପେକ୍ଷା ଶୁକ୍ରବାର ୪ ପଇସା ମଜବୁତ ହୋଇ ୯୬.୭୪ ହୋଇଛି ।

Also Read :- ସଞ୍ଜୁଙ୍କ ପାଇଁ ଦଳରେ ମିଳୁନି ଜାଗା : ସିଲେକ୍ଟରଙ୍କୁ ବଡ଼ ମେସେଜ୍ ଦେଲେ ବୈଭବ ସୂର୍ଯ୍ୟବଂଶୀ

କାରବାର ଆରମ୍ଭରେ ଟିସିଏସ, ଇନଫୋସିସ ଭଳି ଆଇଟି କମ୍ପାନୀର ସେୟାର ଗ୍ରୀନ୍ ଜୋନରେ କାରବାର କରିଥିଲେ । ଆମେରିକାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଆଇଟି ସେକ୍ଟର ସହ ଜଡିତ କମ୍ପାନୀ ଭଲ ଆରମ୍ଭ କରିଛନ୍ତି । ସକାଳ ୧୦ଟା ସୁଦ୍ଧା ବିଏସଇ ସେନସେକ୍ସ ୭୨୨୬୦ ପଏଣ୍ଟରେ କାରବାର କରୁଛି । ସେହିପରି ଏନଏସଇ ନିଫ୍ଟି ମଧ୍ୟ ସବୁଜ ସଙ୍କେତ ସହ ୨୨୪୪୦ରେ କାରବାର କରୁଥିବା ନଜର ଆସିଛି ।

ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ଶେୟାର ବଜାରରେ ଦେଖିବାକୁ ମିଳିଥିଲା ହାହାକାର । ହଠାତ୍ ମାର୍କେଟ୍ କ୍ରାଶ୍ ଯୋଗୁ ନିବେଶକଙ୍କୁ ହରାଇବାକୁ ପଡ଼ିଥିଲା ପ୍ରାୟ ୮ ଲକ୍ଷ କୋଟି ଟଙ୍କା । ଏହି କ୍ରାଶ୍ ପଛରେ ଅଶୋଧିତ ତେଲ ଦାମ୍ ବୃଦ୍ଧି ଏକ ବଡ଼ କାରଣ ବୋଲି କୁହାଯାଉଥିବା ବେଳେ, ଆଉ କିଛି କାରଣକୁ ମଧ୍ୟ ଦାୟୀ କରିଥିଲେ ବିଶେଷଜ୍ଞ।

ରିପୋର୍ଟ ଅନୁସାରେ, ପ୍ରଥମେ ଗୁରୁବାର କାରବାର ଆରମ୍ଭରୁ ହିଁ ମାର୍କେଟ ନିମ୍ନମୁଖୀ ରହିଥିଲା । ଅବଶ୍ୟ ଏହାର ଗତି ମନ୍ଥର ରହିଥିଲା । ମାତ୍ର କିନ୍ତୁ ଦ୍ବିପ୍ରହର ବେଳକୁ ମାର୍କେଟରେ ସୃଷ୍ଟି ହୋଇଥିଲା ହଇଚଇ । ଦେଖୁ ଦେଖୁ ହଜାରେରୁ ଅଧିକ ପଏଣ୍ଟ ତଳକୁ ଖସି ଆସିଥିଲା । ଆଉ କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ୧,୦୪୫.୪୬ ପଏଣ୍ଟ ଖସି ୭୧, ୫୯୩.୨୪ରେ ବନ୍ଦ ହୋଇଥିବା ବେଳେ, ନିଫ୍ଟି ୫୦ ମଧ୍ୟ ୩୭୧.୨୫ ପଏଣ୍ଟ ହ୍ରାସ ପାଇ ୨୨,୨୩୧.୮୦ରେ ବନ୍ଦ ହୋଇଥିଲା ।