ନୂଆଦିଲ୍ଲୀ: ଦଲାଲ ପାକିସ୍ତାନ। ଲୋକେ ମରୁଛନ୍ତି ଭୋକରେ। ନେତା ଫାଇଭ ଷ୍ଟାରରେ। ଆମେରିକା ପାଇଁ ନିଜ ନାଗରିକଙ୍କୁ ନାକାବନ୍ଦୀ କଲା ପାକିସ୍ତାନ। ବିଶ୍ୱ ସ୍ତରରେ ନିଜର ଭାବମୂର୍ତ୍ତିକୁ ଭଲ ଦେଖାଇବା ପାଇଁ ହଜାର ହଜାର ନାଗରିକଙ୍କୁ ସେମାନଙ୍କ ଘରେ ବନ୍ଦୀ କରି ରଖିଛି ପାକିସ୍ତାନ। ପାଣିଠୁ ରାସନ ସବୁ ବନ୍ଦ। ଘର ଏବେ ଜେଲ୍। ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଶାନ୍ତି ଆଲୋଚନା ଭିତରେ ନିଜ ନାଗରିକଙ୍କୁ ଯନ୍ତ୍ରଣା ଦେଉଛନ୍ତି ସେହବାଜଙ୍କ ସରକାର।

ପାକିସ୍ତାନରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। ଇସଲାମାବାଦରେ ଇରାନ-ଆମେରିକା ଶାନ୍ତି ବୈଠକ। ହେଲେ ଆତଙ୍କୀ ଦେଶକୁ ଘାରିଛି ଆତଙ୍କବାଦ ଓ ବିଦ୍ରୋହର ଭୟ। କାଳେ କଣ ଅଘଟଣ ଘଟିବ ସେଥିପାଇଁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା। ସହର ସାରା ପୋଲିସ ଛାଉଣି। କୁହାଯାଉଛି ପାକିସ୍ତାନ ସରକାରଙ୍କ କୂଟନୀତି ଉପରେ ପାକିସ୍ତାନୀ ନାଗରିକ ନାଖୁସ୍। ଇରାନ ସୁପ୍ରିମ ଲିଡରଙ୍କ ମୃତ୍ୟୁ ଓ ଆମେରିକାର ଆକ୍ରମଣକୁ ବିରୋଧ କରି ଆରମ୍ଭ ହୋଇଥିଲା ବିଦ୍ରୋହ। ପାକିସ୍ତାନରେ ଥିବା ଆମେରିକା ଦୂତାବାସକୁ ବ୍ୟାପକ ଭଙ୍ଗାରୁଜା କରିଥିଲେ ଶହ ଶହ ପାକିସ୍ତାନୀ। ବିଦ୍ରୋହୀଙ୍କୁ ଅଟକାଇବାକୁ ଯାଇ ଫାୟାରିଂ କରିଥିଲା ପାକ୍ ସେନା। ଏଥିରେ ଅନେକ ମୃତାହତ ହୋଇଥିଲେ। ଏହି ଘଟଣାକୁ ନେଇ ଆମେରିକାକୁ ନେଗେଟିଭ ମେସେଜ ଯାଇଥିଲା। ସେହି ଭୁଲକୁ ଦୋହରାଇବାକୁ ଚାହୁଁନି ଇସଲାମାବାଦ। ଏଥର ନେଇଛି ଆଗୁଆ ପଦକ୍ଷେପ।

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ମଧ୍ୟସ୍ଥତା କରୁଛି ପାକିସ୍ତାନ। ଶାନ୍ତି ବୈଠକରେ ଆମେରିକାର ପ୍ରତିନିଧିତ୍ୱ କରୁଛନ୍ତି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ। ସେପଟେ ଇରାନ ପକ୍ଷରୁ ବାଚସ୍ପତି ମହମ୍ମଦ ବାକର କଲିବାଫ ପ୍ରତିନିଧିତ୍ୱ କରୁଛନ୍ତି। ଏହାକୁ ନେଇ ଇସଲାମାବାଦ ସହର ଏକପ୍ରକାରର ଲକଡାଉନ। ଦୁଇ ଦିନ ପାଇଁ ଶିକ୍ଷାନୁଷ୍ଠାନ ଛୁଟି। ସ୍କୁଲ କଲେଜ ସବୁ ବନ୍ଦ। ଅନେକ ଦୋକାନ ବଜାରକୁ ବି ବନ୍ଦ କରାଯାଇଛି। ଇସଲାମାବାଦରେ ଆମେରିକାର ବିରୋଧୀ ଗୋଷ୍ଠୀ ମୁଣ୍ଡ ଟେକିଛି। ଏଥର ଅଘଟଣ ଘଟିଲେ ପାକିସ୍ତାନର ନାକ କଟିଲା। ତେଣୁ ଲୋକେ ମରନ୍ତୁ ପଛେ, ସରକାର ବଞ୍ଚିରହୁ। ସେଥିପାଇଁ ବିଭିନ୍ନ ରାସ୍ତାରେ ପଇଁତାରା ମାରୁଛି ପୋଲିସ।ଇସଲାମାବାଦରେ ୧୧,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି ପାକିସ୍ତାନ ସରକାର। ବୈଠକ ହେଉଥିବା ସେରେନା ହୋଟେଲର ୩ କିଲୋମିଟର ପରିଧିକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ଲୋକମାନେ ନିଜ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ପୋଲିସ ସହର ସାରା ପ୍ରତ୍ୟେକ ରାସ୍ତା ଏବଂ ଛକରେ କର୍ମଚାରୀଙ୍କୁ ନିୟୋଜିତ କରିଛି। ଏହା ବ୍ୟତୀତ, ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନରେ ବି ବାହାରକୁ ଗଲେ କୋକୁଆ ଭୟ।

