ନୂଆଦିଲ୍ଲୀ: ଇରାନ ସହିତ ଯୁଦ୍ଧବିରତି ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ପରେ ଇସ୍ରାଏଲ୍‌ରେ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଛି। ସୋମବାର ଦିନ 'ଦ ଜେରୁଜେଲମ ପୋଷ୍ଟ'କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା-ଇରାନ ଚୁକ୍ତି ଆଧାରରେ ଇସ୍ରାଏଲ୍‌ ଦକ୍ଷିଣ ଲେବାନନରୁ ନିଜର ସେନା ପ୍ରତ୍ୟାହାର କରିବ ନାହିଁ। ଅନ୍ୟପକ୍ଷରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ର ଏକ ସୂତ୍ର ସ୍ପଷ୍ଟ କରିଛି ଯେ, ଯଦି ହିଜବୁଲ୍ଲା ଯୁଦ୍ଧବିରତିର ନିୟମ ପାଳନ କରେ, ତେବେ ଲେବାନନର କୌଣସି ସ୍ଥାନରେ ଆକ୍ରମଣ କରାଯିବ ନାହିଁ। ତେବେ ଏହି ଆମେରିକା-ଇରାନ ଚୁକ୍ତି କିମ୍ବା ଲେବାନନ ପ୍ରସଙ୍ଗରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି। 

ଇସ୍ରାଏଲ୍‌ର ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍-ଗ୍ଵିର ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆମେରିକାର ଚାପକୁ ନେଇ ନିଜର ଆପତ୍ତି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବୁଝାମଣା ଇସ୍ରାଏଲ୍‌କୁ କୌଣସି ପରିସ୍ଥିତିରେ ବାଧ୍ୟ କରିପାରିବ ନାହିଁ। ଇସ୍ରାଏଲ୍ ଆମେରିକାର ଅଧୀନରେ ନାହିଁ; ଆମେ ଏକ ସ୍ୱାଧୀନ ଏବଂ ସାର୍ବଭୌମ ରାଷ୍ଟ୍ର। ଅତୀତରେ ଯେତେବେଳେ ବି ଆମେ ନିଜ ସୁରକ୍ଷାକୁ ବାଜି ଲଗାଇ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛୁ, ଆମକୁ ତା’ର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଛି। ଓସଲୋ ଚୁକ୍ତି ସମୟରେ ଏଭଳି ଭୁଲ୍ ହୋଇଥିଲା, ୨୦୦୬ର ଲେବାନନ ଚୁକ୍ତିରେ ମଧ୍ୟ ଏହା ଦୋଇଥିଲା ଏବଂ ଗାଜା ଉପରେ ନିୟନ୍ତ୍ରଣ ରଖିବାର ପ୍ରତ୍ୟେକ ପ୍ରୟାସ ସମୟରେ ମଧ୍ୟ ଆମ ପାଇଁ ଫଳାଫଳ ଅତ୍ୟନ୍ତ ମାରାତ୍ମକ ପ୍ରମାଣିତ ହୋଇଛି।’

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ଆମେରିକାକୁ ଭଲପାଉ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ କୃତଜ୍ଞ। ତଥାପି ଇସ୍ରାଏଲ୍ କୌଣସି ଦୁର୍ବଳ ଦେଶ ନୁହେଁ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ସବୁବେଳେ ଏବଂ ବନ୍ଦ କୋଠରୀର ଗୁପ୍ତ ବୈଠକରେ ମଧ୍ୟ ଏହି କଥା ମନେ ପକାଇ ଦିଏ ଯେ, ଐତିହାସିକ ମୁହୂର୍ତ୍ତରେ ଦୃଢ଼ ନିଷ୍ପତ୍ତି ନେବା ଜରୁରୀ। ଏଣିକି ଲେବାନନ ପକ୍ଷରୁ ଇସ୍ରାଏଲ୍ ଆଡ଼କୁ ଆସୁଥିବା ପ୍ରତ୍ୟେକ ଡ୍ରୋନ୍, ୟୁଏଭି (UAV) କିମ୍ବା ମିସାଇଲ୍ ଆକ୍ରମଣର ଜବାବ ବେରୁତର ଦାହିୟାରେ ବଡ଼ ଧରଣର ବୋମା ବିସ୍ଫୋରଣ ମାଧ୍ୟମରେ ଦିଆଯିବ।’

ଅଧିକୃତ ଅଞ୍ଚଳରୁ ସେନା ହଟାଇବାକୁ ମନା କଲେ ପ୍ରତିରକ୍ଷା ମନ୍ତ୍ରୀ
ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍‌ଜ୍ ମଧ୍ୟ ଏହି ଚୁକ୍ତିକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ, ଆମେରିକା-ଇରାନ ଯୁଦ୍ଧବିରତି ସତ୍ତ୍ୱେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ (IDF) ଲେବାନନ, ସିରିଆ କିମ୍ବା ଗାଜାର ସୁରକ୍ଷା ଜୋନରୁ ପଛକୁ ହଟିବ ନାହିଁ। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏନେଇ ସିଧାସଳଖ ଭାବେ ଟ୍ରମ୍ପଙ୍କୁ ଜଣାଇ ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନିଜର ଆଧିପତ୍ୟ ବଜାୟ ରଖିବା ଇସ୍ରାଏଲ୍ ସେନାର ସବୁଠାରୁ ବଡ଼ ସଫଳତା। ତେଣୁ ବର୍ତ୍ତମାନ କିମ୍ବା ଭବିଷ୍ୟତର କୌଣସି ବି ରଣନୈତିକ ଚାପ ଆଗରେ ଇସ୍ରାଏଲ୍ ମୁଣ୍ଡ ନୁଆଁଇବ ନାହିଁ। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ଲେବାନନ ପ୍ରସଙ୍ଗକୁ ନେଇ ଇସ୍ରାଏଲ୍ ଉପରେ ଆକ୍ରମଣ କରେ, ତେବେ ତା’ର ପରିଣାମ ଅତି ଭୟଙ୍କର ହେବ ଏବଂ ଇସ୍ରାଏଲ୍ ନିଜର ସମ୍ପୂର୍ଣ୍ଣ ଶକ୍ତି ସହ ପାଲଟା ଜବାବ ଦେବ।