ଭୁବନେଶ୍ୱର: ପୁରୀ ଯାଇ ଜଗା ଦର୍ଶନ କଲା ପରେ ଆନନ୍ଦ ବଜାରରେ ଅବଢ଼ା ମୁଠାଏ ନ ଖାଇ, ଟଙ୍କ ତୋରାଣି ମୁନ୍ଦେ ନ ପିଇଲେ ଜଗା ପ୍ରେମ ଦେହରେ ସବାର ହେଲା ଭଲି ଲାଗେନା। ତେଣୁ ଅବଢ଼ା ପାଇଁ ଭକ୍ତ ପାଗଳ ପ୍ରାୟ ଛୁଟିଯାଏ ଆନନ୍ଦ ବଜାରକୁ। ହେଲେ ଭକ୍ତିରେ ବିଭୋର ହୋଇ ଆମେ ଯେଉଁ ଅବଢା କିଣି ଘରକୁ ଆଣନ୍ତି, ଆଉ ତାକୁ ସୁଖାଇ ନିର୍ମାଲ୍ୟ କରନ୍ତି, ସେଥିରେ ଆମର ବଡ଼ ଭୁଲ୍ ହୋଇଯାଏ।

ଲୋକ କଥା ଅଛି ଯେ ଅବଢ଼ା ସୁଖାଇ ନିର୍ମାଲ୍ୟ କଲେ ଏହା ପାପ ହୋଇଥାଏ। ଯେଉଁ ପରିବାର ଏପରି କରିଥାଏ ସେମାନଙ୍କ ପରିବାର ଲୋକେ ମଧ୍ୟ ସୁଖି ସୁଖି ଯାଆନ୍ତି। ହେଲେ ଯଦିଓ ଏହା କେବଳ ଏକ ଲୋକ ବିଶ୍ୱାସ, ତେବେ ନିର୍ମାଲ୍ୟ କରିବାରେ କିଛି ସ୍ୱତନ୍ତ୍ର ନିୟମ ବି ରହିଛି। ଏନେଇ ଜଗନ୍ନାଥ ପ୍ରଚାରକ, ପ୍ରବଚକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ଦ୍ୱନ୍ଦ ଦୂର କରିଛନ୍ତି। ନିର୍ମାଲ୍ୟ କେମିତି ହୁଏ ସେ ବିଷୟରେ ରଥ ଶର୍ମା କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଅବଢ଼ା ଆଣି ଘରେ ସୁଖାଇ ନିର୍ମାଲ୍ୟ କରିବାର ନୀତି ନାହିଁ

ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା କହିଛନ୍ତି ଯେ ପୁରୀରୁ ଅବଢ଼ା କିଣି ଆଣି ଘରେ ଏହାକୁ ସୁଖାଇ ନିର୍ମାଲ୍ୟ କରିବାର ନୀତି ନାହିଁ। ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ନିର୍ମାଲ୍ୟ ଖଳା ରହିଛି। ସବୁ ସୁଆର ନିର୍ମାଲ୍ୟ କରିପାରିବେ ନାହିଁ। ଯେଉଁ ଅନ୍ନ ମହାପ୍ରଭୁଙ୍କ ପାଖରେ ଭୋଗ ହେବ ତାକୁ ରୋଷେଇ କରିବାର ସୁଆର ସ୍ୱତନ୍ତ୍ର ଅଲଗା। ତାକୁ ସୁଖାଇବା ଲୋକ ବି ସ୍ୱତନ୍ତ୍ର ଅଲଗା। ଯଦି ମୁଁ ଜଣେ ସାଧାରଣ ଭକ୍ତ ଭାବେ ପୁରୀରୁ ଅବଢ଼ା ନେଇଯାଉଛି,ତେବେ ସେଇ ଅବଢା ହାଣ୍ଡିକୁ ଅବଢା ସହ ଡାଇରେକ୍ଟ ଖରାରେ ଶୁଖାଇ ପାରିବି ବା ଥୋଇ ଦେଇପାରିବି। ହେଲେ ଅବଢ଼ାକୁ ହାଣ୍ଡିରୁ ଖୋଲି ଖଳାରେ କିମ୍ବା ଦାଣ୍ଡରେ ଶୁଖାଇ ପାରିବି ନାହିଁ। ଏମିତି କରିବା ଆଦୌ ଉଚିତ ନୁହେଁ ବୋଲି ରଥ ଶର୍ମା କହିଛନ୍ତି। 
Also Read- ଘରେ ଜଗନ୍ନାଥ ମୂର୍ତ୍ତି ରଖି ପୂଜା କରିବା ଉଚିତ କି ନା, କ’ଣ ରହିଛି ଶାସ୍ତ୍ରୀୟ ନିୟମ? ହୋଟେଲ୍ରେ ଠାକୁର ଫଟୋ ରଖି ଭୁଲ କରୁ ନାହାନ୍ତି ତ ?