ସବୁଠୁ ବଡ଼ କଥା ହେଲା ରାସ୍ତା ଅବରୋଧ ଯୋଗୁଁ ପାଣି କିମ୍ବା ରାସନ ପାଇଁ କୌଣସି ସୁବିଧା ପାଇପାରୁ ନାହାନ୍ତି। ଇସଲାମାବାଦର ବାସିନ୍ଦାମାନେ ବର୍ତ୍ତମାନ ପାନୀୟ ଜଳ କିମ୍ବା ଖାଦ୍ୟ ପାଇଁ ଜିନିଷ ପାଇପାରୁ ନାହାଁନ୍ତି। ଘର ଗୁଡ଼ିକ ଜେଲରେ ପରିଣତ ହୋଇଥିବା ଇସଲାମାବାଦର ଶାହ ଖାଲିଦ କଲୋନି, ଗୁଲଜାର-ଏ-କାଇଦ, ଏୟାରପୋର୍ଟ ହାଉସିଂ ସୋସାଇଟି, ମଙ୍ଗଟାଲ ଟାଉନ ଏବଂ ଫୈସଲ କଲୋନିର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।ଏହି ଅଞ୍ଚଳରେ ପାଣି ଟ୍ୟାଙ୍କର ଗୁଡ଼ିକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ପାନୀୟ ଜଳ ସମ୍ପୂର୍ଣ୍ଣ ଭାବେ ସରିଯାଇଛି। ବାରମ୍ବାର ନିବେଦନ ଏବଂ ଅନୁରୋଧ ସତ୍ତ୍ୱେ, ଟ୍ୟାଙ୍କରମ ଗୁଡ଼ିକୁ ଅଞ୍ଚଳକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଏପରିକି ଡାକ୍ତରଖାନାଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଔଷଧ ଦୋକାନ ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳ୍ପନା କରନ୍ତୁ -ରୋଗୀମାନଙ୍କର କ'ଣ ହେବ?

ଇସଲାମାବାଦ ପୋଲିସର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ପାକିସ୍ତାନର ରାଜଧାନୀରେ ଦୋକାନ ବନ୍ଦ କରିବାକୁ ଅଧିକାରୀମାନେ ବାଧ୍ୟ କରୁଥିବା ଦେଖାଯାଉଛି। ପୋଲିସ କହିଛି ଯେ ସୁରକ୍ଷା କାରଣରୁ ଅଞ୍ଚଳକୁ କଡ଼ାକଡ଼ି ଭାବରେ ସିଲ୍ କରାଯାଇଛି। ସହରର ପ୍ରମୁଖ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି।ଏଠି ପ୍ରଶ୍ନ ଆତଙ୍କୀ ଦେଶ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ବ୍ୟାକୁଳ କାହିଁକି ? ଏଥିରେ ରହିଛି ଅସୀମ ମୁନିରଙ୍କ ସ୍ୱାର୍ଥ ଓ ଲାଭ। ପ୍ରଥମଟି ହେଲା ଆତଙ୍କୀ ପାକିସ୍ତାନର ଭାବମୂର୍ତ୍ତି ଏବଂ ଆର୍ଥିକ କ୍ଷେତ୍ରରେ ଆମେରିକାର ସାହାଯ୍ୟ ପାଇବା। ଯାହାର ପର୍ଦ୍ଦାଫାଶ କରିଛି ଭାରତ। ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାତୁ ନେଇ ଜୟଶଙ୍କର ପରୋକ୍ଷରେ ପାକିସ୍ତାନକୁ ଦଲାଲି ଦେଶ ବୋଲି କହିଥିଲେ। ଆଉ ଏବେ ଏହା ଜଳ ଜଳ ହୋଇ ଦିଶୁଛି।