ନିର୍ମାଲ୍ୟ ସହିତ ଲୋକଙ୍କର ଭାବାବେଗ ଜଡ଼ିତ ହୋଇ ରହିଛି। କୁହାଯାଏ ମୃତ୍ୟୁ ସମୟରେ ଯଦି ଜୀବ ଯାଉ ନାହିଁ, ତେବେ ନିର୍ମାଲ୍ୟ ପାଣି ଟିକେ ଦେଇଦେଲେ ଜୀବ ଘଟ ଛାଡ଼ି ଚାଲିଯାଏ। ହେଲେ ଏଭଳି ଘରେଇ ସୁଖାଇ ନିର୍ମାଲ୍ୟ କରିବାର କୌଣସି ଉପାଦେୟତା ନାହିଁ ବୋଲି ସୂର୍ଯ୍ୟ ନାରନାୟଣ ରଥ ଶର୍ମା କହିବାକୁ ଚାହିଁଛନ୍ତି।

୬୦ ପଉଟି ଭୋଗ କ’ଣ, ହରି କୈବଲ୍ୟ କାହାକୁ କୁହାଯାଏ ?

ଏନେଇ ରଥ ଶର୍ମା କହିଛନ୍ତି ୬୦ ପଉଟିର ଅର୍ଥ ହେଲା ୬୦ ଗଉଣୀର ଦ୍ରବ୍ୟ, ଯାହା ଜଗନ୍ନାଥ ଖାଆନ୍ତି। ଦୁଇ ପ୍ରକାର ଭୋଗ ଜଗ୍ନାଥଙ୍କ ପାଖରେ ହୁଏ। ଗୋଟିଏ ହେଲା କୋଠ ଭୋଗ। ଏହି କୋଠ ଭୋଗ ସକାଳ ଧୂପ, ମଧ୍ୟାହ୍ନନ ଧୂପ ଓ ସନ୍ଧ୍ୟା ଧୂପରେ ଭୋଗ ଲାଗେ। ମୁରୁଜ ପଡ଼ି ଷୋଡ଼ଷ ଉପଚାର ପୂଜା ପରେ ଏହାକୁ ଗର୍ଭ ଗୃହରେ ଭୋଗ କରାଯାଏ। ଏହାପରେ ମାଆ ବିମଳାଙ୍କ ପାଖେ ସମର୍ପଣ କରାଯାଇଥାଏ। ଏହାକୁ ହରିକୈବଲ୍ୟ କୁହାଯାଏ। ଏହି ଭୋଗକୁ ୬୦ ପଉଟି ଭୋଗ କହନ୍ତି।

ତେବେ ସର୍ବସାଧାରଣଙ୍କ ପାଇଁ ଯେଉଁ ଭୋଗ ଲାଗେ ତାହା ଭୋଗ ମଣ୍ଡପର ଭୋଗ ଲାଗିଥାଏ। ଏହି ଭୋଗକୁ ମହାପ୍ରଭୁଙ୍କ ପାଖରେ ପଞ୍ଚୋପଚାର କରି ଭୋଗ କରାଯାଏ। ଏହାକୁ ଭକ୍ତାମାନେ ଖାଆନ୍ତି। ବାହାଘର ପର୍ବପର୍ବାଣୀରେ ମଧ୍ୟ ଏହି ଖାଇବା ହୁଏ ବୋଲି ରଥ ଶର୍ମା କହିଛନ୍ତି।